ବିମାନ ବନ୍ଦର ଓ ରେଳ ଷ୍ଟେସନରୁ ‘ମୋ ବସ୍‌’ ସେବା ମିଳିବ

ନୋ ମାସ୍କ, ନୋ ଏଣ୍ଟ୍ରି, ମୋ ସାଇକେଲ୍‌ ଗଡ଼ିବା ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି

ଭୁବନେଶ୍ବର : ପ୍ରାୟ ଦେଢ଼ ମାସ ପରେ ପୁଣି ରାଜଧାନୀରେ ମୋ ବସ୍‌ ଗଡ଼ିବ। ଏବେ କେବଳ ଭୁବନେଶ୍ବର ବିମାନ ବନ୍ଦର ଓ ରେଳ ଷ୍ଟେସନରୁ ମୋ ବସ୍‌ ଗଡ଼ିବ। ବିମାନ ଓ ରେଳରେ ଆସୁଥିବା ଯାତ୍ରୀଙ୍କ ଯାତାୟତକୁ ନଜରରେ ରଖି ମୋ ବସ୍‌ ଗଡ଼ିବ। ଏବେ କେବଳ ଭୁବନେଶ୍ବର, ଖୋର୍ଦ୍ଧା ଓ କଟକର ନିର୍ଦ୍ଦିଷ୍ଟ କେତେକ ରୁଟ୍‌ରେ ଏହି ବସ୍‌ ଗଡ଼ିବ। ପ୍ରଥମ ପର୍ଯ୍ୟାୟରେ ୪ଟି ‘ମୋ ବସ୍‌’ ଚାଲିବ।

ମୋ ବସ୍‌ରେ ବି ସାଧାରଣ ଲୋକ ଯାତାୟତ କରିପାରିବେ। କିନ୍ତୁ ମାସ୍କ ପିନ୍ଧିନଥିଲେ ଗାଡ଼ିରେ ଚଢ଼ିବାକୁ ଅନୁମତି ମିଳିବନି। ବସ୍‌ ଭିତରେ ଯେପରି ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବ ସେନେଇ ପଦକ୍ଷେପ ନିଆଯିବ। ଏବେ ପ୍ର‌ତିଦିନ ମୋ ବସ୍‌ ବିଶୋଧନ କରାଯାଉଛି। ତେଣୁ ଏହାର ଯାତାୟତରେ କିଛି ସମସ୍ୟା ନାହିଁ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ସେହିପରି ଲକ୍‌ଡାଉନ୍‌ ଦିନ ଠାରୁ ଅଚଳ ହୋଇପଡ଼ିଥିବା ମୋ ସାଇକେଲ୍‌ ସେବା ପୁଣି ଆରମ୍ଭ କରିବାକୁ ଯୋଜନା ହୋଇଛି। ବିଭିନ୍ନ ସ୍ଥାନରେ ପଡ଼ିଥିବା ମୋ ସାଇକେଲ୍‌ଗୁଡ଼ିକୁ ମରାମତି କରି ପ୍ରସ୍ତୁତ ରଖିବାକୁ ଘରୋଇ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଆଣି ମୋ ସାଇକେଲ୍ ସେବା ସ୍ବାଭାବିକ କରିବୁ ବୋଲି ‌କ୍ରୁଟ୍‌ର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର