ମିଳୁନି ମନରେଗା ଯୋଜନା ମଜୁରି, ପୁଣି ଦାଦନ ସାଜିବେ ୯୮ ଜବ୍‌କାର୍ଡଧାରୀ

ବାଲିଅନ୍ତା: ବ୍ଲକର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଆକାଉଣ୍ଟରେ ଟଙ୍କା ନାହିଁ। ତେଣୁ ମାସ ମାସ ପରେ ବି ମନରେଗା ଯୋଜନାରେ ଶ୍ରମଦାନ କରିଥିବା ଗରିବ ଶ୍ରମିକମାନଙ୍କୁ ମଜୁରି ମିଳୁନାହିଁ। ମୂଲ ଲାଗିଲେ ଘରେ ଚୁଲି ଜଳୁଥିବା ଏହି ଗରିବ ଲୋକେ ଆଉ କେତେ ଦିନ ହାତ ଉଧାରି ଓ ମାଗିଯାଚି ଚଳିବେ! ତେଣୁ ଏବେ ପୁଣି ସେମାନେ ଦାଦନ ଖଟିବାକୁ ବାହାରିଲେଣି। ମହାମାରୀ କ‌ରୋନା ପରେ ଘରକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନେ ଆଉ ରାଜ୍ୟ ବାହାରକୁ ଯିବା ପାଇଁ ମନ କରିନଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତି ସେମାନଙ୍କୁ ପୁଣି ବାଧ୍ୟ କଲାଣି। ଏହା ହେଉଛି ବାଲିଅନ୍ତା ବ୍ଲକର ମନରେଗା ଯୋଜନା ଚିତ୍ର।

ମନରେଗା ଯୋଜନାରେ ସରକଣା ପଞ୍ଚାୟତ ପୋଖରୀ ଖନନ କାର୍ଯ୍ୟରେ ନିୟୋଜିତ ଜବ୍‌କାର୍ଡଧାରୀମାନଙ୍କୁ ମଜୁରି ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ଫଳରେ ଏହି ପଞ୍ଚାୟତ‌ରେ ମନରେଗା ଯୋଜନାର ଅନେକ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି। ନିୟମାନୁଯାୟୀ ଉକ୍ତ ଯୋଜନାରେ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଜୁରି ଟଙ୍କା ୭ ଦିନ ଭିତରେ ଯିବା କଥା। କିନ୍ତୁ ମାସ ମାସ ପରେ ମଧ୍ୟ ମଜୁରି ଟଙ୍କା ଖାତାକୁ ଆସୁନାହିଁ। ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସଙ୍କ ସୂଚନା ଅନୁଯାୟୀ, ସମଗ୍ର ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପରେ ୪୮୦ ଦିନ କର୍ମ ଦିବସ ହେଲାଣି। ଏହା ମଧ୍ୟରେ ୧ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଜବକାର୍ଡଧାରୀଙ୍କ ବ୍ୟାଙ୍କ ଖାତାକୁ ମଜୁରି ଟଙ୍କା ଯାଇନାହିଁ। ତେଣୁ ଶ୍ରମିକମାନେ ଘୋର ଅଭାବ ଅନଟନରେ ଦିନ କାଟୁଛନ୍ତି। ସେମାନେ ବକେୟା ମଜୁରିରେ କାମ କରିବାକୁ ମନ କରୁନାହାନ୍ତି। ତେଣୁ ରଣପୁର ଗୁଡ଼ିଆଘର ପୋଖରୀ ଖନନ, ଆଙ୍କୁସାର, ଶଙ୍ଖଘରପୋଖରୀ, ରଣପୁର – କାଜିପୁର କଚ୍ଚା ରାସ୍ତା, ଲୁଣା ରାସ୍ତା, ବିଲିପଡ଼ା ଶ୍ମଶାନ ରାସ୍ତା ଆଦି ପ୍ରକଳ୍ପ କାର୍ଯ୍ୟ ଅଧାରେ ବନ୍ଦ ରହିଛି ବୋଲି ସରପଞ୍ଚ ଶ୍ରୀ ଦାସ କହିଛନ୍ତି। ଏ ସଂପର୍କରେ ବିଡିଓ ଆଦିକନ୍ଦ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମନରେଗା ଆକାଉଣ୍ଟରେ ଟଙ୍କା ନାହିଁ। ଏହି ଯୋଜନା ଟଙ୍କା ମିଳିବା ମାତ୍ରେ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ତୁରନ୍ତ ଟଙ୍କା ପଠାଇ ଦିଆଯିବ। ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ପଚାରିବାରେ ସେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଥିଲେ। ମନରେଗା ଅନୁଦାନ ଅର୍ଥ ଯୋଗାଣରେ କେନ୍ଦ୍ର ଅବହେଳା ପ୍ରଦର୍ଶନ କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ଓ ସେ ଏନେଇ ଆସନ୍ତା ବିଧାନସଭା ଅଧିବେଶନରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଯୋଜନାରେ ମୂଲ ଲାଗିବା ସତ୍ତ୍ବେ ମଜୁରି ମିଳୁ ନଥିବାରୁ ପଞ୍ଚାୟତ ଅଞ୍ଚଳର ୯୮ଜଣ ଶ୍ରମିକ ଏବେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଲକ୍‌ଡାଉନ୍‌ ବେଳେ ସେମାନେ ମୁମ୍ବାଇ, କେରଳ, ସୁରଟ ଓ ପଶ୍ଚିମବଙ୍ଗରୁ ଘରକୁ ଫେରିଥିଲେ। ଏଠି ଭୋକ ଉପାସରେ ରହି ହନ୍ତସନ୍ତ ହେବା ଅପେକ୍ଷା ପୁଣି ସେଠାରେ ଥିବା କଳକାରଖାନାରେ କାମ କରିବାକୁ ଫେରିଯିବେ ବୋଲି କହିଛନ୍ତି। ସେମାନଙ୍କ ଭିତରୁ ଅନେକ ଟ୍ରେନ୍‌ ଟିକେଟ୍‌ କରି ସାରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର