ଭୁବନେଶ୍ବର: ମୋ’ ବସ୍ରେ ବଢ଼ୁଛି ଚୋରି। ଆଜିକୁ ମିଶାଇ ୩ ଦିନ ମଧ୍ୟରେ ୫ଜଣ ନିଜର ଦାମୀ ମୋବାଇଲ୍ ହରାଇ ସାରିଲେଣି। କିନ୍ତୁ ପୁଲିସ୍ ଏହାକୁ ଆଦୌ ଗୁରୁତ୍ବର ସହ ନେଉ ନଥିବା ଅଭିଯୋଗ ହେଉଛି। ଚୋରଙ୍କୁ ଧରିବା ତ ଦୂରର କଥା, ଥାନାରେ ଅଭିଯୋଗ କଲେ ବି ମାମଲା ରୁଜୁ କରୁନି। ବସ୍ ଭିତରେ ଲାଗିଥିବା ସିସିଟିଭିରୁ ଲୁଟେରାକୁ ଚିହ୍ନଟ କରିବା ଓ ଧରିବା ସହଜ ହୋଇଥିଲେ ହେଁ ପୁଲିସ୍ କାହିଁକି କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥକୁନ୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ମୋବାଇଲ୍ ନୁହେଁ, ମୋ’ ବସ୍ରୁ ମନିପର୍ସ, ଟଙ୍କା ଓ ବ୍ୟାଗ୍ ମଧ୍ୟ ଗାଏବ୍ ହେଉଛି। କିନ୍ତୁ ଥାନାରେ ଅଭିଯୋଗ କଲେ ବି ଫଳ ଶୂନ। ସତେଯେମିତି ମୋ ବସ୍ କର୍ମଚାରୀଠୁ ଥାନା ପର୍ଯ୍ୟନ୍ତ ଲୁଟେରାମାନଙ୍କୁ ଅଘୋଷିତ ଲାଇସେନ୍ସ୍ ଦେଇଛନ୍ତି ଲୋକଙ୍କୁ ଲୁଟିବା ପାଇଁ।
୩ ଦିନରେ ଗଲାଣି ୫ ମୋବାଇଲ୍
ମାମଲା ରୁଜୁ କରିବାକୁ ପୁଲିସ କୁନ୍ଥକୁନ୍ଥ
ସିସିଟିଭି ସତ୍ତ୍ବେ ଲୁଟେରା ଧରାପଡ଼ୁନାହାନ୍ତି
ଶୁକ୍ରବାର ଦିନ ୨ଜଣ ଯୁବକ ମୋ’ ବସ୍ରେ ମୋବାଇଲ୍ ହରାଇଛନ୍ତି। ୧୮ନମ୍ବର ରୁଟ୍ରେ ଯାଉଥିବା ମୋ’ ବସ୍ରେ ପ୍ରଭାସ ରଂଜନ ସେଠୀ ଅପରାହ୍ଣରେ ଫାୟାର୍ ଷ୍ଟେସନ୍ରୁ ଚଢ଼ିଥିଲେ। କିଛି ବାଟ ଯିବା ପରେ ତାଙ୍କ ପକେଟରୁ ମୋବାଇଲ୍ ଗାଏବ୍ ହୋଇଯାଇଥିଲା। ସେ ସଙ୍ଗେସଙ୍ଗେ ବସ୍ କଣ୍ଡକ୍ଟର୍ଙ୍କୁ ଘଟଣା ସଂପର୍କରେ ଜଣାଇବା ସହ ସବୁ ଯାତ୍ରୀଙ୍କୁ ଯାଞ୍ଚ୍ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରଭାସଙ୍କ ମୋବାଇଲ୍ ଚୋରି ହୋଇଯାଇଥିବା ଜାଣି ଅନ୍ୟ ଯାତ୍ରୀମାନେ ମଧ୍ୟ ନିଜ ପକେଟ୍ ଚେକ୍ କରିବାରୁ ଅଙ୍କୁଶ କୁମାର ନାୟକ ନାମକ ଅନ୍ୟ ଜଣେ ଯୁବକଙ୍କ ମଧ୍ୟ ମୋବାଇଲ୍ ଚୋରି ହୋଇଥିବା ଜଣାପଡ଼ିଥିଲା। ପରେ ୧୧୨କୁ ଫୋନ୍ କରିବାରୁ ପୁଲିସ କର୍ମଚାରୀ ଆସି ବସ୍ ଅଟକାଇ ସବୁ ଯାତ୍ରୀଙ୍କୁ ଗୋଟି ଗୋଟି କରି ଯାଞ୍ଚ୍ କରିଥିଲେ। ହେଲେ କିଛି ସୁଫଳ ମିଳି ନଥିଲା। କାରଣ ସେତେବେଳକୁ ଲୁଟେରା ମୋବାଇଲ୍ ନେଇ ପୂର୍ବ ଷ୍ଟପେଜ୍ରେ ଓହ୍ଲାଇ ଯାଇଥିବା ଜଣାପଡ଼ିଥିଲା।
୨ ଦିନ ତଳେ ସ୍ମିତାରାଣୀ ମଲ୍ଲିକ ଜୟଦେବ ବିହାରରୁ ଇସ୍କନ୍ ଆସୁଥିବା ବେଳେ ମୋ’ ବସ୍ରେ ତାଙ୍କର ମଧ୍ୟ ମୋବାଇଲ୍ ଚୋରି ହୋଇଥିଲା। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ବି ଏ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ। ଅପରପକ୍ଷେ ପୁଲିସ କହିଛି, ସିସିଟିଭି ଫୁଟେଜ୍ରୁ ମୋବାଇଲ୍ ଚୋରି ହୋଇଥିବା ନେଇ କିଛି ଜଣାପଡ଼ୁନାହିଁ। ଅନୁରୂପ ଢଙ୍ଗରେ ଖଣ୍ଡଗିରି ଥାନା ଅଞ୍ଚଳରୁ ମଧ୍ୟ ୨ଟି ମୋବାଇଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲେ ବି ଏପର୍ଯ୍ୟନ୍ତ କେବଳ ସିସିଟିଭି ଫୁଟେଜ୍ ଯାଞ୍ଚରେ ତଦନ୍ତ ଅଟକିଛି। ଲଗାତାର କିଛି ମାସ ମୋ’ ବସ୍ରୁ ଏହିଭଳି ଚୋରି ହେଉଥିବା ବେଳେ ଉଭୟ କ୍ରୁଟ୍ ଓ ପୁଲିସର ଶିଥିଳତା ପାଇଁ ଲୁଟେରାମାନେ ଖସି ଯାଉଛନ୍ତି।
୩ ମାସ ତଳେ ୧୦ ହଜାର ଟଙ୍କା ଲୁଟ୍ ହୋଇଥିଲା
ପ୍ରାୟ ୩ମାସ ତଳେ, ଗତ ଜୁନ୍ ୨୧ତାରିଖରେ ଜଣେ ଯୁବତୀ ତାଙ୍କ ମା’ଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ଲୁଟ୍ର ଶିକାର ହୋଇଥିଲେ। ୨ଜଣ ନାବାଳିକା ଯୁବତୀଙ୍କ ସହ ମୋ ବସ୍ରେ ଚଢ଼ି ପ୍ରାୟ ୧୦ହଜାର ଟଙ୍କା ତାଙ୍କ ବ୍ୟାଗ୍ରୁ ଲୁଟି ନେଇଥିଲେ। ପରେ ଯୁବତୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ରେଣ୍ଟାଲ୍ କଲୋନିସ୍ଥିତ ମୁଣ୍ଡା ଛକରୁ ଧରିବା ସହ ଖଣ୍ଡଗିରି ଥାନାରେ ଦେଇଥିଲେ। ପୁଲିସ ଉଭୟଙ୍କୁ ନୋଟିସ୍ ଦେଇ ଥାନାରୁ ଛାଡ଼ିଥିଲା।