‘ମୋ ବସ୍‌’ ସବ୍‌ସିଡି ୫କୋଟି କମାଅ

‘ମୋ ବସ୍‌’ ଚଳାଚଳ ନେଇ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
ଡିସେମ୍ବର ସୁଦ୍ଧା ଦୈନିକ ଯାତ୍ରୀ ସଂଖ୍ୟା ୧ଲକ୍ଷ ଛୁଇଁବ
ମୋ ବସ୍‌ ଦିନକୁ ୪୦,୮୧୪କିମି ଗଡ଼ୁଛି

ଭୁବନେଶ୍ବର : ଭୁବନେଶ୍ବର-କଟକ ଓ ଖୋର୍ଦ୍ଧାରେ ଏବେ ୨୦ଟି ରୁଟ୍‌ରେ ୨୦୦ଟି ମୋ ବସ୍‌ ଚାଲୁଥିବା ବେଳେ ଏଥିରେ ଦୈନିକ ପ୍ରାୟ ୭୦ ହଜାର ଲୋକ ଯାଉଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା ମୋ ବସ୍‌ରେ ଦୈନିକ ଯାତ୍ରୀଙ୍କ ସଂଖ୍ୟା ୧ଲକ୍ଷ ଛୁଇଁବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ହେଲେ ଏହି ମୋ ବସ୍‌ ପାଇଁ ରାଜ୍ୟ ସରକାର ବର୍ଷକୁ ୫୫କୋଟି ଟଙ୍କା ସବ୍‌ସିଡି ଦେଉଥିବାରୁ ଏହା ଅଧିକ ହୋଇଯାଉଛି। ଏହାକୁ ୫୦କୋଟିକୁ କମାଇବାକୁ ନଗନର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ସବ୍‌ସିଡି କମିଲେ ବି ସେବା ସହ ଯେପରି ସାଲିସ୍‌ ନହେବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ କହିଛନ୍ତି।

ଆଜି ଲୋକସେବା ଭବନରେ ମୋ ବସ୍‌ ଚଳାଚଳ ନେଇ ନଗର ଉନ୍ନୟନ ସମୀକ୍ଷା କରିବା ସମୟରେ କହିଛନ୍ତି ଯେ ଅଧିକରୁ ଅଧିକ ଲୋକ ଯେପରି ମୋ ବସ୍‌ରେ ଯାତାୟାତ କରିବେ, ସେନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସୁବିଧା ସୁଯୋଗରେ ଉନ୍ନତି ଅଣାଯାଉ। ୨୦ଟି ରୁଟ୍‌ରେ ବସ୍‌ ଚାଲୁଥିବା ବେ‌େଳ ଆଉ ଅଧିକ ରୁଟ୍‌ରେ ବସ୍‌ ଚଲାଇବା ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ମନ୍ତ୍ରୀ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଏବେ ଭୁବନେଶ୍ବର, କଟକ, ଖୋର୍ଦ୍ଧାରେ ମୋ ବସ୍‌ ଚାଲୁଥିବା ବେଳେ ଖୁବ୍‌ ଶୀଘ୍ର ପୁରୀ ଓ କୋଣାର୍କ ପର୍ଯ୍ୟନ୍ତ ଚଲାଇବା ନେଇ ପଦକ୍ଷେପ ନେବାକୁ କୁହାଯାଇଛି।

ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ ୨୦୦ଟି ମୋ ବସ୍‌ ଦୈନିକ ୨୦ଟି ରୁଟ୍‌ରେ ୧୮୦୦ଥର ଯାତାୟାତ କରୁଛି। ୨୦୦ଟି ବସ୍‌ ମଧ୍ୟରୁ ୧୦୦ଟି (୫୦ଟି ବାତାନୁକୂଳ ଓ ୫୦ଟି ଅଣବାତାନୁକୂଳ) ମଧ୍ୟମ ଧରଣର ବସ୍‌ ପଟିଆ ଡିପୋରେ ଥିବା ବେଳେ ୧୦୦ଟି ଅଣ ବାତାନୁକୂଳ ମିଡି ବସ୍‌ ପାତ୍ରପଡ଼ା ସମ୍‌ ଡିପୋରେ ରହୁଛି। ପଟିଆ ବସ୍‌ ଡିପୋରେ ଥିବା ବସ୍‌ଗୁଡ଼ିକ ଦୈନିକ ୨୨୦୭୮ କିମି ଯାଉଥିବା ବେଳେ ଏଥିରୁ ଏସି ବସ୍‌ଗୁଡ଼ିକ ୧୦୯୪୬କିମି ଏବଂ ନନ୍‌ଏସି ବସ୍‌ଗୁଡ଼ିକ ୧୧୧୩୨ କିମି ଯାଉଛି। ସେହିପରି ପାତ୍ରପଡ଼ା ବସ୍‌ ଡିପୋରେ ଥିବା ବସ୍‌ଗୁଡ଼ିକ ୧୮୭୩୬ କିମି ଯାଉଛି। ଏହିପରି ମୋ ବସ୍‌ ଦୈନିକ ୪୦,୮୧୪କିମି ଗଡ଼ୁଥିବା ବେଳେ ଗୋଟେ ମୋ ବସ୍‌ ହାରାହାରି ୨୨.୬୭କିମି ଯାଉଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର କ୍ରୁଟ୍‌କୁ ୫୦ଟି ଇଲେକ୍ଟ୍ରିକ୍ ବସ୍‌ ମିଳିବାକୁ ଥିବା ବେଳେ ଏନେଇ ରୁଟ୍‌ ଚାର୍ଟ ପ୍ରସ୍ତୁତ କରିବା ସହ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି।

ଆଜିର ବୈଠକରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍, ପୌରପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ପି.କେ ଝା, ଶୁଭେନ୍ଦୁ କାନୁନ୍‌ଗୋ, ଅନୁଶାସନ ସଚିବ ବେଲାଳସେନ ବେହେରା, କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର