ଦିଲ୍ଲୀରୁ ଆସି ପୁଲିସ ଓ ବିଏସ୍ସିଏଲ୍ ଆଗରେ ପକ୍ଷ ରଖିଲେ
କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ନୂଆ ଚାଲ୍!
ଭୁବନେଶ୍ବର : ରାଜଧାନୀ ରାସ୍ତାରୁ ଶହଶହ ‘ମୋ ସାଇକେଲ୍’ ଉଠାଇ ନେଇ କବାଡ଼ିଆକୁ ବିକିଦେବା ପ୍ରସଙ୍ଗରେ ଆଜି ନୂଆ ମୋଡ଼ ଆସିଛି। ସାଇକେଲ ବିକିଥିବା ହେକ୍ସି ସଂସ୍ଥାର ଅଧିକାରୀ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) କର୍ତ୍ତୃପକ୍ଷ ଓ ସହିଦନଗର ପୁଲିସ ନିକଟରେ ହାଜର ହୋଇ ପକ୍ଷ ରଖିଛନ୍ତି। କହିଛନ୍ତି, ‘ ବିଏସ୍ସିଏଲ୍କୁ ଏକ ହଜାର ସାଇକେଲ୍ ଦରକାର, ଆମେ ଦେଇଦେଲେ ଗଲା। ଏବେ ସଂସ୍ଥା ଆର୍ଥିକ ସମସ୍ୟା ଦେଇ ଗତି କରୁଛି। କମ୍ ଦିନ ଭିତରେ ଆମେ ୧ ହଜାର ସାଇକେଲ୍ ଉପଲବ୍ଧ କରାଇବା ସହ ନୂଆ ପ୍ରସ୍ତାବ ନେଇ ଆସିବୁ।’ ସଂସ୍ଥାର ଏହି ପ୍ରସ୍ତାବରେ ବିଏସ୍ସିଏଲ୍ ଓ ପୁଲିସ ରାଜି ନ ଥିଲେ ମଧ୍ୟ ପରୋକ୍ଷରେ ସହମତ ଥିବା କୁହାଯାଉଛି। ତେବେ ଦୋଷ ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସଂସ୍ଥାର ଅଧିକାରୀ ଏଭଳି ଗପ ଶୁଣାଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ରାଜଧାନୀବାସୀଙ୍କ ଭାବପ୍ରବଣତା ସହ ଜଡ଼ିତ ଥିବା ଏହି ମୋ ସାଇକେଲ୍କୁ ବିଏସ୍ସିଏଲ୍ର ଅଗୋଚରରେ କବାଡ଼ିଆକୁ ବିକିଦେବା ଭଳି ଧୃଷ୍ଟତା କରିଥିବା ସଂସ୍ଥା ପ୍ରତି ଏତେ ଅନୁକମ୍ପା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଚଳିତ ମାସ ୧୩ ତାରିଖରେ ଶହଶହ ମୋ ସାଇକେଲ୍ ରାସ୍ତାକଡ଼ରୁ ନେଇ କବାଡ଼ିଆକୁ କିଲୋ ୪୦ ଟଙ୍କା ଦରରେ ବିକ୍ରି କରି ଦିଆଯାଇଥିଲା। ଗୋଟା ୨୫ ହଜାର ଟଙ୍କାରେ କିଣା ହୋଇଥିବା ସାଇକେଲ ୬୦୦ ଟଙ୍କାରେ ବିକ୍ରି ହେବା ଏବଂ କବାଡ଼ିଆ ଏହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କରି କାଟୁଥିବାର ଦୃଶ୍ୟ ସମ୍ବଳିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାର ତିନିଦିନ ପରେ ବିଏସ୍ସିଏଲ୍ର ମହାପ୍ରବନ୍ଧକ କମଲଜିତ୍ ଦାସ ୧୬ତାରିଖରେ ୩୦୦ ‘ମୋ ସାଇକେଲ୍’ ଚୋରି ହୋଇଥିବା ନେଇ ସହିଦନଗର ଥାନାରେ ଏତଲା ଦେଇଥିଲେ। ଏହି ସାଇକେଲ୍ ଚୋରି ନେଇ ବିଏସ୍ସିଏଲ୍ ସମ୍ପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲା। ଅଭିଯୋଗର ଏକ ସପ୍ତାହ ପରେ ଅର୍ଥାତ୍ ଆଜି ସାଇକେଲ୍ ଯୋଗାଇଥିବା ସଂସ୍ଥା ହେକ୍ସିର ମୁଖ୍ୟାଳୟ ଦିଲ୍ଲୀରୁ ବିକାଶ କୁମାର ନାମକ ଜଣେ ଅଧିକାରୀ ଭୁବନେଶ୍ବରରେ ପହଞ୍ଚିଥିଲେ। ପ୍ରଥମେ ସେ ବିଏମ୍ସି ଅଫିସ୍ ଯାଇ ଏତଲାକାରୀ ତଥା ବିଏସ୍ସିଏଲ୍ର ମହାପ୍ରବନ୍ଧକ କମଲଜିତ ଦାସଙ୍କୁ ଭେଟିଥିଲେ। ବିକାଶ କୁମାର ନୋଟିସ୍ର ଉତ୍ତର ଧରି ପହଞ୍ଚିବା ସହ ମହାପ୍ରବନ୍ଧକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ୧ ହଜାର ସାଇକେଲ୍ ଉପଲବ୍ଧ କରାଇବା ପାଇଁ ବିଏସ୍ସିଏଲ୍ ସହ ସଂସ୍ଥା(ହେକ୍ସି) ଚୁକ୍ତି କରିଥିଲା। କିନ୍ତୁ ବାସ୍ତବରେ ୧୩୦୦ ସାଇକେଲ୍ ଉପଲବ୍ଧ କରାଇଥିଲା। ଅର୍ଥାତ୍ ଅତିରିକ୍ତ ୩ ଶହ ସାଇକେଲ୍ ବ୍ୟବସ୍ଥା କରିଥିଲା ସଂସ୍ଥା। ଏଣୁ ଚୁକ୍ତି ମୁତାବକ ୧ ହଜାର ବ୍ୟବହାରଯୋଗ୍ୟ ସାଇକେଲ ଉପଲବ୍ଧ କରାଇବାକୁ ସଂସ୍ଥା ଉଦ୍ୟମ କରୁଛି। ସାଇକେଲ୍ଗୁଡ଼ିକ ନଷ୍ଟ ହୋଇଥିବାରୁ ବିକି ଦିଆଯାଇଛି। ତାହା ବିଏସ୍ସିଏଲ୍ ସହ ଚୁକ୍ତି ହୋଇଥିବା ସାଇକେଲ୍ ନୁହେଁ, ବରଂ ରଖାଯାଇଥିବା ଅତିରିକ୍ତ ସାଇକେଲ୍। ବିଏମ୍ସି ଅଫିସଠାରୁ ଆରମ୍ଭ କରି ସହିଦନଗର ଥାନା ପୁଲିସ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ସଂସ୍ଥାର ଅଧିକାରୀ ଏଭଳି ଗପ ଶୁଣାଇ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଥିଲେ।
ଏ ବାବଦରେ କଣ ନିଷ୍ପତ୍ତି ନିଆଗଲା ସେ ନେଇ ବିଏସ୍ସିଏଲ୍ କର୍ତ୍ତୃପକ୍ଷ ସ୍ପଷ୍ଟ କରିନଥିଲେ ମଧ୍ୟ ସଂସ୍ଥାର ପ୍ରସ୍ତାବକୁ ନିରବ ସମର୍ଥନ କରିଥିବା କୁହାଯାଉଛି। ଅନ୍ୟପଟେ ପୁଲିସ ମଧ୍ୟ ଠକେଇ ଦଫାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସଂସ୍ଥାର ଅଧିକାରୀଙ୍କଠାରୁ ଏଭଳି ଗପ ଶୁଣିବା ପରେ କିଛି କାର୍ଯ୍ୟାନୁଷ୍ଠାନ ନ ଦେଇ ଛାଡ଼ି ଦେଇଥିବା କୁହାଯାଉଛି। ଏ ନେଇ ସହିଦନଗର ଥାନା ଇନ୍ସ୍ପେକ୍ଟର ହିମାଂଶୁ ସ୍ବାଇଁ କିଛି କହିବାକୁ ଚାହିନାହାନ୍ତି। ଏହି ମାମଲାରେ କୁଆଡ଼େ ତାଙ୍କ ଉପରେ ପ୍ରବଳ ଚାପ ରହିଛି।
ଏବେ ପ୍ରଶ୍ନ ଉଠୁଛି, ‘ମୋ ସାଇକେଲ’ର ପ୍ରକୃତ ମାଲିକ ବିଏସ୍ସିଏଲ୍କୁ ନ ଜଣାଇ ସଂସ୍ଥା ସାଇକେଲ ବିକ୍ରି କଲା କିପରି? ଯଦି ସଂସ୍ଥା କହୁଥିବା କଥା ସତ, ତେବେ ଅତିରିକ୍ତ ୩୦୦ ସାଇକେଲ ରାସ୍ତାକଡ଼ରେ ରଖିଥିବା ବିଷୟରେ ବିଏସ୍ସିଏଲ୍କୁ ପୂର୍ବରୁ ଜଣାଇଥିଲା କି? ବିଏସ୍ସିଏଲ୍ ଯଦି ଏ ବିଷୟରେ ଜାଣିଥିଲା ତେବେ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି ସହ ଥାନାରେ ସଂସ୍ଥା ବିରୋଧରେ ଏତଲା ଦେଲା କାହିଁକି? ଯଦି ଏଥିରେ କିଛି ଅସଙ୍ଗତି ନ ଥିଲା, ତେବେ ପୁଲିସ ସାଇକେଲ ଚୋରି ଦଫା ଲଗାଇ ମାମଲା ରୁଜୁ କଲା କାହିଁକି? ମୋ ସାଇକେଲ ପରିଚାଳନାରେ ବିଭ୍ରାଟ ସୃଷ୍ଟି ହେବା ପରେ ବିଏସ୍ସିଏଲ୍ କର୍ତ୍ତୃପକ୍ଷ ଏଥିରୁ ମୁକ୍ତି ପାଇବାକୁ ସଂପୃକ୍ତ ସଂସ୍ଥା ସହ ସଲାସୁତୁରା କରି ସମାଧାନର ଏଭଳି ରାସ୍ତା ବାହାର କରିନାହାନ୍ତି ତ? ବିଏସ୍ସିଏଲ୍ ଏବଂ ତଦନ୍ତକାରୀ ପୁଲିସ ଏସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।