କୁଆଡ଼େ ଗଲା ୪୦୦ ‘ମୋ ବସ୍‌’? ୨୦୨୦ ସୁଦ୍ଧା ଚାଲିବାର ଥିଲା ୬୦୦ ବସ୍‌, ଗଡ଼ୁଛି ୨୦୦

୨୦୨୫ ସୁଦ୍ଧା ୧୨୦୦ ବସ୍‌ ଚାଲିବ ତ!

ଭୁବନେଶ୍ୱର : ନଭେମ୍ବର ୬, ୨୦୧୮ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ‘ମୋ ବସ୍‌’ ସେବା। ପୂର୍ବରୁ ରାଜଧାନୀରେ ସିଟି ବସ୍‌ ଚାଲୁଥିଲେ ହେଁ ଏହାକୁ ନୂଆ ରୂପରେ ଅଣାଯାଇଥିଲା। ନୂଆ ବସ୍‌ କିଣି ନୂଆ ରୁଟ୍‌ରେ ଚଲାଯାଇଥିଲା। ‘ମୋ ବସ୍‌’ ଯେପରି ଭୁବନେଶ୍ବର ସମେତ ପୁରୀ, କଟକ, ଖୋର୍ଦ୍ଧାର ଗମନାଗମନ ବ୍ୟବସ୍ଥାକୁ ବଦଳାଇ ଦେବ ସେନେଇ ଏକ ଲମ୍ବା ଚଉଡ଼ା ମାଷ୍ଟରପ୍ଲାନ୍‌ ବି ପ୍ରସ୍ତୁତ ହୋଇଥିଲା। ବିଡିଏ, ସିଡିଏ ଓ ପିକେଡିଏ ଅଞ୍ଚଳକୁ ନେଇ ଏହି ଯୋଜନା ହୋଇଥିଲା। ଏହି ସବୁ ଅଞ୍ଚଳରେ ପ୍ରତି ଗଳି କନ୍ଦିରେ ଯେପରି ମୋ ବସ୍‌ ଚାଲିବ, ପ୍ରତି ଛକରେ ପ୍ରତି ୫ରୁ ୧୦ମିନିଟରେ ବସ୍‌ ପହଞ୍ଚିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୨୦ ସୁଦ୍ଧା ଏହି ଅଞ୍ଚଳରେ ୬୦୦ ମୋ ବସ୍‌ ଚାଲିବାକୁ ଥିବାବେଳେ ୨୦୨୫ ସୁଦ୍ଧା ୧୨୦୦ଟି ବସ୍‌ ଚଲାଇବାକୁ ଯୋଜନା ହୋଇଥିଲା। କିନ୍ତୁ ଏହା କେବଳ ଯୋଜନାରେ ଅଟକି ଯାଇଛି।

୨୦୨୦ ସୁଦ୍ଧା ଯେଉଁ ଅଞ୍ଚଳରେ ୬୦୦ ବସ୍‌ ଚାଲିବାକୁ ଥିଲା ସେଠାରେ ଏବେ ୨୦୦ ବସ୍‌ ଚାଲୁଛି। ଏଥିରେ ପୁରୀକୁ ୨ଟି, କୋଣାର୍କକୁ ଦୁଇଟି ବସ୍‌ ଚାଲୁଛି। ଖୋର୍ଦ୍ଧା ଓ କଟକକୁ ମୋ ବସ୍‌ ଚାଲୁଥିଲେ ହେଁ ଏହା ଏପର୍ଯ୍ୟନ୍ତ ଯୋଜନା ଅନୁଯାୟୀ କାର୍ଯ୍ୟକାରୀ ହୋଇପାରିନି। ଟାର୍ଗେଟ୍‌ ସମୟ ଭିତରେ ନୂଆ ୪୦୦ ବସ୍‌ ଆସିପାରିଲାନି। ଏପରିକି ବସ୍‌ ଆସିଲେ କିପରି କେଉଁ ରୁଟ୍‌ରେ ଚାଲିବ ସେନେଇ ବି କିଛି ଯୋଜନା ହୋଇନି। ସେଥିରେ ଆଉ ୪ବର୍ଷରେ କିପରି ହଜାରେ ନୂଆ ବସ୍‌ ଚଲାଇବେ, କେଉଁ ରୁଟ୍‌ରେ ଚାଲିବ ସେନେଇ କିଛି ବି ଯୋଜନା ନାହିଁ।

ରାଜଧାନୀରେ ବି ପ୍ରତି ୫ମିନିଟରେ ବସ୍‌ ଆସୁନି
ରାଜଧାନୀରେ ‘ମୋ ବସ୍‌’ ସେବାକୁ ୨ବର୍ଷ ପୂରିବାକୁ ଯାଉଛି। ହେଲେ କରୋନା ପୂର୍ବରୁ ଦୈନିକ ବସ୍‌ ଯାତ୍ରୀଙ୍କ ସଂଖ୍ୟା ୧ଲକ୍ଷ ଟପିଥିଲେ ବି ଏହା ରାଜଧାନୀବାସୀଙ୍କ ଚାହିଦା ଅନୁଯାୟୀ ପର୍ଯ୍ୟାପ୍ତ ନଥିଲା। କାରଣ ରାଜଧାନୀର ପ୍ରମୁଖ ରାସ୍ତାକୁ ଛାଡ଼ିଦେଲେ ଭିତର ରାସ୍ତାକୁ ବସ୍‌ ପଶିପାରିଲାନି। ଏପରିକି ଲକ୍ଷ୍ମୀସାଗର, ଝାରପଡ଼ା, କେସୁରା, ଜଗନ୍ନାଥନଗର, ଜିଜିପ କଲୋନି ଆଦି ଅଞ୍ଚଳରେ ଲାଇନ୍‌ ଅଟୋ ସେବା ନଥିବାବେଳେ ଲୋକମାନେ ‘ମୋ ବସ୍‌’ ସେବା ପାଉନାହାନ୍ତି। ଏହି ଅଞ୍ଚଳରେ ମିନି ବସ୍‌ ଚଳାଚଳ ପାଇଁ ପ୍ରଶସ୍ତ ରାସ୍ତା ଥିଲେ ବି କ୍ରୁଟ୍‌ କର୍ତ୍ତୃପକ୍ଷ ଏଥିରେ ସଫଳ ହୋଇନାହାନ୍ତି। କେବଳ ଏହି ଅଞ୍ଚଳ ନୁହେଁ, ନୀଳାଦ୍ରିବିହାର, ଶୈଳଶ୍ରୀ ବିହାରର ବିଭିନ୍ନ ଅଞ୍ଚଳ, କଳିଙ୍ଗନଗରର ବିଭିନ୍ନ ଅଞ୍ଚଳ, ଭରତପୁର ଆଦିକୁ ‘ମୋ ବସ୍‌’ ଗଲାନି। ଫଳରେ ଏଠାକାର ଲୋକମାନେ ମୋ ବସ୍‌ ସେବା ପାଉନାହାନ୍ତି। କେବଳ ଏତିକି ନୁହେଁ, ପ୍ରତି ୫ରୁ ୧୦ମିନିଟରେ ସବୁ ରୁଟ୍‌ରେ ମୋ ବସ୍‌ ଚଳାଇବାକୁ ଯୋଜନା ହୋଇଥିଲେ ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ରୁଟ୍‌ରେ ଏତିକି ସମୟ ବ୍ୟବଧାନରେ ବସ୍‌ ଚଳାଚଳ କରୁନି। ଅଧିକ ବସ୍‌ ଅଧିକ ରୁଟ୍‌ରେ ଚାଲିଲେ ହିଁ ଏହା ସମ୍ଭବ ହେବ।

୮୩ ସିଟି ବସ୍‌ ଖତ ଖାଉଛି
ପୋଖରୀପୁଟସ୍ଥିତ ଡିପୋ ସମେତ ରାଜଧାନୀର କିଛି ସ୍ଥାନରେ ଶତାଧିକ ସିଟି ବସ୍‌ ଖତ ଖାଉଛି। ଏଥିରୁ ୧୦୦ଟି ବସ୍‌କୁ ହକି ବିଶ୍ବକପ୍‌-୨୦୧୮ ସମୟରେ ଚଲାଇବାର ଯୋଜନା ଥିଲା। ୨୦୦ଟି ନୂଆ ବସ୍‌ ଓ ୧୦୦ଟି ପୁରୁଣା ବସ୍‌ ଚାଲିଥାନ୍ତା। କିନ୍ତୁ ସେତେବେଳେ ପୁରୁଣା ବସ୍‌କୁ ଚଲାଇବା ଯୋଜନା ସଫଳ ହେଲାନି। ବସ୍‌ଗୁଡ଼ିକର ବିଭିନ୍ନ ଯନ୍ତ୍ରାଂଶ ଖତ ଖାଇଲା। ଏହାପରେ ଏବେ କ୍ରୁଟ୍‌ ୮୩ଟି ବସ୍‌କୁ ମରାମତି କରି ଚଲାଇବା ପାଇଁ ପ୍ରସ୍ତୁତ କରିଛି। କିନ୍ତୁ କରୋନା ଯୋଗୁଁ ଅଧିକ ବସ୍‌ ଚାଲୁନଥିବାରୁ ଏହି ୮୩ଟି ବସ୍‌ ଚଲାଯାଇପାରୁନି। ଏନେଇ କ୍ରୁଟ୍‌ ଏମ୍‌ଡି ଅରୁଣା ବୋଥ୍ରା କହିଛନ୍ତି ଯେ, ପୁରୁଣା ବସ୍‌ର ମରାମତି ସରିଛି। ଏହାର ଷ୍ଟିକରିଂ ଏବଂ ଅନ୍ୟାନ୍ୟ କାମ ଚାଲିଛି। ଖୁବ୍‌ ଶୀଘ୍ର ୮୩ଟି ପୁରୁଣା ବସ୍‌ ଚାଲିବ।

ଜୁନ୍‌, ୨୦୨୧ ସୁଦ୍ଧା ଆଉ୧୮୩ ବସ୍‌ ଚାଲିବ
ଏବେ ୨୦୦ଟି ‘ମୋ ବସ୍‌’ ଚାଲୁଥିଲେ ହେଁ ଆସନ୍ତାବର୍ଷ ଜୁନ୍‌ ମାସ ସୁଦ୍ଧା ଭୁବନେଶ୍ବର-ପୁରୀ-କଟକ-ଖୋ‌ର୍ଦ୍ଧାରେ ଆଉ ୧୮୩ଟି ବସ୍‌ ଚାଲିବ। ବର୍ତ୍ତମାନ ଯେଉଁଭଳି ବସ୍‌ ଚାଲୁଛି ସେହିଭଳି ୫୦ଟି ବସ୍‌, ୫୦ଟି ଇଲେକ୍ଟ୍ରିକ୍‌ ବସ୍‌ ଓ ୮୩ଟି ପୁରୁଣା ସିଟି ବସ୍‌ ଚାଲିବ। ୫୦ଟି ଇଲେକ୍ଟ୍ରିକ୍‌ ବସ୍‌ ‌ନେଇ କେନ୍ଦ୍ର ଅନୁମୋଦନ ଦେଇଛି। ଜାନୁଆରି ସୁଦ୍ଧା ଭୁବନେଶ୍ବରକୁ ୫୦ଟି ଇଲେକ୍ଟ୍ରିକ୍‌ ବସ୍‌ ଆସିଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

 

CRUT

ବସ୍‌ ଆସିଲେ ବି ରଖିବାକୁ ଜାଗା ନାହିଁ
୨୦୩୦ର ବର୍ଦ୍ଧିତ ଜନସ˚ଖ୍ୟାକୁ ନଜରରେ ରଖି ମୋ ବସ୍‌ ନେଇ ଯୋଜନା ହୋଇଥିଲା। ତତ୍କାଳୀନ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କିପରି କେଉଁ ରୁଟ୍‌ରେ ବସ୍‌ ଚାଲିବ, କେଉଁଠି ବସ୍‌ ଡିପୋ ହେବ, ଏଥିପାଇଁ କିଏ ଜମି ଦେବେ ସେନେଇ ନିଷ୍ପତ୍ତି ହୋଇଥିଲା। ସମ୍ପ୍ରସାରିତ ଗମନାଗମନ ବ୍ୟବସ୍ଥା ପାଇଁ ଇଡ୍‌କୋ, ରାଜସ୍ବ ବିଭାଗ ଏବ˚ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସ୍ଥାନରେ ତୁରନ୍ତ ଜମି ଯୋଗାଇ ଦେବାକୁ କୁହାଯାଇଥିଲା। ଏଥିରେ ତିନିଟି ଜିଲ୍ଲାରେ ୧୯ଟି ସ୍ଥାନରେ ୫ଏକର ଲେଖାଏଁ ଜମି ଯୋଗାଇ ଦେବାକୁ କୁହାଯାଇଥିଲା। ବସ୍‌ ଡିପୋ ପାଇଁ ସାଧାରଣ ପ୍ରଶାସନ ବିଭାଗ ଗାଡ଼କଣ, ଘାଟିକିଆ/କଳିଙ୍ଗନଗର, ପଟିଆ, ପାତ୍ରପଡ଼ା ଏବ˚ ଭଗବାନପୁର, ପାଣ୍ତରା, ଫୁଲନଖରାରେ ୫ଏକର ଲେଖାଏଁ ଜମି ଯୋଗାଇଥାନ୍ତେ। ପଟିଆରେ ୫ ଏକର, ପାତ୍ରପଡ଼ା ଏବ˚ ଭଗବାନପୁରରେ ଅତିରିକ୍ତ ୨ଏକର ଲେଖାଏଁ ଜମି ଯୋଗାଇବାକୁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଜମି ମିଳିଲାନି।

ସେହିପରି ଇଡ୍‌କୋ ଇନ୍‌ଫୋସିଟି, ଇନ୍‌ଫୋ ଭ୍ୟାଲି, ରାମଦାସପୁର/ଭଗବାନପୁର ଅଞ୍ଚଳରେ ୫ଏକର ଲେଖାଏଁ ଜମି ଯୋଗାଇଥାନ୍ତା। ଏହା ବି ମିଳିନି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦାସପୁର, ସିଜୁଆ ଏବ˚ ଅନ୍ୟ ତିନିଟି ଉପଯୁକ୍ତ ସ୍ଥାନରେ ୫ଏକର ଲେଖାଏଁ ଜମି ଦେଇଥାନ୍ତା। ଏବେ ସୁଦ୍ଧା ମିଳିନି। କଟକ ଜିଲ୍ଲା ପ୍ରଶାସନ ନାରାୟଣପୁର, ଗୋପାଳପୁର ଏବ˚ ଜଗତପୁରରେ ୫ଏକର ଲେଖାଏଁ ଜମି, ପୁରୀ ଜିଲ୍ଲା ପ୍ରଶାସନ ମାଳତିପାଟପୁର ଏବ˚ କୋଣାର୍କ ନିକଟରେ ୫ଏକର ଜମି ଯୋଗାଇବ ବୋଲି ନିଷ୍ପତ୍ତି ହୋଇଥିଲା। ଜିଏ, ଇଡ୍‌କୋ, ରାଜସ୍ବ ବିଭାଗ ସମସ୍ତ ଜମି ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିଥାନ୍ତେ। ଏଠାରେ ବସ୍‌ ଡିପୋ ନିର୍ମାଣ ହୋଇଥାନ୍ତା। ଫଳରେ ୧୨୦୦ ବସ୍‌ ଆସିଲେ ଏହାକୁ ରଖିବା ଓ ଚଳାଇବାରେ କିଛି ସମସ୍ୟା ହେବନି ବୋଲି ‌ଯୋଜନା ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ବସ୍‌ ଆସିଲାନି କି ଜମି ବି ମିଳିଲାନି।

ସମ୍ବନ୍ଧିତ ଖବର