ଭୁବନେଶ୍ବର : ସ୍ମାର୍ଟ ସିଟି ରାଜଧାନୀର ସ୍ମାର୍ଟ ବସ୍ ଷ୍ଟପ୍ସବୁ ପାଲଟିଛି ନିଶାଡ଼ିଙ୍କ ଆସରସ୍ଥଳ। କେଉଁଠି ଲାଇଟ୍ ଜଳୁନାହିଁ ତ କେଉଁଠି ଯାତ୍ରୀଙ୍କ ବସିବାକୁ ଲାଗିଥିବା ଚଉକି ସବୁ ଭାଙ୍ଗିଗଲାଣି। ବିଶେଷକରି ରାତିରେ ଲାଇଟ୍ ଜଳୁ ନଥିବାରୁ ଅନ୍ଧାରର ସୁଯୋଗ ନେଇ ନିଶାଡ଼ି ଓ ଅସାମାଜିକ ତତ୍ତ୍ବମାନେ ସେଠାରେ ଆଡ଼ା ଜମାଉଛନ୍ତି। ପରିତାପର କଥା, ବହୁ ବସ୍ଷ୍ଟପ୍ରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଲଗାଯାଇଥିବା ରୁଟ୍ ନେଟ୍ୱାର୍କ ମ୍ୟାପ୍ ଓ ଜିପିଏସ୍ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ଫଳରେ ଏବେ ସଂଧ୍ୟାରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାରେ ପଡ଼ୁଥିବା ଅଭିଯୋଗ କରିଛନ୍ତି।
ରାଜଧାନୀବାସୀଙ୍କୁ ଉନ୍ନତମାନର ବସ୍ ସେବା ଯୋଗାଇବା ପାଇଁ ୨୦୧୮ ନଭେମ୍ବର ମାସରେ ‘ମୋ ବସ୍’ ସେବା ଆରମ୍ଭ ହୋଇଥିଲା। ସମୟକ୍ରମେ ୨୭ଟି ରୁଟ୍ରେ ୨୦୦ ରୁ ଊର୍ଦ୍ଧ୍ବ ବସ୍ ଚାଲୁଛି। ୩୧କୋଟି ଟଙ୍କା ବ୍ୟୟରେ ୮୩ଟି ‘ମୋ ବସ୍’ ଷ୍ଟପ୍ ନିର୍ମାଣ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ସବୁ ଷ୍ଟପ୍କୁ ଉନ୍ନତମାନର କରାଯାଇଛି। ବିଭିନ୍ନ ବସ୍ ରୁଟ୍ ଓ ସମୟ ସାରଣୀ ବାବଦରେ ସବୁ ଷ୍ଟପ୍ରେ ସୂଚନା ରହିଛି। ମାତ୍ର ଏବେ ରକ୍ଷାଣବେକ୍ଷଣ ଅବହେଳାରୁ ଏସବୁ ବ୍ୟବସ୍ଥା ନଷ୍ଟ ହେବାରେ ଲାଗିଛି। ଦୁର୍ବୃତ୍ତମାନେ ଲାଇଟ୍ ଚୋରି କରି ନେଲେଣି। ସେହିପରି ଅନେକ ସ୍ଥାନରେ ନେଟ୍ୱାର୍କ ମାନଚିତ୍ର, ଜିପିଏସ୍ ଓ ପାସେଞ୍ଜର୍ ଇନ୍ଫର୍ମେସନ୍ ସିଷ୍ଟମ୍ କାମ କରୁନାହିଁ। ସେହିପରି ବ୍ୟାକ୍ ଲାଇଟ୍ ସାଇନେଜ୍ ବୋର୍ଡ ମଧ୍ୟ ଅନେକ ସ୍ଥାନରେ ଭାଙ୍ଗି ଗଲାଣି। ବାଣୀବିହାର, ସତ୍ୟନଗର, ରୋଟାରି କ୍ଲବ୍, ରାଜଭବନ ଛକ, ରାଜଧାନୀ କଲେଜ, ଡୁମଡୁମା, ଖଣ୍ଡଗିରି, ବରମୁଣ୍ଡା, ଆଚାର୍ଯ୍ୟବିହାର, ଜୟଦେବବିହାର, କଳିଙ୍ଗ ଷ୍ଟାଡିୟମ୍ ଭଳି ଅନେକ ପ୍ରମୁଖ ସ୍ଥାନମାନଙ୍କରେ ଲାଇଟ୍ ଜଳୁ ନାହିଁ। ସ୍ମାର୍ଟ ଜନପଥରେ ଥିବା ବସ୍ ଷ୍ଟପ୍ଗୁଡ଼ିକ ଆଗରେ ସ୍ମାର୍ଟ କିଓସ୍କ ପ୍ରତିଷ୍ଠା କରାଯାଇଥିବାରୁ ଯାତ୍ରୀମାନେ ବସ୍ ଷ୍ଟପ୍ ବାବଦରେ ଜାଣିପାରୁନାହାନ୍ତି। ତେଣୁ ଅନେକ ସମୟରେ ଯାତ୍ରୀମାନେ ରାସ୍ତାକଡ଼ରେ ବସ୍କୁ ଅପେକ୍ଷା କରି ଠିଆ ହେଉଥିବା ଦେଖିବାକୁ ମିଳୁଛି।
ଏନେଇ କ୍ରୁଟ୍ର କମ୍ୟୁନିକେସନ୍ ସେଲ୍ ମୁଖ୍ୟ ମାନସ ନାୟକ କହିଛନ୍ତି ଯେ ‘ମୋ ବସ୍’ ଷ୍ଟପ୍ର ରକ୍ଷାଣବେକ୍ଷଣ ପାଇଁ ୨ଟି ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି। ସେମାନଙ୍କର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ବୁଲିବୁଲି ତଦାରଖ କରିବା କଥା। କେଉଁଠି କ’ଣ ଭାଙ୍ଗିଛି କି ଅସୁବିଧା ରହିଛି, ସେସବୁର ଫଟୋ ବା ଭିଡିଓ ଦେବା ପରେ ମରାମତି କାମ କରାଯାଇଥାଏ। କିନ୍ତୁ ଲକ୍ଡାଉନ୍ ପାଇଁ କାମ ବନ୍ଦ ରହିଥିଲା। କରୋନା କାଳରେ ଲକ୍ଡାଉନ୍, ସଟ୍ଡାଉନ୍ ପାଇଁ ‘ମୋ ବସ୍’ ଚଳାଚଳ ବନ୍ଦ ହୋଇଯିବାରୁ ବସ୍ ଷ୍ଟପ୍ଗୁଡ଼ିକର ଅବସ୍ଥା ଏମିତି ଶୋଚନୀୟ ହୋଇପଡ଼ିଲା। ଧୀରେଧୀରେ ସେସବୁକୁ ମରାମତି କରାଯାଇ ପୁଣି ପୁରୁଣା ଅବସ୍ଥାକୁ ଫେରାଇ ଅଣାଯିବ ବୋଲି ସେ କହିଛନ୍ତି।