ଚାଲିଲା ‘ମୋ ବସ୍’, ପ୍ରଥମ ଦିନରେ ୧୫ ହଜାର ଯାତ୍ରୀ

ଖଣ୍ଡଗିରି : କରୋନା କଟକଣା କୋହଳ ହେବା ପରେ ସୋମବାରଠାରୁ ପୁଣି ‘ମୋ ବସ୍‌’ ସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୬ଟି ରୁଟ୍‌ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ପର୍ଯ୍ୟନ୍ତ ‘ମୋ ବସ୍’ ଗଡ଼ିଥିବାବେଳେ ୧୫ ହଜାର ଯାତ୍ରୀ ଏହି ସେବାରୁ ଉପକୃତ ହୋଇଛନ୍ତି। ମାତ୍ର ଅଧିକାଂଶ ରୁଟ୍‌ରେ ଠିକ୍‌ ସମୟରେ ବସ୍ ନ ଆସିବାରୁ ଯାତ୍ରୀଙ୍କ ମଧ୍ୟରେ ଅସ‌ନ୍ତୋଷ ସୃଷ୍ଟି ହୋଇଥିଲା।

ସୋମବାର ୧୬ଟି ରୁଟ୍‌ରେ ୭୮ଟି ବସ୍ ଚଳାଚଳ କରିଥିଲା। ସାଇ ମନ୍ଦିର(ରୁଟ୍‌ ୨୪), ଡୁମୁଡୁମା ରୁ ମଞ୍ଚେଶ୍ବର(ରୁଟ୍‌ ୨୫), ମାଷ୍ଟରକ୍ୟାଣ୍ଟିନରୁ ଛତାବର(ରୁଟ୍‌ ୩୦), ରେଳ ଷ୍ଟେସନରୁ କୋଣାର୍କ(ରୁଟ୍‌ ୭୦), ରେଳ ଷ୍ଟେସନରୁ ବାଳକାଟି(ରୁଟ୍‌ ୩୪), ମାଷ୍ଟରକ୍ୟାଣ୍ଟିନରୁ ପିପିଲି(ରୁଟ୍‌ ୩୩), ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା (ରୁଟ୍‌ ୩୨) ଆଦି ରୁଟ୍‌ରେ ବସ୍‌ ଚଳାଚଳ କରିଥିଲା। ସକାଳ ବେଳା ବହୁ ସଂଖ୍ୟାରେ ଦିନମଜୁରିଆମାନେ ‘ମୋ ବସ୍‌’ରେ ଯାତାୟତ କରୁଥିବା ଦେଖିବାକୁ ମିଳିଥିଲା। ସୋମବାର ପାଖାପାଖି ୧୫ ରୁ ୨୦ ହଜାର ଯାତ୍ରୀ ‘ମୋ ବସ୍‌’ରେ ଯାତାୟାତ କରିଥିବା ନେଇ ସୂଚନା ଦେଇଛନ୍ତି କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର।

ଶ୍ରୀମତୀ ମହାପାତ୍ର କହିଛନ୍ତି ଯେ ପ୍ରଥମ ଦିନରେ ପ୍ରତି ବସ୍ ରେ ୭୦ ରୁ ୮୦ ଶତକଡ଼ା ସିଟ୍‌ରେ ଯାତ୍ରୀମାନେ ଯାତ୍ରା କରିଛନ୍ତି। ଆଗାମୀ ୭ ଦିନ ଯାତ୍ରୀଙ୍କ ସଂଖ୍ୟା ଦେଖି ଅଧିକ ବସ୍‌ ସେବାରେ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ ସମୟ ସାରଣୀ ଅନୁସାରେ ଆଜି କିଛି ରୁଟ୍‌ରେ ବସ୍‌ ନ ଆସିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଅନେକ ଯାତ୍ରୀ ଖରାରେ ବସ୍‌କୁ ଅପେକ୍ଷା କରି ହତାଶ ହେବା ପରେ ଅନ୍ୟ ଗାଡ଼ିରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ। ଫାୟାର୍‌ ଷ୍ଟେସନ ଛକରେ ଅପେକ୍ଷା କରିଥିବା ଜଣେ ଯାତ୍ରୀଙ୍କ କହିବା ମୁତାବକ ସେ ୨୪ ନମ୍ୱର୍ ବସ୍ ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ମଧ୍ୟ ‘ମୋ ବସ୍’ ଆସି ନଥିଲା। ତେଣୁ ବାଧ୍ୟ ହୋଇ ସେ ଅଟୋ ଭଡ଼ା କରିଥିଲେ ଓ ଖର୍ଚ୍ଚାନ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ‘ମୋ ବସ୍‌’ କେବଳ ଭୁବନେଶ୍ବର ରେଳ‌ଷ୍ଟେସନ, ବିମାନବନ୍ଦର, କଟକ, ଖୋର୍ଦ୍ଧାକୁ ଚଳାଚଳ କରିବ। ଏହି ଦୁଇ ଦିନ ୧୦, ୧୧, ୧୨, ୧୬, ୧୮, ୧୯, ୨୦, ୨୨(ଏ), ୨୨(ବି), ୨୩, ୨୪, ୨୫, ୩୦, ୩୨, ୩୩, ୩୪ ଓ ୭୦ ନମ୍ବର ରୁଟ୍‌ରେ ‘ମୋ ବସ୍‌’ ଚଳାଚଳ କରିବ।

Bhubaneswar Buzz

ବରମୁଣ୍ଡା ବସଷ୍ଟାଣ୍ଡରୁ ଗଡ଼ିଲା ୮୦୦ ବସ୍‌
ଖଣ୍ଡଗିରି : ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ବନ୍ଦ ପଡ଼ିଥିବା ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସୋମବାର ଚଳଚଞ୍ଚଳ ହୋଇଛି। ସୋମବାର ଏହି ବସ୍‌ଷ୍ଟାଣ୍ଡରୁ ପୁରୀ, କଟକ, ଢେଙ୍କାନାଳ, ବାରିପଦା, କେନ୍ଦ୍ରାପଡ଼ା ସମେତ ବିଭିନ୍ନ ଜିଲ୍ଲାକୁ ମୋଟ ୮୦୦ ବସ୍‌ ଗଡ଼ିଛି ବୋଲି କହିଛନ୍ତି ବସ୍‌ ମାଲିକ ସଂଘ ଆବାହକ ଦେବାଶିଷ ନାୟକ। ତେବେ ରାଜ୍ୟ ବାହାରକୁ ଚଳାଚଳ ଅନୁମତି ନଥିବାରୁ ୨ ଶହ ବସ୍‌ ଗଡ଼ି ନାହିଁ।

ସୂଚନା ଅନୁଯାୟୀ, ରାଜଧାନୀରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ୧୩୦୦ରୁ ଊର୍ଧ୍ବ ବସ୍ ଚଳାଚଳ କରିଥାଏ। ଏଥିରେ ସାଧାରଣ, ଏକ୍ସପ୍ରେସ୍‌, ଡିଲକ୍ସ, ସୁପରଡିଲକ୍ସ ଆଦି ବସ୍‌ ରହିଛି। ତେବେ ରାଜ୍ୟରେ ସଂକ୍ରମଣ କମିବା ସହ କଟକଣା ଆହୁରି କୋହଳ ହେଲେ ଆଗାମୀ ଦିନରେ ଆହୁରି ବସ୍‌ ଗଡ଼ିବ ବୋଲି ଆଶା କରାଯାଉଛି। ଆଜି କ୍ଷମତା ଅନୁସାରେ ଯାତ୍ରୀ ହୋଇ ନଥିଲେ ମଧ୍ୟ ପ୍ରାୟ କୌଣସି ବସ୍‌ ଖାଲି ନଥିଲା। ଅଧିକାଂଶ ବସ୍‌ରେ ପ୍ରାୟ ୧୫ରୁ ୨୦ ଯାତ୍ରୀ ଯାଇଥିଲେ। ବସଷ୍ଟାଣ୍ଡରେ ବିଶେଷ ଭିଡ଼ ନଥିଲା। ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ଅନୁମତି ରହିଥିଲେ ମଧ୍ୟ ବସଷ୍ଟାଣ୍ଡ‌ରେ ଥିବା ଅଧିକାଂଶ ଦୋକାନ ଏବଂ ହୋଟେଲ ବନ୍ଦ ରହିଥିଲା। ଏଥିଯୋଗୁଁ ଉଭୟ ଯାତ୍ରୀ, ବସ୍‌ ମାଲିକ ଏବଂ କର୍ମଚାରୀ ହଇରାଣ ହୋଇଥିଲେ। ବସ୍‌ ମାଲିକ ସଂଘର ଦାବି ପୂରଣ ନେଇ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ବସ୍‌ ମାଲିକମାନେ ଗାଡ଼ି ଚଳାଚଳ ଆରମ୍ଭ କରିଛନ୍ତି।

 

ସମ୍ବନ୍ଧିତ ଖବର