ଭୁବନେଶ୍ବର : ଆସନ୍ତା ୨୨ ତାରିଖ କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। କ୍ରିକେଟ୍ ପ୍ରେମୀମାନଙ୍କ ସୁବିଧାକୁ ଆଖିରେ ରଖି କ୍ରୁଟ୍ ପକ୍ଷରୁ ସ୍ବତନ୍ତ୍ର ମୋ’ ବସ୍ ସେବା ଯୋଗାଇ ଦିଆଯିବ। ଏହି ମୋ’ ବସ୍ ସେବା ମାଷ୍ଟରକ୍ୟାଣ୍ଟିନ୍ଠାରୁ ବାରବାଟୀ ଷ୍ଟାଡିୟମ୍ ଯାଏ ଏବଂ ବରମୁଣ୍ତାଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଉପଲବ୍ଧ ହେବ। ମାଷ୍ଟର କ୍ୟାଣ୍ଟିନ୍ରୁ ବାହାରିବାକୁ ଥିବା ବସ୍ଟି ଭାୟା ଜାତୀୟ ରାଜପଥ ଓ ବରମୁଣ୍ଡା ବସ୍ ଭାୟା ନନ୍ଦନକାନନ ହୋଇ କଟକ ବାରବାଟୀ ଷ୍ଟାଡିୟମ୍ର ପାର୍କିଂ ନିକଟରେ ପହଞ୍ଚିବ। ଏହି ସ୍ବତନ୍ତ୍ର ବସ୍ ସେବା ସକାଳ ୮ଟା ୩୦ରୁ ପୂର୍ବାହ୍ନ ୧୧ଟା ଏବଂ ପୁଣି ଥରେ ଫେରିବା ଯାତ୍ରୀଙ୍କ ପାଇଁ ରାତି ୧୦ଟାରୁ ମଧ୍ୟରାତ୍ରି ଯାଏ ଉପଲବ୍ଧ ହେବ। ଏହି ସ୍ବତନ୍ତ୍ର ବସ୍ ସେବା ପାଇଁ ଏକ ସ୍ବତନ୍ତ୍ର ବସ୍ ଭଡ଼ା ୩୦ଟଙ୍କା ନିର୍ଦ୍ଧାରିତ ହୋଇଛି।
କ୍ରୁଟ୍ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ ଯାତ୍ରୀମାନେ ନିଜସ୍ବ ଗାଡ଼ି ବ୍ୟବହାର ନ କରି ଏହାଦ୍ବାରା ସୁବିଧାଜନକ ଭାବେ ସ୍ବଳ୍ପ ଖର୍ଚ୍ଚରେ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚି ପାରିବେ। ମୋ’ ବସ୍ ସେବାର ବ୍ୟବହାର ଦ୍ବାରା ଯାତ୍ରୀମାନଙ୍କୁ ଟ୍ରାଫିକ ଜାମ୍ର କଷ୍ଟରୁ ମଧ୍ୟ ମୁକ୍ତି ମିଳିବ। ଅଧିକରୁ ଅଧିକ ଲୋକ ଏହାଦ୍ବାରା ଲାଭାନ୍ବିତ ହୋଇପାରିବେ। ବରମୁଣ୍ତାରୁ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଗଲା ବେଳେ ଏହି ବସ୍ ଜୟଦେବ ବିହାର, ନନ୍ଦନକାନନ ଓ ଜୁଡିସିଆଲ ଏକାଡେମି ପାଖରେ ରହିବ। ଫେରିବା ସମୟରେ ମଧ୍ୟ କେବଳ ନିର୍ଦ୍ଧାରିତ ସ୍ଥାନରେ ରହଣି କରିବ। ସେହିପରି ମାଷ୍ଟରକ୍ୟାଣ୍ଟିନରୁ ବାରବାଟୀ ଷ୍ଟାଡିୟମ୍ ଯାଉଥିବା ବସ୍ ବାଣୀବିହାର ଛକ, ନଖରା ଛକ, ଲିଙ୍କ ରୋଡ୍ରେ ରହିବ। ଫେରିବା ସମୟରେ ମଧ୍ୟ ଏହି ୩ଟି ନିର୍ଦ୍ଧାରିତ ସ୍ଥାନରେ ବସ୍ ରୋକାଯିବ ବୋଲି ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/mo-bus.jpg)