ଚନ୍ଦ୍ରଶେଖପୁର: ଆଜି ରାତି ପ୍ରାୟ ନଅଟା ବେଳେ କିଟ୍ ବିଗ୍ବଜାର ଛକ ନିକଟରେ ମୋ’ ବସ୍ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆହତ ଯୁବକ ଜଣକ ଶିଖରଚଣ୍ଡୀ ବସ୍ତିର ପି.କେଶୁ ରେଡ୍ଡୀ(୪୫)। ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ କେଶୁଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲ୍କୁ ପଠାଇଛି। ମୋ’ ବସ୍ ଚାଳକର ବେପରୁଆ ଗାଡ଼ି ଚାଳନାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ତେଣୁ ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ବସ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯିବାରୁ ଲୋକେ ରାଗରେ ବସ୍କୁ ଢେଲା ମାଡ଼ କରି ଭଙ୍ଗାରୁଜା କରିଥିଲେ। ବାରମ୍ବାର ଏଠାରେ ମୋ’ ବସ୍ ଦୁର୍ଘଟଣା ଘଟାଉଥିବାରୁ ଲୋକେ ଉତ୍କ୍ଷିପ୍ତ ହୋଇଉଠିଥିଲେ। ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସେହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ମୋ’ ବସ୍କୁ ଜବତ କରିବା ସହ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ମୋ’ ବସ୍ଟି (ଓଡି ୩୩ ଏଏଚ୍ ୦୧୬୨) କଟକରୁ ଭୁବନେଶ୍ବର ଫେରୁଥିଲା। ଜନଗହଳିପୂର୍ଣ୍ଣ ରାସ୍ତାରେ ବସ୍ ଚାଳକ କିନ୍ତୁ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ। ବସ୍ର ଗତି ବି ବହୁତ ଥିଲା। ଏତିକିବେଳେ ଆର୍ଟିଓ-୨ ଅଫିସ ସମ୍ମୁଖରେ କିଛି ଲୋକ ରାସ୍ତା ପାର୍ ହେଉଥିଲେ। ସେମାନଙ୍କ ଭିତରେ ଥିଲେ କେଶୁ। ସେ କିଛି ଦିନ ହେଲା ଅସୁସ୍ଥ ଥିଲେ ଏବଂ ଏକ ଜରୁରି ଔଷଧ ପାଇଁ ବଜାରକୁ ଆସିଥିଲେ। ସେ ରାସ୍ତା ପାର୍ ହେଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ବସ୍ ତାଙ୍କୁ ଧକ୍କା ଦେଇଥିଲା। କେଶୁ ଛିଟିକି ପଡ଼ିଥିଲେ। କିନ୍ତୁ ଚାଳକ ଗାଡ଼ିକୁ ଅଟକାଇପାରିନଥିଲେ। ଗାଡ଼ିର ଗତି ଅଧିକ ଥିବାରୁ ବସ୍ଟି ଅଟକି ନଥିଲା। ତେଣୁ କିଛି ଦୂରରେ ରାସ୍ତା ଉପରେ ପଡ଼ିଥିବା କେଶୁଙ୍କ ଅଣ୍ଟା ଉପରେ ଆଗ ଚକ ମାଡ଼ି ଯାଇଥିଲା। ଫଳରେ ତାଙ୍କ ନାକ, କାନ ଓ ପାଟିରୁ ରକ୍ତ ବାହାରି ଆସିଥିଲା। ବସ୍ ଚାଳକ ଗାଡ଼ି ଛାଡ଼ି ଅନ୍ଧାର ସୁଯୋଗରେ ଦୌଡ଼ି ପଳାଇଥିଲେ। ବସ୍ ତଳେ କେଶୁ ବଞ୍ଚିଥିବା ଦେଖି ଲୋକେ ପୁଲିସକୁ ଜଣାଇଥିଲେ ଏବଂ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଗତ ସପ୍ତାହରେ ଠିକ୍ ଏହି ଛକରେ ମୋ’ ବସ୍ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିଲେ। ତେଣୁ ଆଜିର ଘଟଣା ଲୋକଙ୍କ ଭିତରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା। ଲୋକଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍ ଉପରେ ରାଗ ଶୁଝାଇଥିଲେ। ଢେଲା ମାଡ଼ କରି ଭଙ୍ଗାରୁଜା କରିଥିଲେ। କିଛି ଦୂରରେ ପିସିଆର୍ ଥିଲେ ମଧ୍ୟ ଘଟଣାସ୍ଥଳରୁ ମୋ’ ବସ୍ ଚାଳକ ଫେରାର୍ ହୋଇଯିବାରୁ ଲୋକେ ପୁଲିସ ଉପରେ ମଧ୍ୟ
ରାଗ ଝାଡ଼ିଥିଲେ।