କଟକ: ମଦ ପିଇଛନ୍ତି କି ନାହିଁ ପରୀକ୍ଷା କରିବା ପାଇଁ ପ୍ରତି ଦିନ ମୋ ବସ୍ ଡ୍ରାଇଭର୍‌ଙ୍କ ‘ବ୍ରେଥ୍‌ ଆନାଲାଇଜର୍‌ ଟେଷ୍ଟ’ ହେବ। କଟକ ସହରରେ ମୋ ବସ୍‌ ଡ୍ରାଇଭର୍‌ଙ୍କ ଏପରି ପରୀକ୍ଷା ଯାତ୍ରା ଆରମ୍ଭ ସ୍ଥାନରେ କରାଯିବ। ବାଟରେ ମଧ୍ୟ ବିନା ପୂର୍ବ ସୂଚନାରେ ବିଭିନ୍ନ ସମୟରେ ପରୀକ୍ଷା କରାଯିବ। ‌ଏ ସମ୍ପର୍କିତ ରିପୋର୍ଟ ‘କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ’ ଟ୍ରାନ୍ସପୋର୍ଟ’(ସିଆର୍‌ୟୁଟି) ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍ କରାଯିବ। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ମୋ ବସ୍ ବେପରୱା ଭାବେ ଚଳାଇବା ଅଭିଯୋଗ ପ୍ରସଙ୍ଗରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୩୦ର ନିର୍ଦ୍ଦେଶ ପାଳନ କରି ଆଜି ସିଆର୍‌ୟୁଟି ଏମ୍‌ଡି ଥିରୁମାଲା ନାୟକ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇଥିଲେ। ଏମ୍‌ଡିଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଡ୍ରାଇଭର୍‌ଙ୍କ ତାଲିମ ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।

Advertisment

ପ୍ରତିଦିନ  ହେବ ଡ୍ରାଇଭର୍‌ଙ୍କ ‘ମଦ’ ପରୀକ୍ଷା
ସିଆର୍‌ୟୁଟି ଏମ୍‌ଡି, ଓଏସ୍‌ଆର୍‌ଟିସି ସିଏମ୍‌ଡି ହାଜର
ଏଜେନ୍ସି ସହିତ ଚୁକ୍ତି ଓ ଅନ୍ୟ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ ନିର୍ଦ୍ଦେଶ

ଡିଜେଲ୍‌ ବସ୍ ବେଗ ଘଣ୍ଟାକୁ ୫୦ରୁ ୪୦ ଓ ଇଲେକ୍ଟ୍ରିକ୍‌ ବସ୍ ବେଗ ୫୦ରୁ ୩୫ କିମିକୁ ହ୍ରାସ କରାଯାଇଛି। ମଦ ପିଇ ଗାଡ଼ି ଚଳାଉଥିବା ୧୮ ଡ୍ରାଇଭର୍‌ଙ୍କୁ ଦାୟିତ୍ବରୁ ଅନ୍ତର କରାଯାଇଛି। ସିଆର୍‌ୟୁଟି ୭ଟି ଅପରେଟର୍‌ଙ୍କୁ ଚୟନ କରିଛି। ଅପରେଟେର୍‌ ମୋ ବସ୍ ପାଇଁ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ ନିୟୋଜିତ କରୁଛନ୍ତି। ୨୧ଟି ରୁଟ୍‌ରେ ୯୪ଟି ମୋ ବସ୍ କଟକ ସହରରେ ଚଳାଚଳ କରୁଛି। ୨୦୨୪ରେ ୨ଶହ ଦୁର୍ଘଟଣାକୁ ନେଇ ମୋ ବସ୍ ବିରୋଧରେ ରିପୋର୍ଟ ରହିଛି ବୋଲି ସିଆର୍‌ୟୁଟି ଏମ୍‌ଡିଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଓଏସ୍‌ଆର୍‌ଟିସି ସିଏମ୍‌ଡି ଦୀପ୍ତେଶ ପଟ୍ଟନାୟକ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ଦର୍ଶାଇଥିଲେ ଯେ ଗ୍ରମାଞ୍ଚଳ ରାସ୍ତାରେ ଚାଲୁଥିବା ଏଲ୍‌ଏସିସିଏମ୍‌ଆଇ ବସ୍ ପାଇଁ ଦକ୍ଷ ଡ୍ରାଇଭର୍‌ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି। ବସ୍ ଭିତରେ କ୍ୟାମେରା, ସେନ୍‌ସର୍‌ ଇତ୍ୟାଦି ବ୍ୟବସ୍ଥା କରାଯାଇଛି; ଯାହା ଦ୍ବାରା ବେପରୱା ଓ ମଦ ପିଇ ଗାଡ଼ି ଚାଳନା ଘଟଣା ଜଣାପଡ଼ିବ। ଓଏସ୍‌ଆର୍‌ଟିସି ତରଫରୁ ସଡ଼କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରେକର୍ଡ ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ ସିଆର୍‌ୟୁଟି ଏମ୍‌ଡିଙ୍କ ସତ୍ୟପାଠ ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟର୍ମିନାଲ୍‌ରୁ ମୋ ବସ୍ ଛାଡ଼ିବା ସମୟରେ ବସ୍ ଓ ଡ୍ରାଇଭରଙ୍କ ସ୍ଥିତି ଯାଞ୍ଚ ପାଇଁ ସିଆର୍‌ୟୁଟି ପକ୍ଷରୁ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ନିୟମିତ ଭାବେ ବ୍ରେଥ୍‌ ଆନାଲାଇଜର୍‌ ଟେଷ୍ଟ କରାଯାଉଛି କି ନାହିଁ ସେ ନେଇ ଏମ୍‌ଡି ଶ୍ରୀ ନାୟକ ସନ୍ତୋଷଜନ ଉତ୍ତର ଦେଇପାରି ନଥିଲେ। ସିଆର୍‌ୟୁଟି ଓ ମୋ ବସ୍ ଚଳାଉଥିବା ଅପରେଟର୍‌ ‌ଏଜେନ୍ସି ମଧ୍ୟରେ ହୋଇଥିବା ଚୁକ୍ତିର ବିତ୍ତୀୟ ବିବରଣୀ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଜେନ୍ସି କେତେ ଟଙ୍କା ଚୁକ୍ତି ବାବଦ ପ୍ରଦାନ କରୁଛି? ଡ୍ରାଇଭରଙ୍କ ପାଇଁ ପ୍ରତିଦିନ ସର୍ବନିମ୍ନ କେତେ କିଲୋମିଟର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି? ଅଧିକ ଦୂର ଚଳାଉଥିବା ଡ୍ରାଇଭର୍‌ଙ୍କୁ ଦରମା ବାଦ୍‌ କ’ଣ ପ୍ରାପ୍ୟ ପ୍ରଦାନ କରାଯାଉଛି? ଯଦି ଅଘଟଣ ହୁଏ ତେବେ ଏଜେନ୍ସି ଉପରେ ସିଆର୍‌ୟୁଟିର କେତେ ଦୂର ନିୟନ୍ତ୍ରଣ ରହିଛି ? ସେ ନେଇ ସତ୍ୟପାଠରେ ଉଲ୍ଲେଖ କରିବାକୁ ହାଇକୋର୍ଟ କହିଛନ୍ତି। ସେହିଭଳି ଭାବେ କଟକ ସହର ଭିତରେ ଛୋଟ ଓ ରିଂରୋଡ୍ ରାସ୍ତାରେ ବଡ଼ ‌ଆକାରର ମୋ ବସ୍ ଚଳାଇବା ପାଇଁ ସିଆର୍‌ୟୁଟି କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ। ଡ୍ରାଇଭର୍‌ଙ୍କୁ ୮ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।