କାର୍ଯ୍ୟକାରୀ ହେବ ‘ମୋ ସାଇକେଲ୍ ଆପ୍’
ଦୁଇଟି ସାଇକେଲ୍ ଟ୍ରାକ୍ର ଉନ୍ନତୀକରଣ ହେବ
୨ ହଜାରରୁ ୪୦୦ ସାଇକେଲ୍ ଅଚଳ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ‘ମୋ ସାଇକେଲ୍’କୁ ନୂଆ ରୂପ ଦେବା ଲାଗି ଖୁବ୍ଶୀଘ୍ର ‘ମୋ ସାଇକେଲ୍ ଆପ୍’ କାର୍ଯ୍ୟକାରୀ କରାଯିବ। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ମିଳିତ ଭାବେ ଏଭଳି ପଦକ୍ଷେପ ନେବେ। ସ୍ମାର୍ଟସିଟିର ସିଇଓ ତଥା ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶରେ ସାଇକେଲ୍ ଚାଳକଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଫେବ୍ରୁଆରିଠାରୁ ଏହି ସୁବିଧାର ଉପଯୋଗ ହୋଇପାରିବ। ଫଳରେ କେବଳ ଗୋଟିଏ ଆପ୍କୁ ବ୍ୟବହାର କରି ଚାଳକମାନେ ୩ଟି କମ୍ପାନିର ସାଇକେଲ୍ ଚଢ଼ି ପାରିବେ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(ସିଆର୍ୟୁଟି)ରୁ ‘ମୋ ସାଇକେଲ୍’ ଦାୟିତ୍ୱ କାଢ଼ି ନିଆଯିବା ପରେ ବିଏସ୍ସିଏଲ୍ ଓ ବିଏମ୍ସିର ମିଳିତ ପ୍ରୟାସରେ ଏହାର ପୁନରୁଦ୍ଧାର ଏବଂ ନବୀକରଣ ସ୍ୱରୂପ ବିଭିନ୍ନ ସାଇକେଲ୍ ଡିପୋରେ ଥିବା ସାଇକେଲ୍କୁ ସର୍ଭେ କରାଯାଇଛି। ବର୍ତମାନ ସମୁଦାୟ ୨ ହଜାର ସାଇକେଲ୍ରୁ ୧୬୦୦ଟି କାର୍ଯ୍ୟକାରୀ ଅବସ୍ଥାରେ ରହିଛି। ବାକି ୪୦୦ଟି ସାଇକେଲ୍ର ମରାମତି ପାଇଁ ପଦକ୍ଷେପ ନିଆଯାଇଛି। ପବ୍ଲିକ୍ ବାଇ ସାଇକେଲ୍ ସେୟାରିଂ ବା ପିବିଏସ୍କୁ ଅଧିକ ଲୋକାଭିମୁଖୀ କରାଯିବ। ପଦକ୍ଷେପସ୍ୱରୂପ, ୨ଟି ମୁଖ୍ୟ ସାଇକେଲ୍ ଟ୍ରାକ୍ରେ ପିବିଏସ୍ର ଉନ୍ନତି ଘଟାଇବା, ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଓ ପଟିଆ ଛକରୁ ଇନ୍ଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ସାଇକେଲ୍ ଟ୍ରାକ୍ର ଉନ୍ନତି କରିବା ଏବଂ ଏହି ଟ୍ରାକ୍ରେ ଅଧିକରୁ ଅଧିକ ସାଇକେଲ୍ର ବ୍ୟବହାର କରାଇବା; ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।
ସୂଚନା ଅନୁଯାୟୀ, ‘ମୋ ସାଇକେଲ୍’ ଆରମ୍ଭରୁ ୩ଟି କମ୍ପାନି ୨ହଜାର ସାଇକେଲ୍କୁ ନେଇ ଭୁବନେଶ୍ୱରରେ ପିବିଏସ୍ର ଆରମ୍ଭ କରିଛନ୍ତି। ଏଥିରେ ୟାନାର ୫୦୦ଟି ଥିବା ବେଳେ ୟୁଲୁର ୫୦୦ ଓ ହେକ୍ସି କମ୍ପାନିର ଏକ ହଜାର ସାଇକେଲ୍ ରହିଛି। ବର୍ତମାନ ସାଇକେଲ୍ ଚଳାଳିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୨୦ ଅକ୍ଟୋବର ୨୦ ସୁଦ୍ଧା ୬୪୬୦ ଜଣ, ନଭେମ୍ବର ୨୦ ସୁଦ୍ଧା ୬୫୬୪ ଜଣ ଓ ଡିସେମ୍ବର ୨୦ ସୁଦ୍ଧା ୬୬୯୯ ଜଣ ପିବିଏସ୍ର ଉପଯୋଗ କରିଛନ୍ତି। ଅନ୍ୟପକ୍ଷରେ ଫିଟ୍ ଇଣ୍ଡିଆ ସାଇକେଲ୍ ଯାତ୍ରାରେ ଭୁବନେଶ୍ୱରର ଅନେକ ନାଗରିକ ବିଶେଷକରି ଯୁବପିଢ଼ି ସାଇକେଲ୍ର ଉପଯୋଗ କରିଛନ୍ତି। ପ୍ରତ୍ୟେକ ଶୁକ୍ରବାର ସାଇକେଲ୍ ଟ୍ରାକ୍ ଅବରୋଧ ଉଚ୍ଛେଦ ପାଇଁ ସହରାଞ୍ଚଳ କର୍ତୃପକ୍ଷଙ୍କ ଉଦ୍ୟମ ଜାରି ରହିଛି। ପ୍ରତ୍ୟେକ ଜୋନ୍ରେ ଜୋନାଲ୍ ଡେପୁଟି କମିସନରଙ୍କ ତତ୍ତ୍ବାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇ ସାଇକେଲ୍ ଟ୍ରାକ୍କୁ ଅଧିକ ଗୁରୁତ୍ୱ ଦେବା ଓ ସାଇକେଲ୍ ଚାଳକଙ୍କୁ ପ୍ରୋତ୍ସାହନ ଦେବାର ପ୍ରଚେଷ୍ଟା ଜାରି ରହିଛି। ୨୦୧୮ ନଭେମ୍ବର ୨୬ରେ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ପିବିଏସ୍ ଏହାର ନୂଆ ରୂପରେ ଅଧିକ ଲୋକାଭିମୁଖୀ ହେବ। ଏଥିପାଇଁ ନାଗରିକମାନଙ୍କ ସହଯୋଗ କାମନା କରିଛନ୍ତି ବିଏମ୍ସି ଡେପୁଟି କମିସନର କମଲ୍ଜିତ୍ ଦାସ କହିଛନ୍ତି।