ଭୁବନେଶ୍ବର : ଆସନ୍ତା ସୋମବାରରୁ ସବୁ ରୁଟ୍‌ରେ ଚାଲିବ ‘ମୋ ବସ୍‌’। ସମୁଦାୟ ୨୫ ରୁଟ୍‌ରେ ୧୯୪ଟି ମୋ ବସ୍‌ ଚଳାଚଳ କରିବ ବୋଲି ସୂଚନା ଦେଇଛି କ୍ରୁଟ୍‌ (କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ)। କରୋନା କଟକଣା ଯୋଗୁଁ ୧୭ ରୁଟ୍‌ରେ ୮୭ଟି ମୋ ବସ୍‌ ଚାଲୁଥିଲା। ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସମସ୍ତ ବସ୍‌ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କ୍ରୁଟ୍‌ ଜିଏମ୍‌ ଦୀପ୍ତି ମହାପାତ୍ର।

Advertisment

ନିଷ୍ପତ୍ତି ମୁତାବକ, ସୋମାବାରରୁ ଏହି ସେବା ନିୟମିତ ହେବ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବ। ଏହି ସେବା କେବଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ। ଶନିବାର ଓ ରବିବାରରେ ପୂର୍ବଭଳି ସଟଲ୍‌ ସେବା ଜାରି ରହିବ। ଅର୍ଥାତ୍‌ ରେଳ ଷ୍ଟେସନ ଓ ଏୟାରପୋର୍ଟରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ସୀମିତ ବସ୍‌ ଉପଲବ୍ଧ ହେବ। ଯାତ୍ରୀମାନଙ୍କୁ ବସ୍‌ରେ ଛିଡ଼ା ହୋଇ ଯିବା ପାଇଁ ସୁଯୋଗ ମିଳିବ ନାହିଁ। କେବଳ ଉପଲବ୍ଧ ସିଟ୍‌ ଅନୁସାରେ ଯାତ୍ରୀଙ୍କୁ ନିଆଯିବ। ସେହିଭଳି ମାସ୍କ ନଥିଲେ ଯାତ୍ରା କରିବାକୁ ସୁଯୋଗ ମିଳିବ ନାହିଁ ବୋଲି ଶ୍ରୀମତୀ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ମୋ ବସ୍‌’ରେ କାମ କରୁଥିବା ସମସ୍ତ କର୍ମଚାରୀ ଦୁଇଟି ଡୋଜ୍‌ ଟିକା ନେଇ ସାରିଛନ୍ତି। ନିୟମିତ ମୋ ବସ୍‌କୁ ସାନିଟାଇଜ୍‌ କରାଯାଉଛି। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର, କଟକ ଓ ଖୋର୍ଦ୍ଧା ସମେତ ପୁରୀକୁ ‘ମୋ ବସ୍‌’ ଚାଲୁଛି। ମାଷ୍ଟରକ୍ୟାଣ୍ଟିନ୍‌ରୁ କେବଳ ପୁରୀକୁ ୫ଟି ବସ୍‌ ଚାଲୁଥିବା ବେଳେ ବରମୁଣ୍ଡାରୁ ଦୁଇଟି ଚାଲୁଛି। ମାଷ୍ଟର କ୍ୟାଣ୍ଟିନ୍‌ରୁ କୋଣାର୍କକୁ ୪ଟି ବସ୍‌ ଚାଲୁଥିବା ବେଳେ ପିପିଲିକୁ ୪ଟି ବସ୍‌ ଚାଲୁଛି।