ଭୁବନେଶ୍ବର : ମୋ’ ସାଇକେଲ୍’। ସ୍ମାର୍ଟ ସିଟି ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ପ୍ରଦୂଷଣମୁକ୍ତ ସହର ଗଢ଼ିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ସ୍ବପ୍ନର ପ୍ରକଳ୍ପ। ୨୦୧୮ ହକି ବିଶ୍ବକପ୍ ସମୟରେ ଉଦ୍ଘାଟିତ ଏହି ପ୍ରକଳ୍ପ ଆରମ୍ଭରୁ ସଫଳତା ଶୀର୍ଷରେ ପହଞ୍ଚିଥିଲା। ଏମିତିକି ଗୋଟିଏ ମାସରେ ୩୭ହଜାର ବ୍ୟକ୍ତି ସାଇକେଲ୍ ଚଳାଇଥିଲେ। କିନ୍ତୁ ଏବେ ଆଉ ସେପରି ଉତ୍ସାହ ଦେଖିବାକୁ ମିଳୁନାହିଁ। ପ୍ରକଳ୍ପ ଆରମ୍ଭ ସମୟରେ ଯେଉଁଭଳି ସଫଳତା ହାସଲ କରିଥିଲା, ପରବର୍ତୀ ସମୟରେ ତାହା ଦେଖିବାକୁ ମିଳୁନି। ଧୀରେ ଧୀରେ ଏହା ଦିଗହରା ହେବାରେ ଲାଗିଛି। ସାଇକେଲ୍ ଚୋରଙ୍କ ଉତ୍ପାତ ସାଙ୍ଗକୁ ସଚେତନତା ଅଭାବ ଯୋଗୁଁ ଏହି ପ୍ରକଳ୍ପ ଏବେ ଟ୍ରାକ୍ ବାହାରକୁ ଚାଲିଗଲାଣି। ସାଇକେଲ୍ ପାଇଁ ସହରରେ ଆଉ ଆଗ ଭଳି ରାସ୍ତା ନାହିଁ। ସାଇକେଲ୍ ଟ୍ରାକ୍କୁ କବ୍ଜା କରି ନେଲେଣି କାର୍, ବସ୍, ବାଇକ୍। ଯେଉଁଥିପାଇଁ ମୋ’ ସାଇକେଲର ଭବିଷ୍ୟତ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବଡ଼ କଥା ହେଉଛି ଯେ ଗତ ବର୍ଷକ ମଧ୍ୟରେ ୫୦ରୁ ଅଧିକ ସାଇକେଲ୍ ଚୋରି ହୋଇଗଲାଣି। ସହର ପାଇଁ ମୋଟ ଦୁଇ ହଜାର ସାଇକେଲ୍ ଅଣାଯାଇଥିଲା। ସେଥିମଧ୍ୟରୁ ୧୦୦ଟି ସାଇକେଲ୍କୁ ସଂରକ୍ଷିତ(ବ୍ୟାକ୍ଅପ୍) ଭାବେ ରଖା ଯାଇଥିବା ବେଳେ ୧୯୦୦ଟି ସାଇକେଲ ସହରର ୫୦୦ଟି ଷ୍ଟାଣ୍ଡରେ ରଖା ଯାଇଥିଲା। ପ୍ରକଳ୍ପ ଆରମ୍ଭ ହେବାର ୩ରୁ ୪ମାସ ପର୍ଯ୍ୟନ୍ତ ପ୍ରାୟତଃ ଠିକ୍ଠାକ୍ ଚାଲିଥିଲା। କିନ୍ତୁ ୨୦୧୯ ମାର୍ଚ୍ଚ ମାସ ପରେ ସବୁ କିଛି ବିଗିଡ଼ିଗଲା। ଆରମ୍ଭ ହୋଇଯାଇଥିଲା ସାଇକେଲ୍ ଚୋରଙ୍କ ପ୍ରାଦୁର୍ଭାବ। କିଏ ସାଇକେଲ୍ ନେଇ ଘରକୁ ପଳାଇଥିଲେ ତ ଆଉ କିଏ ତାଲା ତାଡ଼ି ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ମୋ’ ସାଇକେଲ୍ ଭୁବନେଶ୍ବରରୁ ଯାଇ ବ୍ରହ୍ମପୁର, ସମ୍ବଲପୁର, ପିପିଲି, ଖୋର୍ଧା, ଜଟଣୀରେ ପହଞ୍ଚିଥିଲା। ବିଶେଷକରି ବାତ୍ୟା ‘ଫନି’ ପରେ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ବହୁ ସାଇକେଲ ଅଚଳ ହୋଇଗଲା। ଯେଉଁଠି ପଡ଼ିଲା ତ ପଡ଼ିଲା, ଆଉ ମରାମତି କରାଗଲାନି। କେଉଁଠି ସିଟ୍ ଭାଙ୍ଗିଗଲା ତ ଆଉ କେଉଁଠି ଲକ୍। ସ୍ଥିତି ଏମିତି ହେଲା ଯେ ସାଇକେଲ୍ ଆଉ ଆଗକୁ ଗଡ଼ି ପାରିଲା ନାହିଁ। ଲୋକେ ଚଲାଇବାକୁ ଆସି ସାଇକେଲ୍ ନିକଟରେ ପହଞ୍ଚିଲା ବେଳକୁ ସାଇକେଲ୍ ଅଚଳ। ଯେଉଁଥିପାଇଁ ଏବେ ରାସ୍ତାରେ କାଁ ଭାଁ ସାଇକେଲ୍ ଗଡ଼ୁଛି।
କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୮ ନଭେମ୍ବରରେ ଏହି ପ୍ରକଳ୍ପ ଆରମ୍ଭ ହେବା ପରେ କେବଳ ଡିସେମ୍ବର ମାସରେ ୩୭ ହଜାର ୮ଜଣ ଲୋକ ମୋ’ ସାଇକେଲ୍ ବ୍ୟବହାର କରିଥିଲେ। କଳିଙ୍ଗ ଷ୍ଟାଡିୟମ୍ଠାରୁ କିଟ୍ ଛକ ପର୍ଯ୍ୟନ୍ତ ସର୍ବାଧିକ ସାଇକେଲ୍ ଗଡ଼ିଥିଲା। ତେବେ ଏହା ପରଠାରୁ ମୋ’ ସାଇକେଲ୍ ଆଉ ଆଗକୁ ବଢ଼ି ପାରିନାହିଁ। ୨୦୧୯ ଜାନୁଆରିରେ ୧୪ହଜାର ୭୯୫ଜଣ, ଫେବ୍ରୁଆରିରେ ୭ହଜାର ୧୫୮ଜଣ, ମାର୍ଚ୍ଚରେ ୬ ହଜାର ୨୧୬ଜଣ, ଏପ୍ରିଲରେ ୪ ହଜାର ୪୬୫ଜଣ ମୋ’ ସାଇକେଲ୍’ ଚଲାଇଥିଲେ। ‘ଫନି’ ପରେ ମୋ’ ସାଇକେଲ୍ ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ମେ’ ମାସରେ ବିଶେଷ ଲୋକ ଚଲାଇଥିଲେ। ଏହାପରେ ଦିନକୁ ମାତ୍ର ୩୦୦ ଜଣ ସାଇକେଲ୍ ଚଳାଉଥିଲେ। ତେବେ ଗତ ଦୁଇ ମାସ ହେଲା ଚାଳକଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପାଇଛି। ଆଗକୁ ଶୀତ ଦିନ ଆସୁଥିବାରୁ ଲୋକଙ୍କ ଆଗ୍ରହ ସୃଷ୍ଟି ହେବ। ତେଣୁ ଡିସେମ୍ବରରେ ପ୍ରତିଦିନ ଯେପରି ଦୁଇ ହଜାର ଲୋକ ଯେମିତି ସାଇକେଲ୍ ଚଲାଇବେ, ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
କ୍ରୁଟ୍ର ଜିଏମ୍(ପିଆଣ୍ଡ୍ଏ) ଦୀପ୍ତି ମହାପାତ୍ରଙ୍କ କହିବାନୁଯାୟୀ, ମୋ’ ସାଇକେଲ୍ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ସୋସିଆଲ୍ ମିଡ଼ିଆରେ ଅଭିଯାନ ଆରମ୍ଭ କରିଛୁ। ଯେଉଁ ସଂସ୍ଥାମାନେ ସାଇକ୍ଲୋଥନ୍ କରୁଛନ୍ତି, ସେମାନଙ୍କ ସହ ମିଶି କାର୍ଯ୍ୟକ୍ରମ କରାଯାଉଛି। ସାଇକେଲ୍ ନ ଭାଙ୍ଗିବାକୁ ଲୋକଙ୍କୁ ସଚେତନ କରାଉଛୁ। ସାଇକେଲ୍ର ଉପକାରିତା ସମ୍ପର୍କରେ ବି ବୁଝାଉଛୁ। ଲୋକେ ସେମାନଙ୍କ ଦାୟିତ୍ବ ବୁଝିବା ଦରକାର। ‘ସାଇକେଲ୍ ଚଲାଇବା ସୁସ୍ଥ ରହିବା’; ଏହି ସ୍ଲୋଗାନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବୁ। ଦୁର୍ବୃତ୍ତମାନେ ସାଇକେଲ୍କୁ ଡ୍ରେନ୍ ଭିତରେ, ଅଳିଆ ଗଦାରେ, ରାସ୍ତା କଡ଼ରେ ପକାଇ ଚାଲି ଯାଉଛନ୍ତି। ଏପରିକି ଲୋକଙ୍କ ଘର ଭିତରେ ମୋ’ ସାଇକେଲ୍ ରହିଥିବା ଜଣାପଡ଼ିବା ପରେ ତାହାକୁ କର୍ମଚାରୀମାନେ ଉଦ୍ଧାର କରୁଛନ୍ତି। ଜିପିଏସ୍ ଟ୍ରାକିଂ ମାଧ୍ୟମରେ ଅଧିକାଂଶ ସାଇକେଲ୍ ଧରା ପଡ଼ୁଛି। କେତେକ ସ୍ଥାନରେ ଦୁର୍ବୃତ୍ତ ସାଇକେଲ୍କୁ ଅନ୍ୟତ୍ର ଫୋପାଡ଼ି ଦେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ସହରରେ ଥିବା ପ୍ରମୁଖ ସାଇକେଲ୍ ଷ୍ଟାଣ୍ଡରେ ୱେବ୍ କ୍ୟାମେରା ଲଗାଇବାକୁ ଯୋଜନା ହୋଇଛି। ଏହାଦ୍ବାରା ଷ୍ଟାଣ୍ଡ୍ରେ କିଏ ସାଇକେଲ୍ ରଖୁଛନ୍ତି, ନ ରଖୁଛନ୍ତି, ତାହା କ୍ୟାମେରା ମାଧ୍ୟମରେ ଜଣା ପଡ଼ିଯିବ।
/sambad/media/post_attachments/wp-content/uploads/2019/11/mo-cycloe-2-300x183.jpg)
ଗୁରୁବାର ‘ମୋ ସାଇକେଲ୍’ ଦିବସ
ମୋ’ ସାଇକେଲ୍ର ଏକ ବର୍ଷ ପୂର୍ତ୍ତି ଅବସରରେ ‘କ୍ରୁଟ୍’ ପକ୍ଷରୁ ଏକ ଭିନ୍ନ ପ୍ରୟାସ କରାଯିବ। ଲୋକଙ୍କ ମଧ୍ୟରେ ସାଇକେଲ୍ ଚଳାଇବା ପ୍ରତି ସଚେତନତା ସୃଷ୍ଟି କରାଇବା ଲକ୍ଷ୍ୟରେ ପ୍ରତି ଗୁରୁବାରକୁ ମୋ’ ସାଇକେଲ୍ ଦିବସ ଭାବେ ପାଳନ କରାଯିବ। ଏହି ଦିନ ସହରବାସୀ କିମ୍ବା କୌଣସି ବି ବ୍ୟକ୍ତିବିଶେଷ ମାଗଣାରେ ସାଇକେଲ୍ ଚଲାଇ ପାରିବେ। ଏଥିପାଇଁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ।ଦଶହରା ସମୟରେ ନେଇଗଲେ ସାଇକେଲ୍
ଦଶହରା ଓ ଭସାଣି ସମୟରେ ରାଜଧାନୀରେ ମୋ’ ସାଇକେଲ୍ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଥିଲା। ଯିଏ ଯେଉଁଠି ପାରିଲେ, ସାଇକେଲ୍ ଭାଙ୍ଗିଲେ ଓ ନେଇ ପଳେଇଲେ। ଉକ୍ତ ସମୟରେ ପ୍ରାୟ ୨୬ଟି ସାଇକେଲ୍ ନଷ୍ଟ ହୋଇଥିବା ଜଣାପଡ଼ିଛି। ସାଇକେଲ ଚୋରି ଓ ଭାଙ୍ଗିବା ଘଟଣାରେ ୬ମାସ ମଧ୍ୟରେ ୩ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସେମାନଙ୍କୁ ଚେତବନୀ ଦେଇ ଛାଡ଼ି ଦିଆଯାଇଛି।୫୦ଟଙ୍କାରେ ମାସେ ଚଲାଇବେ
ସହରବାସୀଙ୍କ ମଧ୍ୟରେ ସାଇକେଲ୍ ପ୍ରତି ଉତ୍ସାହ ବଢ଼ାଇବା ଲାଗି ଆଉ ଏକ ପଦକ୍ଷେପ ନିଆଯାଉଛି। ଏଣିକି ଆଉ କିଲୋମିଟର ପିଛା ପଇସା ଦେବାକୁ ପଡ଼ିବନି। ବରଂ ୫୦ ଟଙ୍କା ଦେଇ ଜଣେ ଚାଳକ ଗୋଟିଏ ମାସ ସାଇକେଲ୍ ଚଲାଇ ପାରିବେ। ଯେତେଥର ଓ ସହରର ଯେଉଁଠିକୁ ଚାହିଁଲେ ବି ସାଇକେଲ୍ ନେଇ ଯାଇପାରିବେ। ୨୬ ତାରିଖରେ ଏହାର ଶୁଭାରମ୍ଭ କରାଯିବାର ଯୋଜନା ରହିଛି ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।