ଅସ୍ବଚ୍ଛ ଅବସ୍ଥାରେ ରାଜଧାନୀର ମୋ’ ବସ୍‌ଷ୍ଟାଣ୍ଡ

ଭୁବନେଶ୍ବର: ରାଜଧାନୀର ବହୁ ମୋ ବସ୍‌ଷ୍ଟାଣ୍ଡ ପରିବେଶ ବଡ଼ ଅସ୍ବଚ୍ଛ ଅବସ୍ଥାରେ ରହିଛି। କିଛି କିଛି ବସ୍‌ଷ୍ଟାଣ୍ଡରେ ଡଷ୍ଟବିନ୍‌ ରହିଥିଲେ ବି ସବୁଠି ନାହିଁ। ଯେଉଁଠି ବି ଡଷ୍ଟବିନ୍‌ ଅଛି, ତାହା ଆବର୍ଜନାରେ ପୋତି ହୋଇଗଲାଣି। ନିୟମିତ ବ୍ୟବଧାନରେ ସଫେଇ ହେଉନଥିବାରୁ ଡଷ୍ଟବିନ୍‌ ଭର୍ତ୍ତି ହୋଇଯିବା ପରେ ଅଳିଆ ଆବର୍ଜନା ବାହାରେ ପଡ଼ୁଛି। ଦୀର୍ଘ ଦିନ ଧରି ପଡ଼ି ରହୁଥିବା ଆବର୍ଜନାରୁ ବାହାରୁଥିବା ଦୁର୍ଗନ୍ଧ‌କୁ ସହ୍ୟ କରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ରାଜଧାନୀରେ ମୋ’ ବସ୍‌ ସେବା ବିଭିନ୍ନ ମହଲରେ ପ୍ରଶଂସା ସାଉଁଟୁଥିଲେ ବି ବହୁ ବସ୍‌ଷ୍ଟାଣ୍ଡର ଅପରିଷ୍କାର ପରିବେଶକୁ ସବୁଦିନ ଦେଖୁଥିବା ଯାତ୍ରୀମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ସବୁଦିନ ନାକରେ ରୁମାଲ ବାନ୍ଧି ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରୁଥିବା ଯାତ୍ରୀ ଏହି ସେବାକୁ ପ୍ରଶଂସା କରିବାକୁ ଦ୍ବିଧାବୋଧ କରୁଛି।

ନୂଆପଲ୍ଲୀ ଅଞ୍ଚଳର କିଛି ବସ୍‌ଷ୍ଟାଣ୍ଡର ପରିବେଶରୁ ଉପରୋକ୍ତ ସମସ୍ୟା ଜଳଜଳ ହୋଇ ଦେଖାଯାଏ। ସିଆର୍‌ପି ଛକ ବସ୍‌ଷ୍ଟାଣ୍ଡର ଅବସ୍ଥା ବଡ଼ କଦର୍ଯ୍ୟ। ଏଠାରେ ଡଷ୍ଟବିନ୍‌ ଭର୍ତ୍ତି ହୋଇସାରିଥିବାରୁ ବସ୍‌ଯାତ୍ରୀମାନେ ପକାଉଥିବା ଅଳିଆ ଆବର୍ଜନା ଏଣେତେଣେ ବିଛାଡ଼ି ହୋଇ ପଡ଼ିରହୁଛି। ସଫେଇ ହେଉନଥିବାରୁ ଅଳିଆ ଆବର୍ଜନା ପଡ଼ିପଡ଼ି ଗଦା ହୋଇଗଲାଣି। ବର୍ଷା‌ରେ ଭିଜିଭିଜି ଉକ୍ତ ଆବର୍ଜନା ଗଦାରୁ ଦୁର୍ଗନ୍ଧ ବାହାରୁଛି। ସେହିଭଳି ଆଚାର୍ଯ୍ୟବିହାର ବସ୍‌ଷ୍ଟାଣ୍ଡରେ ବି ଡଷ୍ଟବିନ୍‌ ଭର୍ତ୍ତି ହୋଇଯାଇଛି ଓ ସେଥିରୁ ଅଳିଆ ବାହାର କରାଯାଉନାହିଁ। ଏମିତି ଦେଖିଲେ ବରମୁଣ୍ଡା, ଖଣ୍ଡଗିରି, ରସୁଲଗଡ଼, ବମିଖାଲ ଓ ଜୟଦେବବିହାର-ନନ୍ଦନକାନନ ରୋଡ୍‌ରେ ଥିବା ପ୍ରାୟ ସବୁ ବସ୍‌ଷ୍ଟାଣ୍ଡର ଅବସ୍ଥା ସମାନ। ବିଏମ୍‌ସି ସଫେଇ ବ୍ୟବସ୍ଥା ନଜରରୁ କିଭଳି ଏହି ସବୁ ବସ୍‌ଷ୍ଟାଣ୍ଡ ବାଦ୍‌ ପଡ଼ୁଛି, ତାହାକୁ ନେଇ ଯାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। ସମ୍ପ୍ରତି ସହରକୁ ସ୍ବଚ୍ଛ ରଖିବା ପାଇଁ ବିଏମ୍‌ସି ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ ଉପରେ ଚଢ଼ଉ କରୁଥିବା ବେଳେ ମୋ’ ବସ୍‌ଷ୍ଟାଣ୍ଡ ଉପରେ ମଧ୍ୟ ନଜର ଦେବା ଉଚିତ ବୋଲି ଯାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର