ମୋ’ ବସ୍‌ରେ ଯୋଗାଯାଉଛି ଅତ୍ୟାବଶ୍ୟକ ସାମଗ୍ରୀ

ବିପତ୍ତି ବେଳେ ନିଜ ଲୋକଙ୍କ ପାଖରେ ଛିଡ଼ା ହେଲା ପ୍ରଡକ୍ସନ ୟୁନିଟ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ୫ଟି ଯାକ ସଂକ୍ରମିତ ଜୋନ୍‌ ବମିଖାଲ, ସୂର୍ଯ୍ୟନଗର, ଆଜାଦ ନଗର, ସତ୍ୟନଗର ଓ ଯଦୁପୁର ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ପ୍ରଥମ କିଛି ଦିନ ଟାଟା ଏସି ଓ ମିନି ଟ୍ରକ୍‌ରେ ସାମଗ୍ରୀ ନେଇ ବିଭିନ୍ନ ସଂକ୍ରମିତ ଅଞ୍ଚଳରେ ବାଣ୍ଟିବା ପରେ ଏବେ ମୋ’ ବସ୍‌ରେ ଏହି ସବୁ ସାମଗ୍ରୀ ଯୋଗାଣ ହେବ। ଆଜି ସୂର୍ଯ୍ୟନଗର, ଝାରପଡ଼ା ଓ ବମିଖାଲ ଅଞ୍ଚଳରେ ମୋ’ ବସ୍‌ ଯୋଗେ ପରିବା, ସଉଦା ଓ ଫଳ ଆଦି ଯୋଗାଣ ହୋଇଛି। ସଂକ୍ରମିତ ଜୋନ୍‌ରେ ରିଲିଫ ବାଣ୍ଟିବ‌ା ପାଇଁ କ୍ରୁଟ୍‌ ପକ୍ଷରୁ ଦୁଇଟି ମୋ’ ବସ୍‌ ବିଏମ୍‌ସିକୁ ଯୋଗାଇ ଦିଆଯାଇଥିବ‌ା ବେଳେ ଏଥିରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଉଛି। ଆଜି ଦୁଇଟି ବଡ଼ ମୋ’ ବସରେ ୮ରୁ ୧୦ଜଣ ଲେଖାଏ ବ୍ୟବସାୟୀଙ୍କୁ ନେଇ ଏହି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟା ଯାଇଥିଲା। ଆଜି ପ୍ରଥମ ଦିନରେ ସମସ୍ତ ଫଳ ବିକ୍ରି ହୋଇଯାଇଥିବା ବେଳେ ୮୦% ସଉଦା ଓ ପରିବା ବିକ୍ରି ହୋଇଯାଇଛି। ରବିବାର ଅନ୍ୟ ସଂକ୍ରମିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟାଯିବ ବୋଲି କୁହାଯାଇଛି।

ବିପତ୍ତି ବେଳେ ନିଜ ଲୋକଙ୍କ ପାଖରେ ଛିଡ଼ା ହେଲା ପ୍ରଡକ୍ସନ ୟୁନିଟ
ଭୁବନେଶ୍ବର : ଦିନ ମଜୁରିଆ ‌ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ଭାତ ହାଣ୍ଡି ଉପରେ କରୋନା ସଂକ୍ରମଣ ସିଧାସଳଖ ଆକ୍ରମଣ କରିଛି। ତେବେ ଏ ବିପତ୍ତିରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ପାଇଁ ବଞ୍ଚିଯାଇଛି ସେଇ ଶ୍ରମିକଙ୍କ ପରିବାର। କଥାରେ ଅଛି ପଡ଼ିଶା ଘର ଓ ନିଜର ଲୋକମାନେ ହିଁ ଅନ୍ୟର ଦୁଃଖକୁ ଶୀଘ୍ର ଉପଲବ୍ଧି କରିପାରନ୍ତି। ଚଳଚ୍ଚିତ୍ର ଓ ଧାରାବାହିକ ଶିଳ୍ପରେ ମଧ୍ୟ ସେଇଭଳି ଦିନ ମଜୁରିଆ ଶ୍ରେଣୀର ବ୍ୟକ୍ତିବିଶେଷ କାମ କରୁଥିବାରୁ ତାଙ୍କ ଦୁଃଖକୁ ଉପଲବ୍ଧି କରିପାରିଛି ପ୍ରଡକ୍ସନ ୟୁନିଟ୍‌ ଓ ପ୍ରଯୋଜନା ସଂସ୍ଥା। ଜି-ଗ୍ରୁପ୍‌ ଓ ଜି-ସାର୍ଥକ ପକ୍ଷରୁ ତା’ ଅଧୀନରେ କାମ କରୁଥିବା ସେହିଭଳି ଦିନ ମଜୁରିଆ ବ୍ୟକ୍ତିବିଶେଷଙ୍କୁ ଗୋଟେ ମାସ ଚଳିବା ପାଇଁ ଆବଶ୍ୟକ ଅର୍ଥ ଆଗୁଆ ଯୋଗାଇ ଦିଆଯାଇଛି। ଏହା ନିଶ୍ଚିତ ଏକ ଅନୁକରଣୀୟ ପଦକ୍ଷେପ। ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପ୍ରଡକ୍ସନ ସଂସ୍ଥା ଅକ୍ଷୟ ପରିଜା ପ୍ରଡକ୍ସନ ମଧ୍ୟ ଏହି ବିପତ୍ତିକାଳୀନ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛି। ତାଙ୍କ ପ୍ରଡକ୍ସନ ୟୁନିଟ୍‌ରେ ବର୍ଷ ତମାମ ଦୈନିକ ମଜୁରି ନେଇ କାମ କରି ଆସୁଥିବା ଲାଇଟ୍‌ ବୟ, ସ୍ପଟ ବୟ, କ୍ୟାମେରା ସହାୟକ ଭାବେ କାମ କରୁଥିବା ୪୮ ଜଣଙ୍କୁ ସପ୍ତାହକୁ ୨ଶହ ଟଙ୍କା ଲେଖାଏ ପ୍ରଦାନ କରୁଛନ୍ତି। ୧୫ ଦିନ ପାଇଁ ଶ୍ରୀ ପରିଜା ଏହି ଟଙ୍କା ଦେଇ ସାରିଥିବା ବେଳେ ଆସନ୍ତା ୧୫ ଦିନ ପାଇଁ ମଧ୍ୟ ସେ ଏହି ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର