ଭୁବନେଶ୍ୱର: ଘରେ ହଠାତ କୌଣସି ପରିବାର ସଦସ୍ୟଙ୍କ ଦେହ ଖରାପ ହୋଇଗଲେ ବା ପରିବାରର କାହାର ଦୁର୍ଘଟଣା ହୋଇଗଲେ ଆପଣଙ୍କୁ ଆମ୍ବୁଲାନ୍ସଟିଏ ଆବଶ୍ୟକ ପଡିଥାଏ | କିଭଳି ପରିବାର ସଦସ୍ୟ ଶୀଘ୍ର ମେଡିକାଲରେ ପହଁଚିବେ ସେ ନେଇ ଆପଣ ଚିନ୍ତାରେ ପଡିଯାଆନ୍ତି | ଆଉ ଆପଣଙ୍କ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ୍ବୁଲାନ୍ସ ମାଲିକମାନେ ମନଇଚ୍ଛା ମୂଲ୍ୟ ମଧ୍ୟ କହିଥାନ୍ତି | ତେବେ ଏସବୁରୁ ନିସ୍ତାର ଦେବା ପାଇଁ ଏବେ ଭୁବନେଶ୍ୱରର ୬ ଜଣ ସାଙ୍ଗ ମିଶି ପ୍ରସ୍ତୁତ କରିଛନ୍ତି ଏକ ଅଭିନବ ଆପ | ଏହି ଆପ ମାଧ୍ୟମରେ ଜଣେ ବ୍ୟକ୍ତି ମାତ୍ର ଗୋଟିଏ କ୍ଳିକରେ ଆମ୍ବୁଲାନ୍ସ ବୁକିଂ କରିବା ସହ ଆମ୍ବୁଲାନ୍ସର ମୂଲ୍ୟ ବାବଦରେ ମଧ୍ୟ ଜାଣିପାରିବେ | ଓଡ଼ିଶାରେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ‘ମୋ ଆମ୍ବୁଲାନ୍ସ’ ବା ‘Mo AMBULANCE ‘ ନାମରେ ଆପ ପ୍ରସ୍ତୁତ କରିଛନ୍ତି ଦୀପ୍ତି ସୁନ୍ଦର ମହାନ୍ତି ଓ ତାଙ୍କ ସହଯୋଗୀ |
Sambad is now on WhatsApp
Join and get latest news updates delivered to you via WhatsApp
ଦୀପ୍ତିଙ୍କ କହିବା କଥା ଯେ ଗତବର୍ଷ କୋଭିଡ ସମୟରେ ଲୋକଙ୍କ ପାଖରେ ଆମ୍ବୁଲାନ୍ସ ଅଭାବ ସାଙ୍ଗକୁ ଆମ୍ବୁଲାନ୍ସ ମାଲିକଙ୍କ ମନଇଚ୍ଛା ମୂଲ୍ୟକୁ ଦେଖି ସେ ଏଭଳି ଏକ ଆପ ବାବଦରେ ଚିନ୍ତା କରିଥିଲେ | ଉନ୍ନତ ମାନର ଆମ୍ବୁଲାନ୍ସ, ଉଚିତ ମୂଲ୍ୟ ଓ ସଠିକ ସମୟରେ ଆମ୍ବୁଲାନ୍ସ କିଭଳି ପହଂଚିପାରିବ ତାହାକୁ ଗୁରୁତ୍ୱ ଦିଆଯାଇଛି | ବଡ କଥା ଯେ ଜଣଙ୍କର ଅମୁଲ୍ୟ ଜୀବନ କିଭଳି ବଂଚିଯାଇପାରିବ ତାହା ହିଁ ମୋ ଆମ୍ବୁଲାନ୍ସ କରିବାର ମୂଳ ଉଦ୍ଦେଶ୍ୟ | କାରଣ ଅନେକ ସମୟରେ ଠିକ ସମୟରେ ମେଡିକାଲରେ ପହଞ୍ଚିନପାରିବାରୁ ରୋଗୀଙ୍କର ମୃତ୍ୟୁ ହୋଇଯାଇଥାଏ
ଗୁଗୁଲ ପ୍ଲେ ଷ୍ଟୋରରେ ଖୁବ ସହଜରେ ଉପଲବ୍ଧ ଏହି ଆପକୁ ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିବାବେଳେ ଲୋକଙ୍କ ମଧ୍ୟରେ ଏହା ଲୋକପ୍ରିୟ ହେବାରେ ଲାଗିଛି | ଠିକ ସେଥିପାଇଁ ତ ମାତ୍ର ମାସକ ମଧ୍ୟରେ ୧୫୦ରୁ ଅଧିକ ଥର ଆପ ମାଧ୍ୟମରେ ଆମ୍ବୁଲାନ୍ସ ବୁକିଂ କରାଯାଇଛି | ସେହିପରି ଯେଉଁମାନେ ଆପ ମାଧ୍ୟମରେ ଆମ୍ବୁଲାନ୍ସ ବୁକିଂ କରିପାରୁନାହାନ୍ତି ସେମାନଙ୍କ ପାଇଁ ଟୋଲ ଫ୍ରି ନମ୍ବର(1800-2572-115) ମଧ୍ୟ ରଖାଯାଇଛି | ଜଣେ ପବ୍ଲିକ ହେଲଥ ସ୍ପେସାଲିଷ୍ଟ ଭାବେ ଦୀର୍ଘ ବର୍ଷ ଧରି କାମ କରୁଥିବା ଦୀପ୍ତି ନିଜର ଆପରେ ଆମ୍ବୁଲାନ୍ସର ଅନଲାଇନ ଟ୍ରାକିଙ୍ଗ ସହ ବୁକିଂ ପୂର୍ବରୁ ମୂଲ୍ୟ ଜାଣିବା ଭଳି ସୁବିଧା ମଧ୍ୟ ରଖିଛନ୍ତି |
ସେହିପରି ଆମ୍ବୁଲାନ୍ସ ବୁକିଂ କରିବା ମାତ୍ରେ ଆପଣ ଚାଁହୁଥିବା ମେଡିକାଲ ସହ ମଧ୍ୟ ଆପଣଙ୍କୁ ଯୋଗାଯୋଗ କରାଇଦେବାର ବ୍ୟବସ୍ଥା ଏହି ଆପରେ ରହିଛି | ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସାଙ୍ଗକୁ ପ୍ରତି ଆମ୍ବୁଲାନ୍ସରେ ଜଣେ ଫାର୍ମାସିଷ୍ଟ ରହିବା ଭଳି ସୁବିଧା ମୋ ଆମ୍ବୁଲାନ୍ସ ପକ୍ଷରୁ ବ୍ୟବସ୍ଥା କରାଯାଇଛି | ଯେଉଁଥିରେ ଜଣେ ଯେକୌଣସି ମୁହୂର୍ତ୍ତରେ ଆମ୍ବୁଲାନ୍ସଟିଏ ବୁକ କରିପାରିବ |