ଭୁବନେଶ୍ବର : କରୋନା ପାଇଁ ରାଜଧାନୀ ଲକଡାଉନ୍ରେ ଥିବା ବେଳେ ଲୋକମାନଙ୍କୁ ଦୋକାନ ବଜାରକୁ ଚାଲି ଚାଲି କିମ୍ବା ସାଇକେଲ୍ରେ ଯିବାକୁ କୁହାଯାଇଛି। ଯିଏ ଗାଡ଼ି ନେଇ ଯାଉଛନ୍ତି ପୁଲିସ ହାବୁଡ଼ରେ ପଡ଼ିଲେ ଜରିମାନା ଗଣୁଛନ୍ତି ନଚେତ୍ ଗାଡ଼ି ଜବତ ହୋଇ ଥାନାକୁ ଯାଉଛି। ତେଣୁ ଯାହା ପାଖରେ ସାଇକେଲ୍ ଖଣ୍ଡିଏ ଅଛି ସେମାନେ ସାଇକେଲ୍ ନେଇ ଯାଉଛନ୍ତି। ସାଇକେଲ୍ ଚଲାଇବାକୁ ଅନୁମତି ଥିଲେ ହେଁ କ୍ରୁଟ୍ କର୍ତ୍ତୃପକ୍ଷ ‘ମୋ ସାଇକେଲ୍’ ଗୁଡ଼ିକୁ ତାଲା ପକାଇ ରଖିଛନ୍ତି। ଫଳରେ ରାସ୍ତା କଡ଼ରେ ଏଗୁଡ଼ିକ ଖରା, ବର୍ଷା ଖାଇ ନଷ୍ଟ ହେଉଛି। କିନ୍ତୁ କେହି ଏହାର ବ୍ୟବହାର କରିପାରୁ ନାହାନ୍ତି।
ରାଜଧାନୀର ବହୁ ସ୍ଥାନରେ ମୋ ସାଇକେଲ୍ ଗୁଡ଼ିକ ଭଙ୍ଗାଦଦରା ଅବସ୍ଥାରେ ପଡ଼ିଛି। ବର୍ଷା, ପବନରେ କେତେକ ସାଇକେଲରେ ଧୂଳି ଚରି ଯାଇଥିବା ବେଳେ କେତେକ ସାଇକେଲ ଆବର୍ଜନାରେ ଅଧା ପୋତି ହୋଇଗଲାଣି। ପ୍ରାୟ ସବୁ ସ୍ଥାନରେ ସାଇକେଲ୍ ଅଚଳ ଅବସ୍ଥାରେ ତଳେ ଗଡ଼ୁଛି। ହେଲେ ଏହାକୁ କେହି ଉଠାଉ ନାହାନ୍ତି। ଏପରିକି କେହି ଯଦି ଏହାର ଲକ୍ ଫିଟାଇବାକୁ ଆପ୍ରେ ଚେଷ୍ଟା କରୁଛନ୍ତି ତେବେ ଲକ୍ ଫିଟୁନି।
ଏେନଇ କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ଯେ, ଲକ୍ଡାଉନ୍ ପାଇଁ ମୋ ବସ୍ ଓ ମୋ ସାଇକେଲ୍ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ବନ୍ଦ ରହିଛି। ମୋ ସାଇକେଲ୍ ବି ଗଡ଼ୁନି। ମୋ ସାଇକେଲ୍ଗୁଡ଼ିକର ଯତ୍ନ ନେବା କାମ ତିନିଟି ଯାକ ଘରୋଇ ସଂସ୍ଥାର। ସେମାନେ ସେମାନଙ୍କ ସାଇକେଲ୍ର ଯତ୍ନ ନେବେ। ଲକ୍ଡାଉନ୍ ପାଇଁ ସେମାନଙ୍କର କର୍ମଚାରୀ ନ ଥିବାରୁ ସେମାନେ ସାଇକେଲ୍ ଉଠାଇ ପାରୁ ନ ଥିବେ। ଲକ୍ଡାଉନ୍ ଉଠିଲେ ପୂର୍ବଭଳି ମୋ ସାଇକେଲ୍ ଗଡ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।