‘ମୋ ସାଇକେଲ୍‌’କୁ ମୁହଁ ମୋଡ଼ୁଛନ୍ତି, ଆଗଭଳି ଉତ୍ସାହ ନାହିଁ

ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ଆଉ ଦେଖିବାକୁ ମିଳୁନି ‘‌ମୋ ସାଇକେଲ୍‌’। କାଁ ଭାଁ ଗୋଟିଏ କି ଦୁଇଟି ସାଇକେଲ୍‌ ଗଡ଼ୁଛି। ହକି ବିଶ୍ବକପ୍‌ ସମୟରେ ସ୍ମାର୍ଟ ସିଟି ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଓ ପ୍ରଦୂଷଣମୁକ୍ତ ସହର କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଡ୍ରିମ୍‌ ପ୍ରୋଜେକ୍ଟ ‘ମୋ ସାଇକେଲ୍‌’। ମାତ୍ର ଏହି ପ୍ରକଳ୍ପର ସଫଳତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆରମ୍ଭରୁ ସହରବାସୀଙ୍କ ମଧ୍ୟ‌ରେ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳିଥିଲା ତାହା ଏବେ ଆଉ ନାହିଁ। ୪ ମାସ ମଧ୍ୟରେ ସବୁ କିଛି ବିଗିଡ଼ି ଯାଇଛି। ପିଲା, ମହିଳା, ବୟସ୍କଙ୍କ କଥା‌ ଛାଡ଼ନ୍ତୁ ଯୁବ ପିଢ଼ି ବି ସାଇକେଲ୍‌ ଚଲାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଏ କଥା ଆମେ କହୁନୁ। ସରକାରୀ ଭାବେ ମିଳିଥିବା ତଥ୍ୟରେ ବି ଏହି କଥା ଉଲ୍ଲେଖ ହୋଇଛି। ତଥ୍ୟ କହୁଛି ଯେ ୨୦୧୮ ନଭେମ୍ବର ମାସରେ ଏହି ଯୋଜନା ଆରମ୍ଭ ହେବା ପରେ ସାଇକେଲ୍‌ ଚଲାଇବା ପାଇଁ ସହରବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ଡିସେମ୍ବର ମାସରେ ୩୭ ହଜାର ୮ ଜଣ ‌ଲୋକ ମୋ ସାଇକେଲ୍‌ ବ୍ୟବହାର କରିଥିଲେ। ଏହି ସମୟରେ ଭୁବନେଶ୍ବରରେ ହକି ବିଶ୍ବକପ୍‌ ଚାଲୁଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କଳିଙ୍ଗ ଷ୍ଟାଡିୟମ୍‌ଠାରୁ ଆରମ୍ଭ କରି କିଟ୍‌ ଛକ ପର୍ଯ୍ୟନ୍ତ ପ୍ରତିଦିନ ଶହ ଶହ ଲୋକ ସାଇକେଲ୍‌ ଚଲାଉଥିଲେ। ଏପରିକି ହକି ବିଶ୍ବକପ୍‌ ମ୍ୟାଚ୍‌ ଦେଖିବାକୁ ଲୋକେ ସାଇକେଲ୍‌ ଚଲାଇ ଆସୁଥିଲେ।

ତେବେ ଗୋଟିଏ ମାସ ମଧ୍ୟରେ ଚା‌ଳକମାନେ ‘ମୋ ସାଇକେଲ୍‌’ରୁ ମୁହଁ ମୋଡ଼ିବା ଆରମ୍ଭ କଲେ। ଯେଉଁଥିପାଇଁ ୨୦୧୯ ଜାନୁଆରି ମାସରେ ଚାଳକଙ୍କ ସଂଖ୍ୟା ଅର୍ଧାଧିକ କମିଗଲା। ମାତ୍ର ୧୪ ହଜାର ୭୯୫ ଜଣ ସାଇକେଲ୍‌ ଚଲାଇଥିଲେ। ଫେବ୍ରୁଆରି ମାସ ‌ବେଳକୁ ସଂଖ୍ୟା ଆହୁରି ହ୍ରାସ ପାଇ ୭ ହଜାର ୧୫୮ରେ ପହଞ୍ଚିଥିଲା। ତେବେ ମାର୍ଚ୍ଚ ମାସରେ ମାତ୍ର ୬ ହଜାର ୨୧୬ ଜଣ ସାଇକେଲ୍‌ ଚଲାଇଥିଲେ। ଏପ୍ରିଲ ମାସ ଏବେ ସୁଦ୍ଧା ପ୍ରାୟ ୪ ହଜାର ଜଣ ‘ମୋ ସାଇକେଲ୍‌’ ଚଲାଇଥିବା ଜଣାପଡ଼ିଛି। ଯଦି ସମସ୍ତ ତଥ୍ୟକୁ ଦେଖାଯାଏ ତେବେ ୪ ମାସ ମଧ୍ୟରେ ୮୦ ପ୍ରତିଶତରୁ ଅଧିକ ଚାଳକ ‘ମୋ ସାଇକେଲ୍‌’ରୁ ମୁହଁ ଫେରାଇଛନ୍ତି।

ଅଚଳ ହେଲା, ମରାମତି ହେଲାନି

‘ମୋ ସାଇକେଲ୍‌’ ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା। ତେବେ ଧୀରେ ଧୀରେ ତାହା ଅଚଳ ହୋଇଗଲା। ଯେଉଁଠି ପଡ଼ିଲା ତ ପଡ଼ିଲା। ଆଉ ମରାମତି ହେଲାନି। କେଉଁଠି ସାଇକେଲ୍‌ର ସିଟ୍‌ ଭାଙ୍ଗିଗଲା ତ ଆଉ କେଉଁଠି ଲକ୍। ସ୍ଥିତି ହେଲା ଯେ ସାଇକେଲ୍‌ ଆଉ ଆଗକୁ ବଢ଼ିପାରିଲା ନାହିଁ। ଲୋକେ ଚଲାଇବାକୁ ଆସି ସାଇକେଲ୍‌ ନିକଟରେ ପହଞ୍ଚିଲା ବେଳକୁ ସାଇକେଲ୍‌ ଅଚଳ। ଏବେ ପରିସ୍ଥିତି ଏମିତି ହୋଇଛି ଯେ ରାସ୍ତାକଡ଼ରେ ପଡ଼ିରହିଛି ଅଚଳ ସାଇକେଲ୍‌। ଦିନେ ସହରର ଶୋଭା ବୃଦ୍ଧି କରୁଥିବା ‘ମୋ ସାଇକେଲ୍‌’ ଏବେ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ଗତ ମାସେ ହେଲା ରାଜଧାନୀରେ କାଳବୈଶାଖୀ ବର୍ଷା ହେଉଥିବାରୁ ସାଇକେଲ୍‌ଗୁଡ଼ିକ ଏଣେତେଣେ ପଡ଼ୁଛି। ତାହାର ଯତ୍ନ ନେବାକୁ କେହି ନାହାନ୍ତି। ଧାଡ଼ିରେ ବି ରଖା ଯାଉନି। ଝଡ଼ବର୍ଷା ପ୍ରଭାବରେ କେତେକ ସ୍ଥାନରେ ସାଇକେଲ୍‌ ଉପରେ ଗଛ ଡାଳ ପଡ଼ି ତାହା ଭାଙ୍ଗିଗଲାଣି।

ଚୋରି ହୋଇଯାଉଛି

ମୋ ସାଇକେଲ୍‌ରେ ସ୍ମାର୍ଟ ଲକ୍ ବ୍ୟବସ୍ଥା ହୋଇଥିଲା। ମାତ୍ର ଲୋକେ ତା’ଠାରୁ ଅଧିକ ସ୍ମାର୍ଟ ବୋଲି ୪ ମାସ ମଧ୍ୟରେ ପ୍ରମାଣ କରି ଦେଖା‌ଇଛନ୍ତି। କେବଳ ରାଜଧାନୀରେ ଗଡ଼ିବାକୁ ଥିବା ମୋ ସାଇକେଲ୍‌ ଏବେ ସମ୍ବଲପୁର, ବ୍ରହ୍ମପୁରରେ ବି ପହଞ୍ଚିଲାଣି। ଲୋକେ ମୋବାଇଲ୍‌ରେ ‘ମୋ ସାଇକେଲ୍‌’ ଆପ୍‌ ଡାଉନଲୋଡ୍‌ କରି ସାଇକେଲ୍‌ ଅନଲକ୍‌ କରି କିଛି ସମୟ ଚଲାଇବା ପରେ ରାଜଧାନୀ ସୀମା ପାର୍‌କୁ ଚାଲିଯାଉଛନ୍ତି। କେବଳ ଭୁବନେଶ୍ବରରେ ଗଡ଼ିଥିବା ଏହି ସାଇକେଲ୍‌ ଏବେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିଲାଣି। ଆରମ୍ଭ ବେଳେ କୁହାଯାଇଥିଲା ସାଇକେଲ୍‌ଗୁଡ଼ିକ କେବଳ ବିଏମ୍‌ସି ଅଞ୍ଚଳରେ ଚାଲିବ। ଏହି ସୀମାରେ ଜିଓଫେନ୍‌ସିଂ କରାଯାଇଛି। ସୀମା ପାର୍‌ ହେଲେ ସାଇକେଲ୍‌ ଅପଣା ଛାଏଁ ଲକ୍‌ ହୋଇଯିବ। ହେଲେ ଲୋକେ ଭୁବନେଶ୍ବରରୁ ସାଇକେଲ୍‌ ଚୋରି କରି ବ୍ରହ୍ମପୁର, ସମ୍ବଲପୁର, ପିପିଲି, ଖୋର୍ଧା, ଜଟଣୀ ନେଇଯାଇ ନଥିଲେ ମଧ୍ୟ ଟେର୍‌ ମିଳିପାରିନି। ସାଇକେଲ୍‌ ଚୋରି ହେଉଥିବାରୁ ଷ୍ଟାଣ୍ଡରେ ଆଉ ଆଗଭଳି ସାଇକେଲ୍‌ ଦେଖିବାକୁ ମିଳୁନି।

ସାଇକେଲ୍‌ ଗଡ଼ିବାକୁ ଟ୍ରାକ୍‌ ନାହିଁ

ହକି ବିଶ୍ବକପ୍‌ ବେଳେ ରାସ୍ତା ପାର୍ଶ୍ବ ଓ ଡିଭାଇଡର୍‌ଗୁଡ଼ିକରେ ବୃକ୍ଷରୋପଣ ସହ ସାଇକେଲ୍‌ ଟ୍ରାକ୍‌, ଫୁଟ୍‌ପାଥ ପାଇଁ ସ୍ବତନ୍ତ୍ର ରାସ୍ତା ଚିହ୍ନଟ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସହରର ୩ଟି ରୁଟ୍‌ (ଗଭର୍ଣ୍ଣର ହାଉସ୍‌ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍‌ ଛକ, ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ, ୟୁନିଟ ୧ରୁ ରେଳ ଷ୍ଟେସନ୍‌-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା)ରେ ସାଇକେଲ୍‌ ଚାଲିବାକୁ ଥିବାରୁ ସେଠାରେ ସାଇକେଲ୍‌ ଟ୍ରାକ୍‌ ଚିହ୍ନଟ କରି ନାଲି ରଙ୍ଗ ଲଗା ଯାଇଥିଲା। ତେବେ ସାଇକେଲ୍‌ ଟ୍ରାକ୍‌ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ପ୍ରଥମେ କିଛି ଦିନ ଧରି ଜବରଦଖଲ ଉଚ୍ଛେଦ କରାଯାଇଥିଲା। ତେବେ ଏବେ ସ୍ଥିତି ଯେମିତିକୁ ସେମିତି। କେଉଁଠି ବସ୍‌ ପାର୍କିଂ ‌ହେଉଛି ତ ଆଉ କେଉଁଠି କାର୍‌। ସାଇକେଲ୍‌ ଚଲାଇବା ପାଇଁ ଆଉ ସାଇକେଲ୍‌ ଟ୍ରାକ୍‌ ନାହିଁ। ଯେଉଁଥିପାଇଁ ଚାଳକଙ୍କ ମଧ୍ୟରେ ଆଉ ଆଗଭଳିି ଆଗ୍ରହ ଦେଖିବାକୁ ମିଳୁନି।

ସମ୍ବନ୍ଧିତ ଖବର