ନିଷ୍ପତ୍ତି ପରେ ବି ସ୍ବାଭାବିକ ହେଲାନି ସ୍ଥିତି, ବସ୍‌କୁ ଅପେକ୍ଷା କରି ହଇରାଣ ହେଲେ ଯାତ୍ରୀ

ଚାଲିଲା ମୋ ବସ୍‌, ଯାତ୍ରୀ ନାହାନ୍ତି

ଭୁବନେଶ୍ବର: କରୋନା କଟକଣା ପ୍ରଭାବରେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ ସରକାର ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବାକୁ ଚେଷ୍ଟା କରିଛନ୍ତି। ସେଥିପାଇଁ ବୁଧବାର ବସ୍‌ ମାଲିକ ସଂଘଙ୍କ ସହ ହୋଇଥିବା ଆଲୋଚନା ଅନୁଯାୟୀ ଗୁରୁବାରଠାରୁ ବସ୍‌ ଗଡ଼ିବ ବୋଲି ବସ୍‌ ମାଲିକ ସଂଘ ରାଜି ହୋଇଥିଲା। ଏହି ନିର୍ଣ୍ଣୟ ପରେ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସ୍ଥିତି ସୁଧୁରିପାରି ନାହିଁ। ଅନେକ ସ୍ଥାନରେ ବସ୍‌କୁ ଅପେକ୍ଷା କରି କରି ଯାତ୍ରୀ ହଇରାଣ ହୋଇଥିବା ଦେଖା ଯାଇଥିଲା। କେତେକ ସ୍ଥା‌ନରେ ବସ୍‌କୁ ଅପେକ୍ଷା କରି ଯାତ୍ରୀ ଫେରିଥିଲା ବେଳେ ଅନ୍ୟ କେତେକ ସ୍ଥାନରେ ଯାତ୍ରୀ କମ୍‌ ମିଳିବାରୁ ବେପାର ମାନ୍ଦା ଡରରେ ବସ୍‌ ମାଲିକମାନେ ଗାଡ଼ି ଚଲାଇବା ବି ବନ୍ଦ କରି ଦେଇଥିଲେ।

।ମୁଁ ଏଠି ପାଠ ପଢ଼େ। ଲକ୍‌ଡାଉନ୍‌ ପରଠୁ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ମୁଁ ଘରକୁ ଯାଇପାରୁ ନ ଥିଲି। ଆଜି ବସ୍‌ ଚାଲିବ ବୋଲି ଜାଣିବା ପରେ ଘରକୁ ବାହାରି ଥିଲି। ସେଥିପାଇଁ ସିଆର୍‌ପି ଛକରେ ସକାଳ ୧୦ଟାରୁ ଅପର‌ାହ୍‌ଣ ୪ଟା ପର୍ଯ୍ୟନ୍ତ ଅପେକ୍ଷା କଲି ହେଲେ ଗୋଟେ ହେଲେ ବି ଗାଡ଼ି ଆସିଲାନି। ବାଧ୍ୟ ହୋଇ ଘରକୁ ଫେରିବାକୁ ପଡ଼ିଲା। ଦେଖିବା କାଲି କ’ଣ ହେଉଛି।

-ଶୁଭ୍ରାଲିନ୍‌ ମାର୍ଥା, ଯାତ୍ରୀ
।ପୁରୀର ମୋର ଗୋଟିଏ ଅତି ଜରୁରୀ ବ୍ୟାବସାୟିକ କାମ ଥିବାରୁ ଜଣେ ଲୋକଙ୍କଠୁ ସାହଯ୍ୟ ନେଇ ଭୁବନେଶ୍ବର ଆସିଥିଲି। ପରେ ଯିବା ପାଇଁ ଆଉ ସୁବିଧ‌ା ସୁଯୋଗ ପାଇଲିନି। ସେଥିପାଇଁ ବଡ଼ଗଡ଼ ବ୍ରିଟ କଲୋନିରେ ଥିବା ଜଣେ ବନ୍ଧୁଙ୍କ ଘରେ ୭ଦିନ ରହିଲି। ବସ୍‌ ଚାଲିବ ବୋଲି ଜାଣିବା ପରେ ଖୁସି ହୋଇ କଳ୍ପନା ଛକ ପଳେଇ ଆସିଥିଲି। ଅପରାହ୍‌ଣ ୩ଟାରୁ ୫ଟା ଯାଏଁ ଅପେକ୍ଷା କଲି ହେଲେ ଗୋଟେ ବି ଗାଡ଼ି ଆସିଲାନି। କେତେଦିନ ଆଉ ସାଙ୍ଗ ଘରେ ରହିବି। ସେଥିପାଇଁ ଏବେ ଚାଲି ଚାଲି ଘରକୁ ଯିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ।

-କମଳନାଥ ସିହ୍ନା, ଯାତ୍ରୀ
।ଆଜି ସକାଳେ ଆମର ପୁରୀ ଓ ବ୍ରହ୍ମପୁର ଏବଂ ବୌଦ୍ଧକୁ ଗାଡ଼ି ଯାଇଛି। ସେଥିରେ କିନ୍ତୁ ୪ରୁ ୫ଜଣ ଯାତ୍ରୀ ଥିଲେ। ସେତିକି ହେଲେ ବି ଗାଡ଼ି ଚଳାଇଥିଲୁ। ଲୋକ ନହେଲେ ଖର୍ଚ୍ଚ କେମିତି ଉଠିବ। ଅନ୍ୟପକ୍ଷ‌ରେ ଲକ୍‌ଡାଉନ୍‌ ପରେ ପାଖରେ ଟଙ୍କା ବି ନାହିଁ। ଗାଡ଼ି କେମିତି ଯିବ। ବାହାର ଜିଲ୍ଲାରୁ ବି କୌଣସି ଗାଡ଼ି ବସଷ୍ଟାଣ୍ଡକୁ ଆସିନି। ସନ୍ଧ୍ୟା ୭ରୁ କର୍ଫ୍ୟୁ ସ୍ଥିତି। ରାତିରେ ଲୋକ ବି ଆସିବେନି। ଲୋକ ନ ହେଲେ ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା ପରିସ୍ଥିତି ହେବ। ତଥାପି ଆମେ ବସ୍‌ ଚଲାଇବା ଆରମ୍ଭ କରିଦେଇଛୁ।

-ବରଦା ଆଚାର୍ଯ୍ୟ, ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ
।ରାୟଗଡ଼ା, ବାଲେଶ୍ବର ପାଇଁ ଗାଡ଼ି ଲାଗିଥିଲା। କିନ୍ତୁ ଲୋକ ହେଲେନି ବୋଲି ଗାଡ଼ି ରହିଗଲା। ଭବାନୀପାଟନା ଓ ରାୟଗଡ଼ା ପାଇଁ ରାତିରେ ଗାଡ଼ି ଯିବ। ପୁରୀକୁ ଯିବା ପାଇଁ ମୋର ୮ଟା ବସ୍‌ ଥିଲେ ବି ବସ୍‌ଷ୍ଟାଣ୍ଡରେ ଲୋକ ତ ହେଲେନି ଚଳେଇବି କୁଆଡ଼େ। ଅନ୍ୟପକ୍ଷରେ ବସ୍‌ ଚଲାଇବା ପାଇଁ ଷ୍ଟାଫ୍‌ମାନେ ବି ନାହାନ୍ତି। ସବୁ ଡ୍ରାଇଭର୍‌ମାନେ ଘରକୁ ପଳେଇଛନ୍ତି ଗାଡ଼ି ଚାଲିବ କେମିତି।
-ଉ‌‌‌ପେନ୍ଦ୍ର ପ୍ରଧାନ, ଶାରଳା ବସ୍‌ ମାଲିକ

ଭୁବନେଶ୍ବର: ସରକାର ଗତକାଲିଠାରୁ ମୋ ବସ୍ ସେବା ରାଜଧାନୀ ଭୁବନେଶ୍ବର ଓ କଟକରେ ଆରମ୍ଭ କରିଛନ୍ତି। କିନ୍ତୁ ଦ୍ବୈତନଗରୀରେ ଗଡ଼ୁଥିବା ଏହି ମୋ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ଅତିମାତ୍ରାରେ ହ୍ରାସ ପାଇଛି। ମିଳିଥିବା ସୂଚନାନୁଯାୟୀ, ଗତକାଲିଠୁ ୭ଟି ରୁଟ୍‌ରେ ଗଡ଼ୁଥିବା ମୋ ବସ୍‌ରେ ମାତ୍ର ୬ ହଜାର ଯାତ୍ରୀ ଯାତ୍ରା କରିଥିବା ବେଳେ ଆଜି ମଧ୍ୟ ଯାତ୍ରୀ ସଂଖ୍ୟା ସେହି ୭ହଜାର ମଧ୍ୟରେ ସୀମିତ ଅଛି। ତାଲାବନ୍ଦ ପୂର୍ବରୁ ମୋ ବସ୍‌ର ଦୈନିକ ଚିତ୍ର ଦେଖିଲେ ପ୍ରତିଦିନ ହାରାହାରି ଲକ୍ଷେ ୨୦ ହଜାର ପର୍ଯ୍ୟନ୍ତ ଯାତ୍ରୀ ଯିବା ଆସିବା କରୁଥିଲେ। ବର୍ତ୍ତମାନ କିନ୍ତୁ ଏହି ସଂଖ୍ୟା ୬ରୁ ୭ ହଜାରରେ ସୀମିତ ରହିଛି।

କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ବର୍ତ୍ତମାନ ଯେଉଁ ଲୋକମାନଙ୍କର ଆବଶ୍ୟକ ପଡ଼ୁଛି, ସେମାନେ ବାହାରକୁ ବାହାରୁଛନ୍ତି। ମଲ୍, ସିନେମା ହଲ, କଲେଜ ଆଦି ପ୍ରମୁଖ ଜାଗାଗୁଡ଼ିକ ବନ୍ଦ ଥିବାରୁ ଲୋକେ ଘରୁ ବାହାରୁ ନାହାନ୍ତି। ଅପରପକ୍ଷରେ ସନ୍ଧ୍ୟା ୭ ପରେ ସବୁ ଦୋକାନ ବଜାର ବନ୍ଦ ପାଇଁ କଟକଣା ଥିବାରୁ ଯାତ୍ରୀ କମିବାର ଏହା ଏକ ପ୍ରମୁଖ କାରଣ। ସେହିଭଳି ମୋ ବସ୍‌ର ଯାତ୍ରୀ ହୃଷୀକେଶ ନାୟକ କହିଛନ୍ତି, କରୋନା ପାଇଁ ମୋ ବସ୍‌ରେ ଯିବାକୁ ଭୟ ଲାଗୁଛି। ଯଦି କୌଣସି ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସନ୍ତି କରୋନା ସଂକ୍ରମଣର ସମ୍ଭାବନା ରହୁଛି। ବସ୍‌ରେ ଯାତ୍ରୀ ଯେ କରୋନା ଆକ୍ରାନ୍ତ ନଥିବେ, ତା’ର ଗ୍ୟାରେଣ୍ଟି କିଏ ଦେବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର