ମୋ ବସ୍: ନା ଲକ୍ଷ୍ୟ ପୂରଣ ହେଉଛି ନା ଲାଭ
ଭୁବନେଶ୍ବର: ରାଜଧାନୀରେ ସବୁ ଗଳିକନ୍ଦିରେ ‘ମୋ ବସ୍’ ଚାଲିବ। ଦୈନନ୍ଦିନ କାର୍ଯ୍ୟରେ ଲୋକେ ନିଜ ଗାଡ଼ି ନୁହେଁ, ‘ମୋ ବସ୍’ରେ ହିଁ ଯା’ଆସ କରିବେ। ୨୦୧୮ ମସିହାରେ ଏମିତି ଘୋଷଣାକୁ ଚାରି ବର୍ଷ ବିତିଗଲାଣି। ଏମିତି ଲକ୍ଷ୍ୟ ପୂରଣ ହୋଇନି କି ନିକଟରେ ପୂରଣ ହେବାର ସମ୍ଭାବନା ଦେଖାଯାଉନି।
Sambad is now on WhatsApp
Join and get latest news updates delivered to you via WhatsApp
‘ମୋ ବସ୍’ର ଲୋକପ୍ରିୟତା ବଢ଼ୁଛି ଓ ଯାତ୍ରୀ ସଂଖ୍ୟା ବଢ଼ୁଛି ବୋଲି କର୍ତ୍ତୃପକ୍ଷ କହିଚାଲିଛନ୍ତି। ବସ୍ ଆଦୌ ଖାଲି ଯାଉନି। ସବୁବେଳେ ଯାତ୍ରୀ ପ୍ୟାକ୍। କିନ୍ତୁ ଚାରି ବର୍ଷ ହେଲା ମୋ ବସ୍ କ୍ଷତିରେ ଚାଲିଛି। ପ୍ରତି ବର୍ଷ ସରକାରଙ୍କ ଦାନକୁ ଚାହିଁ ବସିଛି ମୋ ବସ୍। ସରକାର ୪ ବର୍ଷରେ ୪୬୦ କୋଟି ଟଙ୍କା ଦେଇସାରିଲେଣି। ଲାଭ ହେଉନି କି ନିକଟରେ ହେବାର ସମ୍ଭାବନା ବି କମ୍।
‘ମୋ ବସ୍’ର ଲକ୍ଷ୍ୟ ପୂରଣ ହେଉନି କି ଲାଭ ହେଉନି। ବରଂ ବାରମ୍ବାର ଦୁର୍ଘଟଣା ଓ ବେପରୱା ଗାଡ଼ି ଚାଳନା ପାଇଁ ସାଧାରଣ ଜନତା ହଇରାଣ ହୋଇଛନ୍ତି। ଗୋଟିଏ ବର୍ଷରେ ମୋ ବସ୍ ଧକ୍କାରେ ୧୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ଜୀବନ ଯାଇଛି।
ସାତ ଥର ପୁଲିସ ମୋ ବସ୍କୁ ଥାନା ଭିଡ଼ି ନେଇଛି। ଜଟଣୀରେ ବର୍ଷା ପାଣିରେ ମୋ ବସ୍ ବୁଡ଼ିବା ଘଟଣାରେ ସାତ ଜଣ ଯାତ୍ରୀ ଝରକା କାଚ ଭାଙ୍ଗି ପହଁରି ପହଁରି ଆସି ଜୀବନ ବଞ୍ଚାଇଛନ୍ତି। କୌଣସି ଘଟଣାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପୁଣି କିଛି ଜାଗାରେ ଗାଇଡ୍ଙ୍କ ଦୁର୍ବ୍ୟବହାରେ ବି ସାଧାରଣ ଯାତ୍ରୀ ଅତିଷ୍ଠ ହେଉଛନ୍ତି। ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ଏହାର ତଦନ୍ତ କରାଯାଉନି କି ସମାଧାନ ପାଇଁ ବାଟ ବାହାର କରାଯାଉନି। ଚାଳକ ଓ ଅନ୍ୟ କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉନି। ମୋ ବସ୍ର ପରିଚାଳନାଗତ ତ୍ରୁଟି ସୀମା ଲଂଘିଲାଣି।
୨୦୧୮ ମସିହା ମେ ମାସରୁ ‘ମୋ ବସ୍’ ସେବା ଆରମ୍ଭ ହୋଇଥିଲା। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଏହାର ପରିଚାଳନା ଦାୟିତ୍ୱ ନେଇଥିଲା। ଭୁବନେଶ୍ୱର ସହର ସମେତ ଖୋର୍ଦ୍ଧା, କଟକ, ପପିଲି, ପୁରୀ ଓ ନିମାପଡ଼ା ଦେଇ କୋଣାର୍କକୁ ଏହି ମୋ ବସ୍ ଚଳାଚଳ କରୁଛି। ପ୍ରାୟ ୫ଶହ ବସ୍ ଚାଲିବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏବେ ୨୩୫ଟି ମୋ ବସ୍ ଚଳାଚଳ କରୁଛି। ସେଥିରେ ୧୭୫ଟି ସାଧାରଣ ବସ୍, ୫୦ଟି ଏସି ବସ୍ ଓ ୧୦ଟି ଇ-ବସ୍ ଚଳାଚଳ ଜରୁଛି। କେବଳ ମୁଖ୍ୟ ରାସ୍ତାମାନଙ୍କରେ ଏହା ଚାଲିଥିବାରୁ ବା ଅନେକ ଜାଗାରେ ଏହାର ଏ ପର୍ଯ୍ୟନ୍ତ ଅପହଞ୍ଚ ହୋଇଥିବାରୁ ଲୋକମାନେ ଅଫିସ୍ କିମ୍ବା ବଜାର ଯିବା ପାଇଁ ନିଜ ନିଜ ଗାଡ଼ି ହିଁ ବ୍ୟବହାର କରୁଛନ୍ତି।
କ୍ରୁଟ୍ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ୨୦୧୯ରେ ଦୈନିକ ପ୍ରାୟ ୫୯ହଜାର ଯାତ୍ରୀ ମୋ ବସ୍ ବ୍ୟବହାର କରୁଥିବା ବେଳେ କରୋନା ସମୟରେ ମଧ୍ୟ ଏହି ବସ୍ର ଚାହିଦା ବଢ଼ିଥିବା ପରିଲକ୍ଷିତ ହୋଇଛି। ଆଜିର ଦିନରେ ଏହାର ଯାତ୍ରୀ ସଂଖ୍ୟା ଦୈନକ ଏକ ଲକ୍ଷ ଅତିକ୍ରମ କରିଛି। ୨୦୧୯ ଏପ୍ରିଲ୍ ମାସରେ ଯାତ୍ରୀ ପରିବହନରୁ କ୍ରୁଟ୍ ଦୈନିକ ପ୍ରାୟ ୯ଲକ୍ଷ ଆୟ କରୁଥିବା ବେଳେ ଏବେ ଦୈନିକ ୧୬ଲକ୍ଷରୁ ଊର୍ଦ୍ଧ୍ବ ରୋଜଗାର କରୁଛି। ଅର୍ଥାତ୍ ଯଦି ଦିନକୁ ହାରାହାରି ୧୦ ଲକ୍ଷ ଟଙ୍କା ରୋଜଗାର ହିସାବ କରିବା ତେବେ ବର୍ଷକୁ କ୍ରୁଟ୍ ଭଡ଼ା ବାବଦରେ ୩୬ କୋଟି ପାଉଛି। କିନ୍ତୁ ଏହା କ୍ଷତିରେ ଚାଲିଛି। ସେତିକି ନୁହେଁ, ୨୦୧୮ ମସିହାରେ ବସ୍ କିଣିବା ପାଇଁ ସରକାର ଯେଉଁ ଅର୍ଥ ଦେଇଥିଲେ ତାହାକୁ କ୍ରୁଟ୍ ସୁଝିବା କଥା। ହେଲେ ସେବା ଆରମ୍ଭ ହେବା ବେଳ ଠାରୁ ସରକାର ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି।
ସରକାରୀ ସୂଚନା ଅନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷରେ ସରକାର ୧୩୩ କୋଟି ୩୬ ଲକ୍ଷ ୨୨ ହଜାର ଟଙ୍କା ଯୋଗାଇଥିବା ବେଳେ ୨୦୧୯-୨୦ରେ ୫୭ କୋଟି ୯୬ ଲକ୍ଷ ୭୪ ହଜାର ୩୨୫ ଟଙ୍କା, ୨୦୨୦-୨୧ ବର୍ଷରେ ୨ଶହ କୋଟି ଓ ୨୦୨୧-୨୨ ବର୍ଷରେ ୬୯କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି। ଅର୍ଥାତ୍ ୪ ବର୍ଷରେ କ୍ରୁଟ୍ ରାଜ୍ୟ ସରକାରଙ୍କ ଠାରୁ ୪୬୦ କୋଟି ୮୨ ଲକ୍ଷ ୯୬ ହଜାର ୩୨୫ ଟଙ୍କା ପାଇଛି।
ମୋ ବସ୍ରେ ଯାତ୍ରୀ ବଢ଼ୁଥିଲେ ବି ଲାଭ କାହିଁକି ହେଉନି, ତାହାର କାରଣ କେହି ଖୋଜୁନାହାନ୍ତି। ପ୍ରଶ୍ନ ଉଠୁଛି, ବାସ୍ତବରେ ପରିଚାଳନାଗତ ତ୍ରୁଟି ପାଇଁ ଏମିତି ହେଉଛି ନା କ୍ଷତିରେ ଚାଲିବାକୁ ହିଁ ମୋ ବସ୍ ସେବା ଆରମ୍ଭ ହୋଇଛି? କେବଳ ବାର୍ଷିକ ଅନୁଦାନ ଦେଇ ସରକାର କାହିଁକି ହାତ ଟେକି ଦେଉଛନ୍ତି? ଏତେ ସବୁ ସମସ୍ୟା ସତ୍ତ୍ବେ ରାଜ୍ୟ ବାହାରେ ବିଭିନ୍ନ ଘରୋଇ ସଂସ୍ଥା ଦ୍ବାରା ‘କ୍ରୁଟ୍’ ଏକାଧିକ ବାର ପୁରସ୍କୃତ ହେବା ଯେତିକି ରହସ୍ୟଜନକ ସେତିକି ହାସ୍ୟାସ୍ପଦ। କେଉଁ ମାପଦଣ୍ଡରେ କ୍ରୁଟ୍କୁ ପୁରସ୍କୃତ କରିବା ପାଇଁ ମନୋନୀତ କରାଯାଉଛି, ତାହା ରାଜଧାନୀର ସଚେତନ ନାଗରିକମାନେ ବୁଝିପାରୁ ନାହାନ୍ତି। ପୁରସ୍କାର ଦେଉଥିବା ସଂସ୍ଥା ‘କ୍ରୁଟ୍’ର ଗୋଲାପୀ ଚିତ୍ର ଦେଖି ଗଦ୍ଗଦ୍ ହୋଇଯାଉଛନ୍ତି ନା ଏହା ପଛରେ ଆଉ କିଛି ରହସ୍ୟ ଅଛି, ତାହା ବୁଝାପଡ଼ୁ ନାହିଁ।
ଏ ନେଇ ଆମେ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କିଛି କହିବାକୁ ଚାହିନାହାନ୍ତି। ଶ୍ରୀମତୀ ମହାପାତ୍ର କ୍ରୁଟ୍ ଆରମ୍ଭରୁ ସେଠାରେ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି।