ସୋମବାରଠୁ ରାଜଧାନୀରେ ସଂପୂର୍ଣ୍ଣ ମୋ ବସ୍ ସେବା

ଭୁବନେଶ୍ୱର: ସାଧାରଣ ପରିବହନ ଉପରେ ନିର୍ଭର କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର ଆଣିଛି ମୋ ବସ୍ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଯାତ୍ରୀମାନଙ୍କୁ ଆସନ୍ତା ସୋମବାର (ଜୁଲାଇ ୧୯) ଠାରୁ ରାଜଧାନୀ ଭୁବନେଶ୍ୱରରେ ସଂପୂର୍ଣ୍ଣ ରୂପେ ମୋ ବସ୍ ସେବା ଯୋଗାଇ ଦିଆଯିବ । ରେଳଯାତ୍ରୀଙ୍କ ପାଇଁ ଶୁକ୍ରବାର-ରବିବାର ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯିବ । ସେହିପରି ବିମାନବନ୍ଦରରୁ ମୋ ବସ୍ ସେବା ଜାରି ରହିବ । କ୍ରୁଟ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି ।

 

ସୂଚନାଯୋଗ୍ୟ, କୋଭିଡ୍‌-୧୯ ସଂକ୍ରମଣର ୨ୟ ଲହର ବ୍ୟାପିବା ପରେ ଭୁବନେଶ୍ୱର ସମତେ ସମଗ୍ର ରାଜ୍ୟ ଗତ ମେ’ ମାସ ୫ ତାରିଖ ଠାରୁ ଲକ୍‌ଡାଉନ୍ ହୋଇଛି । ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେଉଛି । ଜୁଲାଇ ୧୬ ତାରିଖ ଠାରୁ ଅନ୍ତଃ ରାଜ୍ୟ ପରିବହନ ସେବା ଆରମ୍ଭ ହେଉଥିବା ବେଳେ କ୍ରୁଟ ପକ୍ଷରୁ ରାଜଧାନୀରେ ବସ୍ ସେବାକୁ ପୁଣି ଥରେ ସକ୍ରିୟ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ରାଜଧାନୀର ସବୁଠାରୁ ବଡ଼ ସାଧାରଣ ପରିବହନ ସେବା ହେଉଛି ‘ମୋ ବସ୍‌’ । ଏହାରି ଉପରେ ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଆର୍ଥିକ ଓ ସୁରକ୍ଷା ଦୃଷ୍ଟିରୁ ମୋ ବସ୍ ଯାତ୍ରୀମାନଙ୍କର ପ୍ରଥମ ପସନ୍ଦ । କାରଣ ଜଣେ ବ୍ୟକ୍ତିଙ୍କୁ ଟ୍ୟାକ୍ସି କିମ୍ବା ଅଟୋରେ ଗୋଟିଏ ସ୍ଥାନକୁ ଯିବାକୁ ହେଲେ ମୋ ବସ୍ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ସମ୍ବନ୍ଧିତ ଖବର