ଭୁବନେଶ୍ବର: ଆଜି ରାତି ପ୍ରାୟ ୮ଟା ବେଳେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ମୋ’ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବିଳାସ ପାତ୍ର(୬୫)। କ୍ୟାପିଟାଲ୍ ଥାନା ପୁଲିସ କ୍ୟାପିଟାଲ୍ ହସ୍ପିଟାଲ୍ରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହକୁ ପଠାଇଛି। ଏହି ମାମଲାରେ ପୁଲିସ ଚାଳକକୁ ଅଟକ ରଖିବା ସହ ମୋ’ ବସ୍କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ରାଜଧାନୀରେ ମୋ’ ବସ୍ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ପାଇଁ ବାରମ୍ବାର ଏଭଳି ଘଟୁଥିବାରୁ ଆଜି ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍ ଚାଳକକୁ ବହେ ଛେଚି ପୁଲିସ ଜିମା ଦେଇଥିଲେ।
ପୁଲିସ ସୂଚନା ମୁତାବକ ବିଳାସ ୟୁନିଟ୍-୮ରେ ରହୁଥିବା ଝିଅ ଘରକୁ ଆସିଥିଲେ।
ଆଜି ପିପିଲି ଫେରିବା ପାଇଁ ସେ ବସ୍ ଧରିବାକୁ ରାତି ପ୍ରାୟ ୮ଟା ବେଳେ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ଆସିଥିଲେ। ସେ ମାଷ୍ଟରକ୍ୟାଣ୍ଟିନ୍ ମୋ’ ବସ୍ଷ୍ଟାଣ୍ଡକୁ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ମୋ’ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବିଳାସ କିଛି ଦୂରକୁ ଛିଟିକି ପଡ଼ିଥିଲେ ଏବଂ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ଏହା ଦେଖି ଆଖପାଖରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିବା ବେଳେ କିଛି ଲୋକ ବସ୍କୁ ଅଟକାଇ ଚାଳକକୁ ବହେ ଛେଚିଥିଲେ। ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଚାଳକକୁ ଉଦ୍ଧାର କରିବା ସହ ସେମାନଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଏହା ଭିତରେ ବିଳାସଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ବିଳାସଙ୍କ ପରିବାରକୁ ଏହି ଖବର ଜଣାଇଛି ଏବଂ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/52-2.jpg)