ଭୁବନେଶ୍ବର : ରାଜଧାନୀ ରାସ୍ତାରୁ ଶହଶହ ‘ମୋ ସାଇକେଲ୍‌’ ଉଠାଇ ନେଇ କବାଡ଼ିଆକୁ ବିକିଦେଲେ। କବାଡ଼ିଆ ସାଇକେଲ୍‌ କାଟି ଲୁହା ଦରରେ ବିକି ଦେଲା। ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଓ କମିସନରେଟ୍ ପୁଲିସ ଡରୁଛନ୍ତି। ଏପରିକି ବିଏସ୍‌ସିଏଲ୍‌ ଓ କମିସନରେଟ୍ ପୁଲିସର କଥାରେ ତାଳମେଳ ରହୁ ନଥିବାବେଳେ ବାବୁମାନେ ଗଣମାଧ୍ୟମକୁ କେବଳ ମିଛ କହିବାରେ ଲାଗିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଲା, ମୋ ସାଇକେଲ୍‌ ଦାୟିତ୍ବରେ ଥିବା ଅଧିକାରୀଙ୍କ ରହସ୍ୟମୟ ନିରବତା ‌ଏହି ପ୍ରସଙ୍ଗରେ ତାଙ୍କର ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି।

Advertisment

publive-image

ବିଏସ୍‌ସିଏଲ୍‌ର ମହାପ୍ରବନ୍ଧକ କମଲଜିତ୍ ଦାସ ଗତ ୧୬ତାରିଖରେ ୩୦୦ ‘ମୋ ସାଇକେଲ୍‌’ ଚୋରି ହୋଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସାଇକେଲ୍‌ ଚୋରି ହେବାର ତିନି ଦିନ ପରେ ଅଭିଯୋଗ ହେଲା। ଅଭିଯୋଗର ୬ଦିନ ପରେ ନା କମିସନରେଟ୍ ପୁଲିସ କାହାକୁ ଗିରଫ କରିଛି ନା ବିଏସ୍‌ସିଏଲ୍‌ର ଅଭିଯୋଗ ଅନୁଯାୟୀ ମୋ ସାଇକେଲ୍‌ ‌ଚୋରି କରିଥିବା ସଂସ୍ଥା ହିରୋ ୟୋନୋ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଉଛି। ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ଶ୍ରୀ ଦାସ ୬ମାସ ତଳେ କହୁଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କଳା ତାଲିକାଭୁକ୍ତ କରିପାରିଲେନି। କାହିଁକି ଶ୍ରୀ ଦାସ ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରୁନାହାନ୍ତି ? ଯେଉଁ ସଂସ୍ଥା ୭୫ଲକ୍ଷ ଟଙ୍କାର ସାଇକେଲ୍‌ ଚୋରି କରିଛି, ଯେଉଁ ସଂସ୍ଥା କୋଟି କୋଟି ଟଙ୍କାର ସାଇକେଲ୍‌କୁ ନଷ୍ଟ କରିଛି ସେ ସଂସ୍ଥା ବିରୁଦ୍ଧରେ ଶ୍ରୀ ଦାସ କାହିଁକି ପଦକ୍ଷେପ ନେଉନାହାନ୍ତି? ଶ୍ରୀ ଦାସଙ୍କୁ ଏଭଳି କାର୍ଯ୍ୟାନୁଷ୍ଠାନ ନେବାରୁ କିଏ ଅଟକାଇଛି ସେନେଇ ବିଏସ୍‌ସିଏଲ୍‌ର କେହି ମୁହଁ ଖୋଲୁନାହାନ୍ତି। ଯେଉଁଥିପାଇଁ ମୋ ସାଇକେଲ୍‌ ଦାୟିତ୍ବରେ ଥିବା ବିଏସ୍‌ସିଏଲ୍‌ର ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଭୂମିକା ଏବେ ସନ୍ଦେହରେ।

ବୁଧବାର ସହିଦନଗର ପୁଲିସ କହିଥିଲା ଯେ, ହିରୋ ୟୋନୋ ଲିମିଟେଡ କର୍ତ୍ତୃପକ୍ଷ ଗୁରୁବାର ଦିଲ୍ଲୀରୁ ଆସି ଆମ ନିକଟରେ ହାଜର ହେବେ ବୋଲି କହିଛନ୍ତି। ହେଲେ ଆଜି କହୁଛନ୍ତି, ଆମ ପାଖକୁ କେହି ଆସିନାହାନ୍ତି। ସେମାନେ ଭୁବନେଶ୍ବର ଆସିଥିଲେ ହେଁ ବିଡିଏ କାର୍ଯ୍ୟାଳୟରେ ବିଏମ୍‌ସି କମିସନର ଏବଂ ମୋ ସାଇକେଲ୍‌ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ଆମ ପାଖକୁ ଆସି‌ପାରନ୍ତି। ଏନେଇ ବିଏମ୍‌ସି କମିସନରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୋତେ କେହି ଭେଟିନାହାନ୍ତି। ମୋ ସାଇକେଲ୍‌ ଦାୟିତ୍ବରେ ଥିବା କମଲଜିତ୍‌ ଦାସଙ୍କୁ ପଚାରନ୍ତୁ। ଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଜି ମୋତେ କେହି ଭେଟିନାହାନ୍ତି। ମୋ ସାଇକେଲ୍‌ ବିଷୟରେ ଆଜି କୌଣସି ବୈଠକ ବସିନି।