ଭୁବନେଶ୍ୱର: ମୋ ବସ୍ ଚାଳକଙ୍କ ଯୋଗୁ ଲଗାତାର କ୍ରୁଟ୍ ବଦନାମ ହେବା ସହ ଧନଜୀବନ ହାନୀ ହେବା ପରେ ଚେତା ପଶିଛି। ବସ୍ ଚାଳକଙ୍କ ପାଇଁ କଟକଣା ଜାରି କରାଯାଇଛି। ସହର ଭିତରେ ମୋ ବସ୍ ୪୦ କିମି ପ୍ରତି ଘଣ୍ଟାରୁ ଅଧିକ ବେଗରେ ଚାଲଇ ପାରିବ ନାହିଁ। ସହର ବାହାରେ ଏହାର ବେଗ ୫୦ କିମି ପ୍ରତି ଘଣ୍ଟା ରହିବ। ସବୁ ଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯାଇ ଗାଡ଼ିର ବେଗ ତର୍ଜମା କରାଯିବ। ଧାର୍ଯ୍ୟ ବେଗରୁ ଅଧିକ ଚାଲିଲେ ଚାଳକଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଚାଳକ ମଦ ପିଇଥିଲେ ଆଦୌ ବରଦାସ୍ତ କରାଯିବନି। କେବଳ ଅଭିଯୋଗ ହେଲେ ନୁହେଁ ବରଂ, ଚାଳକ ଗାଡ଼ି ଚଳାଇବା ବେଳେ ମଦ ପିଇଛନ୍ତି କି ନିୟମିତ ଯାଞ୍ଚ ହେବ। କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତ ଅପରାହ୍ନରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଏନ୍. ତିରୁମାଲା ନାୟକ କ୍ରୁଟ୍ କାର୍ଯ୍ୟାଳୟରେ ଏ ନେଇ ଦୀର୍ଘ ସମୟ ଧରି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଶୃଙ୍ଖଳିତ ତଥା ଉତ୍ତମ ଗୁଣବତ୍ତାର ପରିବହନ ସେବା ପାଇଁ କ୍ରୁଟ୍ ଜାତୀୟସ୍ତରରେ ଏକାଧିକ ସମ୍ମାନ ପାଇଛି। କିନ୍ତୁ କେତେକ ମୋ ବସ୍ ଚାଳକଙ୍କ ଦୁର୍ବ୍ୟବହାର ଓ ଦୁର୍ଘଟଣା ଯୋଗୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ଜୀବନହାନୀ ହେବାରୁ କ୍ରୁଟ୍ ନିନ୍ଦିତ ହୋଇଛି। ଗତ ୨ ତାରିଖରେ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ହାତ କଟିଯିବା ପରେ କ୍ରୁଟ୍ ବଦନାମ ହୋଇଛି। ବଡ଼କଥା ହେଉଛି ଖୋଦ୍ ମନ୍ତ୍ରୀ ମୋ ବସ୍ରେ ଯାତ୍ରା କରିବା ବେଳେ ଜଣେ ଚାଳକଙ୍କ ଦୁର୍ବବ୍ୟବହାର ଶିକାର ହୋଇଥିବା ଭିଡିଏ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କ୍ରୁଟ୍ ତତ୍ପର ହୋଇଛି। ମନ୍ତ୍ରୀ କହିଛନ୍ତି, ମୋ ବସ୍ଗୁଡ଼ିକୁ ନିୟମିତ ଯାଞ୍ଚ କରାଯିବ। ଅଧିକାରୀମାନେ ବିନା କୌଣସି ସୂଚନାରେ ଅଚାନକ୍ ଚଢ଼ଉ କରିବେ। ବସ୍ ଚାଳକଙ୍କ ଲାଇସେନ୍ସ ଯାଞ୍ଚ କରିବା ସହ ମଦ୍ୟପାନ କରିଛନ୍ତି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରିବେ। ଲାଇସେନ୍ସ ନଥିଲେ କିମ୍ବା ମଦ୍ୟପାନ କରିଥିଲେ କାର୍ଯ୍ୟାନୁଷ୍ଠାନ ନେବେ। ମୋ ବସ୍ ବେଶ ଆଦ୍ରୁତ ହୋଇଛି, କିନ୍ତୁ ଟିକିଏ ବିଶୃଙ୍ଖଳା ଯୋଗୁ ସମସ୍ୟା ହେଉଛି। ଏଣୁ ଏ ସବୁ ଏବେ ଗୁରୁତର ସହ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/07/GTXx6oaezVzsJmC7w8iZ.jpg)