ରାଜମହଲ ଛକରେ ଯୁବତୀଙ୍କ ଉନ୍ମତ୍ତକାଣ୍ଡ; ‘ମୋ ବସ୍‌’ କର୍ମଚାରୀଙ୍କ ମୁଣ୍ଡ ଫଟାଇଲେ

ଭୁବନେଶ୍ବର, : ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ରାଜମହଲ ଛକରେ ଜଣେ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ‘ମୋ ବସ୍‌’ର ଜଣେ କର୍ମଚାରୀଙ୍କୁ ବସ୍ ଭିତରୁ ଟାଣି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏମିତିକି ଟ୍ରାଫିକ୍‌ ପୁଲିସ ଉପସ୍ଥିତିରେ ଯୁବତୀଜଣକ ଉକ୍ତ ବସ୍ କର୍ମଚାରୀଙ୍କ ମୁଣ୍ଡକୁ ଢ଼େଲା ଫୋପାଡ଼ି ଫଟାଇ ଦେଇଥିଲେ। ପ୍ରାୟ ୧୫ ମିନିଟ୍‌ ଧରି ଯୁବତୀଜଣକ ଅଭାବନୀୟ କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଶହ ଶହ ଲୋକ ଦେଖୁଥିଲେ ମଧ୍ୟ କେହି ଯୁବତୀଙ୍କୁ ପ୍ରତିରୋଧ କରିବାକୁ ବାହାରି ପାରିନଥିଲେ। ବିଚରା ବସ୍‌ କର୍ମଚାରୀ ମଧ୍ୟ ଏ ନେଇ ପୁଲିସରେ ଅଭିଯୋଗ ନ କରି କାନମୁଣ୍ଡା ଆଉଁସି ଘରକୁ ଫେରିଥିବା ଜଣାପଡ଼ିଛି।

ଘଟଣାଟି ଥିଲା ଏମିତି; ରାଜମହଲ ଛକରେ ମୋ ବସ୍‌ ଭିତରୁ ପ୍ରଥମେ ଜଣେ ଯୁବତୀ ଓହ୍ଲାଇଥିଲେ। ତଳେ ଥାଇ ହଠାତ୍ ସେ ବସ୍ କର୍ମଚାରୀଙ୍କୁ ଟାଣି ଆଣିଥିଲେ ଓ କିଛି ନ କହି ମାଡ଼ ମାରି ଚାଲିଲେ। ହଠାତ୍ ଯୁବତୀଙ୍କ ଚଣ୍ଡୀ ରୂପ ଦେଖି ବସ୍ କର୍ମଚାରୀଜଣକ କିଛି ବୁଝି ପାରିନଥିଲେ। ତେଣୁ ମାଡ଼ରୁ ରକ୍ଷା ପାଇବା ପାଇଁ ସେ ସେଠାରେ କାର୍ଯ୍ୟରତ ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କ ପାଖକୁ ଦୌଡ଼ିଥିଲେ। ତଥାପି ଯୁବତୀଜଣକ ନଛୋଡ଼ବନ୍ଧା ଥିଲେ। ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କୁ ଖାତିର୍‌ ନକରି ବସ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଯୁବତୀଙ୍କ ଏଭଳି କାଣ୍ଡ ଦେଖି ଟ୍ରାଫିକ୍‌ ପୁଲିସ କର୍ମଚାରୀ ମଧ୍ୟ ଆବାକାବା ହୋଇ ପଡ଼ିଥିଲେ। ଠିକ୍‌ ଏତିକି‌ବେଳେ ଯୁବତୀ ଜଣକ ତଳୁ ଏକ ଢ଼େଲା ଉଠାଇ ବସ୍ କର୍ମଚାରୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ମାରିଥିଲେ। ଫଳରେ କର୍ମଚାରୀଙ୍କ ମୁଣ୍ଡ ଫାଟି ଯାଇଥିଲା। ଗଣ୍ଡଗୋଳ ଖବର ପାଇ ସେଠାରେ ପିସିଆର ଭ୍ୟାନ୍‌ ଓ ଆମ୍ବୁଲାନ୍ସ ପହଞ୍ଚିଥିଲା। ପିସିଆର୍‌କୁ ଦେଖି ଯୁବତୀଜଣକ ସେଠାରୁ ଦୌଡ଼ିବାକୁ ଲାଗିଲେ। ପିସିଆର୍‌ର ମହିଳା ପୁଲିସ କର୍ମଚାରୀ ଓ ଟ୍ରାଫିକ୍‌ ପୁଲିସ କର୍ମଚାରୀ କିଛି ବାଟ ଗୋଡ଼ାଇଥିଲେ। ହେଲେ ଏଜି ଛକ ନିକଟରେ ଯୁବତୀ ଉଭାନ୍‌ ହୋଇଯାଇଥିଲେ।

ଏହି ଘଟଣା ସେଠାରେ ପ୍ରାୟ ୧୫ ମିନିଟ୍‌ ଧରି ଚାଲିଥିଲା। ସେହି ରାସ୍ତାରେ ଯାଉଥିବା ଲୋକେ ଅଟକି ଯାଉଥିଲେ। ଦେଖୁ ଦେଖୁ ସେଠାରେ ପ୍ରବଳ ଭିଡ଼ ହୋଇଥିଲା। ଟ୍ରାଫିକ୍‌ ମଧ୍ୟ ଜାମ୍‌ ହୋଇଥିଲା। ହେଲେ କେହି ଯୁବତୀଙ୍କୁ ଅଟକାଇବାକୁ ସାହସ କରିନଥିଲେ। କିଛି ଲୋକ ମୋବାଇଲ୍‌ ଫୋନ୍‌ରେ ଭିଡିଓ ସୁଟିଂ କରୁଥିଲେ। କେହି କିଛି ବୁଝିପାରିନଥିଲେ ଯେ ଘଟଣା ପଛରେ କି ରହସ୍ୟ ରହିଛି। ଯୁବତୀଜଣକ ଆକ୍ରମଣାତ୍ମକ ହୋଇପଡ଼ିଥିବାରୁ ଲୋକେ ବସ୍ କର୍ମଚାରୀଙ୍କୁ ଦୋଷ ଦେଉଥିଲେ। ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ବେଳେ ଯୁବତୀ ଗାଳି କରୁଥିଲେ ଓ ବସ୍ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା କହୁଥିଲେ। ମାତ୍ର ଯୁବତୀ ଅନ୍ତର୍ଧାନ ହୋଇଯିବା ପରେ ବସ୍ କର୍ମଚାରୀ ଟିକେଟ୍‌ ପଇସାକୁ ନେଇ ଯୁବତୀ ତାଙ୍କୁ ମାଡ଼ ମାରିଥିଲେ। ଯୁବତୀଜଣକ ବିନା ଟିକେଟ୍‌ରେ ଯାତ୍ରା କରିବାକୁ ଚାହିବାରୁ ଯୁକ୍ତିତର୍କ ହୋଇଥିଲା ଓ ଉତ୍‌କ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ କରିଥିଲେ ବୋଲି କର୍ମଚାରୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର