ଆନ୍ଦୋଳନରୁ ଓହରିଲେ ‘ମୋ ବସ୍‌’ କ୍ୟାପ୍‌ଟେନ୍‌

ଭୁବନେଶ୍ବର : ଦରମା ବୃଦ୍ଧି ଦାବିରେ ‘ମୋ ବସ୍‌’ କ୍ୟା‌ପ୍‌ଟେନ୍‌ମାନେ କରିଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ଆଜି ରାଜଧାନୀର ବିଭିନ୍ନ ରୁଟ୍‌ରେ ବସ୍‌ ଚଳାଚଳ ପ୍ରଭାବିତ ହୋଇଥିଲା। କିନ୍ତୁ ଏନେଇ କ୍ରୁଟ୍‌ କର୍ତ୍ତୃପକ୍ଷ ଓ କ୍ୟାପ୍‌ଟେନ୍‌ମାନଙ୍କୁ ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ବା ଭେଣ୍ଡର ସହ ଆଲୋଚନା ହେବା ପରେ ସକାଳ ୯ଟା ପରେ ବସ୍ ଚଳାଚଳ ସ୍ବାଭାବିକ ହୋଇଥିଲା।

କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା କ୍ୟାପ୍‌ଟେନ୍‌ମାନଙ୍କ ଅଭିଯୋଗ ଅନୁସାରେ ସେମାନଙ୍କୁ ମାସିକ ୨୬ ଦିନ କାମ ପାଇଁ ପାଖାପାଖି ୧୨ ହଜାର ଟଙ୍କା ମିଳୁଛି। ଆଜିର ମହଙ୍ଗା ବଜାରରେ ଏତିକି ଦରମାରେ ଚଳିବା କଷ୍ଟକର ହୋଇପଡ଼ୁଛି। ଭୁବନେଶ୍ବରରେ ଘରଭଡ଼ା, ପିଲାଙ୍କ ପଢ଼ା ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ପା‌ଇଁ ପେଟକୁ କାଟିବାକୁ ପଡ଼ୁଛି। ତେଣୁ ମାସିକ ୧୮ ହଜାର ଟଙ୍କା ଦରମା ମିଳୁ ବୋଲି ସେମାନେ ଦାବି କରିଥିଲେ ଓ କର୍ତ୍ତୃପକ୍ଷ ବିଚାର ନ କଲେ ସେମାନେ ବସ୍‌ରେ ଚଢ଼ିବେ ନା‌ହିଁ ବୋଲି ଅଡ଼ି ବସିଥିଲେ। ଫଳରେ ସକାଳୁ ବସ୍‌ ଚଳାଚଳ ବନ୍ଦ ହୋଇଯାଇଥିଲା। ଏ ନେଇ କ୍ରୁଟ୍‌ କର୍ତ୍ତୃପକ୍ଷ ତୁରନ୍ତ ଟେଣ୍ଡର ନେଇଥିବା ଅପରେଟର ‘ଟ୍ରାଭେଲ୍‌ ଟାଇମ୍‌’ ସହ ଆଲୋଚନା କରିଥିଲେ। ବସ୍‌ ଚଳାଚଳ ଯେଭଳି ପ୍ରଭାବିତ ହେବ ନାହିଁ, ସେ ଦିଗରେ ଧ୍ୟାନ ଦେବା ପାଇଁ ସମ୍ପୃକ୍ତ ଠିକା‌ ସଂସ୍ଥାକୁ ତାଗିଦ୍‌ କରିଥିଲେ। ଏହା ପରେ ବସ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ଆସନ୍ତାକାଲିଠାରୁ ‘ମୋ ବସ୍‌’ ଚଳାଚଳ‌ରେ କୌଣସି ସମସ୍ୟା ରହିବ ନାହିଁ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର