ଭୁବନେଶ୍ବର: ସହର ଭିତରେ ମାଲ୍ବାହୀ ଗାଡ଼ି ଓ ଘରୋଇ ଯାତ୍ରୀବାହୀ ବସ୍ ଅନାୟାସରେ ଯାତାୟାତ କରିବା କାରଣରୁ ରାସ୍ତା ଜାମ୍ ସହିତ ନିୟମିତ ବ୍ୟବଧାନରେ ଛୋଟବଡ଼ ଦୁର୍ଘଟଣା ଘଟି ମୁଣ୍ଡ ଗଡ଼ୁଛି। ଖାସ୍ ଏହି କାରଣରୁ କମିସନରେଟ୍ ପୁଲିସ, ପରିବହନ ବିଭାଗ, ପୂର୍ତ୍ତ ବିଭାଗ ମିଳିତ ବୈଠକରେ ରାଜଧାନୀ ଭିତରେ ବଡ଼ଗାଡ଼ି ଯାତାୟାତ ନ କରିବା ପାଇଁ ପୂରା ଯୋଜନା ପ୍ରସ୍ତୁତି ହେଲା। ଯୋଜନା ଅନେକାଂଶରେ କାର୍ଯ୍ୟକାରୀ ହୋଇଥିଲେ ବି ଅନେକ ତ୍ରୁଟି ବିଚ୍ୟୁତି ପାଇଁ ଏବେ ବି ସହର ଭିତରେ ବଡ଼ଗାଡ଼ି ଦିନରେ ଗଡ଼ୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଘରୋଇ ବସ୍ ବେପାରୁଆ ଭାବେ ଗାଡ଼ି ଚଳାଉଥିବାରୁ ପ୍ରତିବଦଳରେ ମୋ’ ବସ୍ ଚଳାଯାଇଥିଲା। ମାତ୍ର ଏହି ମୋ’ ବସ୍ ବର୍ତ୍ତମାନ ରାଜଧାନୀବାସୀଙ୍କ କାଳ ପାଲଟିଛି। ମୋ’ ବସ୍ ଡ୍ରାଇଭର୍ଙ୍କ ବେପାରୁଆ ଗାଡ଼ି ଚାଳନା ପାଇଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏପରିକି ଜୀବନ ମଧ୍ୟ ଯାଉଛି।
ଆଜି ରାତି ପ୍ରାୟ ୯ଟା ବେଳେ ଶିରିପୁର ଛକରେ ମୋ’ ବସ୍ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଉଛନ୍ତି, ୟୁନିଟ୍-୩ର ଶିବ ପ୍ରସାଦ ବେହେରା। ଶିବ ବାଇକ୍ ନେଇ ଘରକୁ ଫେରୁଥିବା ବେଳେ ପଛପଟୁ ଆସି ମୋ ବସ୍ (ଓଡି ୩୩ୟୁ ୭୧୦୫) ତାଙ୍କୁ ଧକ୍କା ଦେଇ ଗୋଡ଼ ଉପରେ ଚଢ଼ିଯାଇଥିଲା। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ପ୍ରାୟ ୧୦ରୁ ୧୫ମିନିଟ୍ କାଳ ରାସ୍ତାରୋକ କରିବା ସହିତ ଫାୟାରଷ୍ଟେସନ୍ରୁ ଶିରିପୁର ପର୍ଯ୍ୟନ୍ତ କୌଣସି ମୋ’ ବସ୍ ଗଡ଼ିପାରିବ ନାହିଁ ବୋଲି ଦାବି କରିଥିଲେ। ପରେ ଖଣ୍ଡଗିରି ଥାନା ପୁଲିସ ଶିବଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଦୁର୍ଘଟଣା ଘଟାଇଥିବା ମୋ’ ବସ୍କୁ ଜବତ କରିବା ସହିତ ଗାଡ଼ି ଚାଳକଙ୍କୁ ଅଟକ ରଖିଛି।
ସେହିଭଳି ଗତକାଲି ରାତି ପ୍ରାୟ ୮ଟାରେ ଜଣେ ଯୁବକ ମାଷ୍ଟରକ୍ୟାଣ୍ଟିନ୍ ନିକଟରେ ରାସ୍ତା ପାରି ହେଉଥିବା ବେଳେ ତାଙ୍କ ଗୋଡ଼ ଉପରେ ମୋ ବସ୍ ଚଢ଼ାଇ ଦେଇଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କ୍ୟାପିଟାଲ୍ ଥାନା ପୁଲିସ ବସ୍ ଜବତ କରିବା ସହିତ ଚାଳକକୁ ଅଟକ ରଖିଥିଲା। ଏହିକ୍ରମରେ ଗତ ୪ମାସ ମଧ୍ୟରେ ମୋ’ ବସ୍ ରାଜଧାନୀରେ ୬ରୁ ଅଧିକ ଦୁର୍ଘଟଣା ଘଟାଇସାରିଲାଣି। ଏଥିରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ବଡ଼ କଥା ହେଉଛି, ଗତ ମାର୍ଚ୍ଚରେ ମୋ ବସ୍ କଳିଙ୍ଗ ଷ୍ଟାଡିୟମ୍ ନିକଟରେ ସାଇକେଲ ଆରୋହୀଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇ ଦେଇ ଫେରାର୍ ହୋଇଯାଇଥିଲା। ପରେ ନୂଆପଲ୍ଲୀ ଥାନା ପୁଲିସ ସିସିଟିଭି ଆଧାରରେ ବସ୍କୁ ଠାବ କରିବା ସହିତ କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ବସ୍ ସହିତ ଚାଳକଙ୍କୁ ଥାନାରେ ହାଜର ହେବାକୁ କହିଥିଲା। ଏନେଇ ନୂଆପଲ୍ଲୀ ଥାନ ପୁଲିସ ଚିଠି କରିବା ସହିତ ପରେ ସିଆର୍ପିସି ୯୧ରେ ନୋଟିସ୍ କରିଥିଲା। ହେଲେ ଇତିମଧ୍ୟରେ ୪ମାସ ବିତିଥିଲେ ବି ଥାନାରେ କେହି ହାଜର ହୋଇନଥିବା ଜଣାପଡ଼ିଛି।