ରେକର୍ଡ କରୁଛି ମୋ’ ବସ୍‌, ତଥାପି ବଞ୍ଚିତ ବହୁ ଅଞ୍ଚଳ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ଜୀବନରେଖା ପାଲଟିଛି ମୋ’ ବସ୍‌ ସେବା। ଭୁବନେଶ୍ବରରୁ ପୁରୀ, ଖୋର୍ଦ୍ଧା ଓ କଟକ ଭଳି ସହରକୁ ଗଡ଼ୁଛି ମୋ’ ବସ୍। ଉତ୍ତମ ପରିବହନ ସେବା ଯୋଗାଉଛି ବୋଲି କ୍ରୁଟ୍‌ ବାରମ୍ୱାର ଦାବି କରୁଛି ଏବଂ ପୁରସ୍କୃତ ହେଉଛି ମଧ୍ୟ। ଦିନକୁ ଦିନ ଏହି ସେବା ଉପରେ ନିର୍ଭର କରୁଥିବା ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ବୋଲି ଦାବି କରାଯାଉଛି। ଗତ ୧୪ ତାରିଖ ଦିନରେ ୨ ଲକ୍ଷ ୫୪ ହଜାର ୪୬୦ ଜଣ ଯାତ୍ରୀ ମୋ’ ବସ୍‌ ବ୍ୟବହାର କରିଛନ୍ତି ଏବଂ ଏହା କ୍ରୁଟ୍‌ର ସର୍ବକାଳୀନ ରେକର୍ଡ ବୋଲି ଦାବି କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ସଂସ୍ଥା କ୍ଷତିରେ ଚାଲିଛି ଏବଂ ସରକାର ବର୍ଷକୁ ବର୍ଷ ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି। ପୁଣି ଏବେ ବି ବହୁ ଅଞ୍ଚଳ ଏହି ସେବା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଆସୁଛି।

ରାଜଧାନୀରେ ଏବେ ବି ଅନେକ ସ୍ଥାନ ଅଛି, ଯେଉଁଠିକୁ ମୋ’ବସ୍ ଗଡ଼ିନାହିଁ। ସିଆର୍‌ପି ଛକ ଏକାମ୍ର କାନନ-ଜୟଦେବବିହାର ରୁଟ୍‌ରେ ଏନ୍‌ ଵାନ, ସାଲିଆସାହି, ଭିଆଇପି କଲୋନି, ରେଣ୍ଟାଲ କଲୋନି, ବିଜୁ ପଟ୍ଟନାୟକ କଲେଜ ଭଳି ବହୁ ଜନବହୁଳ ଅଞ୍ଚଳ ଥିଲେ ମଧ୍ୟ ଏହୁ ରୁଟ୍‌ରେ ବସ୍ ଚାଲୁନାହିଁ। ସ୍ଥାନୀୟ ବାସିନ୍ଦାଙ୍କ ମତରେ ଯଦି ଇସ୍କନ ରଥଯାତ୍ରା ସମୟରେ କିମ୍ୱା ବର୍ଷା ଯୋଗୁଁ ନୟାପଲ୍ଲୀ ରାସ୍ତା ଜାମ୍‌ ହୋଇଗଲେ, ଏହି ରୁଟ୍‌ରେ ବସ୍ ଚାଲିପାରୁଛି, ତେବେ ସବୁବେଳେ ଏହି ରୁଟ୍‌ରେ କାହିଁକି ବସ୍ ଚଳାଚଳ ହେଉନାହିଁ। ସେହିଭଳି ଅନେକ ସ୍ଥାନରେ ଏହି ସେବା ପହଞ୍ଚିଲେ ମଧ୍ୟ ଯାତ୍ରୀମାନଙ୍କୁ ବସ୍‌ ରହିଣି ସ୍ଥଳରେ ୩୦ରୁ ୪୦ ମିନିଟ୍‌ ଧରି ଅପେକ୍ଷା କରିବାକୁ ପଡୁଛି। ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଛତାବର ଓ ସମ୍‌ ଅଭିମୁଖେ ମାତ୍ର ଦୁଇଟି ବସ୍ ଚଳାଚଳ କରୁଛି।

ମାଷ୍ଟର କ୍ୟାଣ୍ଟିନ ଛକରୁ ଛତାବର ଓ ସମ୍ ହସ୍ପିଟାଲ ରୁଟ୍‌ରେ ଅନେକ ପ୍ରମୁଖ ସ୍ଥାନ ରହିଛି। ଏକ ନମ୍ୱର ହାଟ, ଶିରିପୁର ବଜାର, ଓୟୁଏଟି, ସିଟି ଵମେନସ୍‌ କଲେଜ, ବିବେକାନନ୍ଦ ହସ୍ସିଟାଲ, କଳିଙ୍ଗ ଷ୍ଟୁଡିଓ, କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନ, ସମ୍‌ ହସ୍ପିଟାଲ, ସିଆର୍‌ପିଏଫ୍‌ କେଭି ସ୍କୁଲ ଭଳି ବହୁ ପ୍ରମୁଖ ସ୍ଥାନ ରହିଛି। ତେଣୁ ଏହି ରୁଟ୍‌ରେ ବସ୍‌ରେ ମାତ୍ରାଧିକ ଭିଡ଼ ରହୁଛି। ତେଣୁ ରୁଟ୍‌ରେ ବହୁ ଯାତ୍ରୀ ବସ୍‌‌ ଭିତରେ ଛିଡ଼ା ହୋଇ ଯାତୟାତ କରୁଥିବା ଦେଖାଯାଉଛି। ବସ୍‌ ଭିତରେ ଏତେ ଜାମ୍‌ ହେଉଛି ଯେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ମହିଳାମାନେ ମଧ୍ୟ ସିଟ୍‌ ନପାଇ ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ଏହି ଭିଡ଼ର ସୁଯୋଗ ନେଇ ପକେଟ୍‌ମାର୍‌ ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ସେହିପରି ମାଷ୍ଟରକ୍ୟାଣ୍ଟିନ କିମ୍ୱା ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଚନ୍ଦକା ଅଭିମୁଖେ କୌଣସି ନିର୍ଦ୍ଦିଷ୍ଟ ବସ୍‌ କିମ୍ୱା ଇ-ରାଇଡ୍‌ ନଥିବାରୁ ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରୁଟ୍‌ମାନଙ୍କରେ ମୋ’ ବସ୍‌ ଚଳାଚଳ ପାଇଁ ଟ୍ବିଟର୍‌ରେ ମଧ୍ୟ ମାଳମାଳ ଅଭିଯୋଗ ହେଉଛି। ଏନେଇ କ୍ରୁଟ୍‌ର ଜଣେ ଅଧିକାରୀଙ୍କ କହିବା କଥା ବିଭିନ୍ନ ରୁଟ୍‌ରେ ଯାତ୍ରୀଙ୍କ ସମସ୍ୟାକୁ ରୀତିମତ ଅନୁଧ୍ୟାନ କରାଯାଉଛି। ସମସ୍ୟାକୁ ଆଧାର କରି ସର୍ଭେ କରାଯିବା ପରେ ନୂଆ ରୁଟ୍ ପାଇଁ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର