ଭୁବନେଶ୍ବର : କରୋନା ପାଇଁ ପରିବହନ ବିଭାଗ ପକ୍ଷରୁ ଆବଶ୍ୟକ ନ ଥିଲେ ବସ୍ରେ ଯାତ୍ରା ନ କରିବାକୁ କୁହାଯିବା ପରେ ଏବେ ମୋ ବସ୍ରେ ଯାତ୍ରୀ ସଂଖ୍ୟା କମିଯାଇଛି। ଏପରିକି ସପ୍ତାହକରେ ପ୍ରାୟ ୫୦ହଜାର ଯାତ୍ରୀ କମିଛନ୍ତି। କ୍ରୁଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୧ ତାରିଖରେ ୧,୨୫,୮୦୩ଜଣ ଯାତ୍ରା କରିଥିବା ବେଳେ ମାର୍ଚ୍ଚ ୧୭ରେ ୭୫,୭୬୬ଜଣ ଯାତ୍ରା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, ମାର୍ଚ୍ଚ ୧୧ ପରଠାରୁ ଯାତ୍ରୀ ସଂଖ୍ୟା କମିବାରେ ଲାଗିଛି। ମାର୍ଚ୍ଚ ୧୧ରେ ୧,୨୫,୮୦୩ଜଣ ଯାତ୍ରା କରିଥିବାବେଳେ, ମାର୍ଚ୍ଚ ୧୨ରେ ୧,୦୯,୬୭୫, ମାର୍ଚ୍ଚ ୧୩ରେ ୧,୦୮,୭୮୪, ମାର୍ଚ୍ଚ ୧୪ରେ ୯୧,୫୮୬, ମାର୍ଚ୍ଚ ୧୫ରେ ୮୦,୧୧୮, ମାର୍ଚ୍ଚ ୧୬ରେ ୯୯,୪୭୬ ଏବଂ ମାର୍ଚ୍ଚ ୧୭ରେ ୭୫,୭୬୬ଜଣ ଯାତ୍ରା କରିଛନ୍ତି।
ଅପରପକ୍ଷେ କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, ବସ୍ ଯାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ମୋ ବସ୍ ଏବଂ ବସ୍ ରହଣୀସ୍ଥଳଗୁଡ଼ିକର ନିୟମିତ ସଫେଇ କରାଯାଉଛି। ଯେଉଁ ସ୍ଥାନଗୁଡ଼ିକରେ ଭୂତାଣୁ ସଂକ୍ରମଣର ଆଶଙ୍କା ରହିଥାଏ ଯଥା ସିଟ୍, ହ୍ୟାଣ୍ଡେଲ୍, ହାତ ରଖିବା ସ୍ଥାନ ଆଦିକୁ ପ୍ରତିଦିନ ଆଲକହଲ୍ ଯୁକ୍ତ ବିଶୋଧକରେ ସଫା କରାଯାଉଛି। ୨୦୦ଟି ଯାକ ବସ୍ଷ୍ଟପ୍କୁ ରାତି ୧୦ଟାରୁ ୧୧ଟା ମଧ୍ୟରେ ଏବଂ ସମସ୍ତ ବସ୍କୁ ରାତି ୧୧ଟାରୁ ଭୋର୍ ୫ଟା ମଧ୍ୟରେ ବିଶୋଧନ କରାଯାଉଛି। ଏହାସହ ବସ୍ରେ ଯାତ୍ରୀଙ୍କୁ ସଚେତନ ବି କରାଯାଉଛି।
ମାସ୍କ ପିନ୍ଧୁନାହାନ୍ତି କର୍ମଚାରୀ
ଭୁବନେଶ୍ବର : ‘ମୋ ବସ’ କର୍ମଚାରୀମାନଙ୍କୁ ମାସ୍କ ଯୋଗାଇ ଦିଆଯାଇଛି। ମାତ୍ର ଅଧିକାଂଶ କର୍ମଚାରୀ ଏହାକୁ ବ୍ୟବହାର କରୁନାହାନ୍ତି। ସରକାରୀ ସ୍ତରରେ ବାରମ୍ବାର ମାସ୍କ ପିନ୍ଧିବା ଓ ବିଭିନ୍ନ ସଚେତନତା ଆପଣାଇବା ପାଇଁ କୁହାଯାଉଥିଲେ ହେଁ ଅନେକ ଏହାକୁ ପାଳନ କରୁନାହାନ୍ତି। ତେଣୁ ପୁଲିସ, ଟ୍ରାଫିକ ପୁଲିସ, ‘ମୋ ବସ’ କର୍ମଚାରୀମାନେ ମଧ୍ୟ ମାସ୍କ ପିନ୍ଧିବାକୁ ନିର୍ଦେଶ ଦିଆଯାଉ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ବସ୍ରେ କଣ୍ଡକ୍ଟର ହାତ ଧୋଇବେ, ଧୁଆଇବେ
ବିଏମ୍ସି ଜାରି କଲା ଏସ୍ଓପି
ଯାତ୍ରୀଙ୍କ ଭିତରେ ୧ମିଟର ଦୂରତା ରଖିବେ
ଯାତ୍ରୀ ଓହ୍ଲାଇଲେ ବିଶୋଧକରେ ସଫା କରିବେଭୁବେନଶ୍ବର : ବିଏମ୍ସି ପକ୍ଷରୁ ରାଜଧାନୀରେ ଗଡ଼ୁଥିବା ସମସ୍ତ ବସ୍, ଟ୍ୟାକ୍ସି, ଅଟୋ ପାଇଁ ଏସ୍ଓପି ଜାରି ହୋଇଛି। ସମସ୍ତେ ଗାଡ଼ିକୁ ବିଶୋଧକରେ ସଫା କରିବେ ଏବଂ ଯାତ୍ରୀଙ୍କୁ ହ୍ୟାଣ୍ଡୱାସ୍ ଓ ସାନିଟାଇଜର୍ ଦ୍ବାରା ହାତ ସଫା କରାଇବେ। ବସ୍ର କଣ୍ଡକ୍ଟରମାନେ ନିଜ ହାତ ଧୋଇବା ସହ ଡ୍ରାଇଭର, ହେଲ୍ପର ଏବଂ ଯାତ୍ରୀମାନଙ୍କୁ ହାତ ଧୋଇବାକୁ କହିବେ। ସମସ୍ତଙ୍କ ହାତ ଧୋଇ ଗାଡ଼ିରେ ଚଢ଼ାଇବେ। ଯାତ୍ରା ସମୟରେ କିଛି ସମୟ ବ୍ୟବଧାନରେ ସମସ୍ତଙ୍କ ହାତ ଧୋଇବା ବ୍ୟବସ୍ଥା କରିବେ।
ବସ୍ରେ ଯାତ୍ରୀଙ୍କ ମଧ୍ୟରେ ୧ମିଟର ଦୂରତା ରଖିବାର ବ୍ୟବସ୍ଥା କରିବେ। ବସ୍ ରହିବା ପରେ ପୂରା ବସ୍କୁ ବିଶୋଧକ ଦ୍ବାରା ସଫା କରିବା ସହ ବସ୍ର ସିଟ୍, ଝରକା କାଚ, ଆଗ କାଚ, ଗିଅର ବକ୍ସ, ନବ୍ ହ୍ୟାଣ୍ଡେଲ୍, ସୁଇଚ୍, ବ୍ୟାଗେଜ୍ କ୍ୟାରିଅର ଆଦିକୁ ସଫା କରିବେ। ଯଦି କୌଣସି କର୍ମଚାରୀଙ୍କର ଥଣ୍ଡା, ଜ୍ବର, କାଶ ହେଉଥିବ ତେବେ ସେମାନଙ୍କୁ ଘରେ ରହିବାକୁ କହିବାକୁ ବସ୍ ମାଲିକମାନଙ୍କୁ କୁହାଯାଇଛି। ଏପରିକି ବସ୍ କଣ୍ଡକ୍ଟରମାନେ ଯେଉଁ ଯାତ୍ରୀଙ୍କର ଥଣ୍ଡା, ଜ୍ବର, କାଶ ହେଉଥିବ ସେମାନଙ୍କୁ ବସ୍ରେ ଯାତ୍ରା ନକରିବାକୁ କହିବେ। ସେହିପରି ଅଟୋ ଓ ଟ୍ୟାକ୍ସି ଚାଳକମାନେ ଗାଡ଼ିର ସିଟ୍, ଝରକା, ହ୍ୟାଣ୍ଡେଲ୍, ଷ୍ଟିଅରିଂ ଆଦିକୁ ନିୟମିତ ସଫା କରିବେ। ଥଣ୍ଡା, କାଶ ହେଉଥିଲେ ଗାଡ଼ି ଚଳାଇବେନି। ଅଟୋରେ ଯେପରି ଅଧିକ ଲୋକ ଯାତ୍ରା ନକରିବେ ସେଥିପ୍ରତି ଧ୍ୟାନ ଦେବେ।