ଚୋରି ହେଉଛି ମୋ’ ସାଇକେଲ୍‌

ଭୁବନେଶ୍ବର: ବିଭିନ୍ନ ସମୟ‌ରେ ବିବାଦରେ ରହିଥିବା ‘ମୋ ସାଇକେଲ’ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସ୍ମାର୍ଟ ଜନପଥରୁ ‘ମୋ ସାଇକେଲ୍‌’ ଚୋରି ହୋଇଯାଉଛି। ନା ସାଇକେଲ୍‌ ‌ଯୋଗାଇଥିବା ସଂସ୍ଥା ଜାଣିପାରୁଛି, ନା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଜାଣି ପାରୁଛି। ଖାରବେଳ ନଗର ଥାନା ପୁଲିସ ଗତ ୨୦ ତାରିଖରେ ଚୋରକୁ ଧରିବା ସହ ମୋ ସାଇକେଲ୍‌ ଜବତ କରିବା ପରେ ତନାଘନା ହୋଇଛି। ସାଇକେଲ୍‌ରେ ଜିପିଏସ୍‌ ଲାଗିଛି। ସାଇକେଲ୍‌ ଯୁଆଡ଼େ ଗଲେ ବି ଅଫିସ୍‌ରେ ବସି ସ୍ମାର୍ଟ ସିଟି ଅଫିସରମାନେ ଜାଣିପାରୁଛନ୍ତି। ସାଇକେଲ୍‌ରେ ସ୍ମାର୍ଟ ଲକ୍‌ ଲାଗିଛି। ବ୍ୟବହାରକାରୀର ମୋବାଇଲ୍‌କୁ କୋଡ୍‌ ଆସିବା ପରେ ସାଇକେଲ୍‌ ଖୋଲୁଛି। ଏଣେ ସ୍ମାର୍ଟ ଜନପଥକୁ ଶହ ଶହ କ୍ୟାମେରା ମଧ୍ୟ ଜଗିଛି। ଏ ସବୁ ସତ୍ତ୍ବେ ‘ମୋ ସାଇକେଲ୍‌’ ଚୋରି ହୋଇଯାଉଛି କେମିତି? ଗୋଟିଏ ସାଇକେଲ୍‌ ଚୋରି ହୋଇଛି ନା ଆଉ କେତେ ଗଲାଣି? ଏ ସବୁକୁ ନେଇ ତନାଘନା ପରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଦୀର୍ଘ ଦିନ ହେବ ସାଇକେଲ୍‌ ମରାମତି ହେଉନଥିବା ବେଳେ ଅନେକ ସାଇେକେଲ୍‌ରେ ଜିପିଏସ୍‌ ମଧ୍ୟ କାମ କରୁନାହିଁ। ସହରର ମୋ ସାଇକେଲ୍‌ ଷ୍ଟାଣ୍ଡରେ ୨ ହଜାର ସାଇକେଲ୍‌ ଅଛି କି ନାହିଁ ସେ ନେଇ ବିଏସ୍‌ସିଏଲ୍‌ ପାଖରେ ମଧ୍ୟ ସୂଚନା ନାହିଁ।

କୁଆଡ଼େ ଗଲା ଏସ୍‌ଓପି?
ମରାମତି ହେଉନି, ଜିପିଏସ୍‌ କାମ କରୁନି

ଚୋରି ହୋଇଥିବା ସାଇକେଲ୍‌ ‘ୟୁଲୁ’ ସଂସ୍ଥାର ବୋଲି ଜଣାପଡ଼ିଛି। ସାଇକେଲ୍‌ ଚୋରିକୁ ୫ ଦିନ ପୂରିଥିଲେ ମଧ୍ୟ ସଂସ୍ଥା ସାଇକେଲ୍‌ ଖୋଜି ନାହିଁ କିମ୍ବା ଥାନାରେ ମଧ୍ୟ ଯୋଗାଯୋଗ କରିନାହିଁ। ଏଣୁ ଏଭଳି ଅନେକ ସାଇକେଲ୍‌ ଚୋରି ହୋଇଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ସାଇକେଲ୍‌ କବାଡ଼ିଆଙ୍କୁ ବିକ୍ରି କରିବା ଘଟଣାରେ ବିଏସ୍‌ସିଏଲ୍‌ ବିବାଦକୁ ଆସିଥିଲା। ସାଇକେଲ୍‌ ବିକ୍ରି କରିଥିବା ସଂସ୍ଥା ହେକ୍ସି ନାମରେ ଏତଲା ଦେବା ସହ ବିକ୍ରି ହୋଇଥିବା ସଂଖ୍ୟାର ସାଇକେଲ ତା’ ଠାରୁ ଅସୁଲ କରିଥିଲା। କିନ୍ତୁ ଏବେ ସାଇକେଲ୍‌ ଚୋରି ହୋଇ ଯାଉଥିଲେ ମଧ୍ୟ ବିଏସ୍‌ସିଏଲ୍‌ ନିରବ ବସିଛନ୍ତି।

ନିକଟ ଅତୀତରେ କର୍ପୋରେସନ ବୈଠକରେ ଜଣେ କର୍ପୋରେଟରଙ୍କ ପରାମର୍ଶ କ୍ରମେ ଅବ୍ୟବହୃତ ହୋଇପଡ଼ିଥିବା ଏହି ମୋ ସାଇକେଲ୍‌ ସବୁକୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଦେବାକୁ ବିଏମ୍‌ସି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲା। କିନ୍ତୁ ବିଏସ୍‌ସିଏଲ୍‌ ଏହି ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ମୋ ସାଇକେଲ୍‌ ବଣ୍ଟା ଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲା। କେବଳ ବଣ୍ଟା ହେବ ନାହିଁ ବୋଲି ଘୋଷଣା କରିନଥିଲା ବରଂ ଏସବୁ ଆଉ ଥରେ କିଭଳି ଲୋକପ୍ରିୟ ହୋଇପାରିବ ସେ ନେଇ ଏକ ଏସ୍‌ଓପି ଜାରି କରିବାକୁ ଘୋଷଣା କରିଥିଲା। ହେଲେ ସେ ଏସ୍‌ଓପି କୁଆଡ଼େ ଗଲା?

ବାସ୍ତବରେ ମୋ ସଇେକେଲ୍‌ ଯୋଜନା ଭୁବନେଶ୍ବରରେ ବିଫଳ ହୋଇଥିଲା। ପ୍ରଥମେ ପ୍ରଥମେ ବିଭିନ୍ନ ଅନୁଷ୍ଠାନ ସହାୟତାରେ ସାଇକେଲ୍‌ ଶୋଭାଯାତ୍ରା କରି ଏହି ସାଇକେଲ୍‌ ବ୍ୟବହାର ବଢ଼ାଇଥିବା ବେଳେ କେତେକ ସକାଳୁ ସକାଳୁ ବ୍ୟାୟାମ ପାଇଁ ବ୍ୟବହାର କରୁଥିଲେ। କ୍ରମଶଃ ଏହାର ବ୍ୟବହାର ଶୂନ ହୋଇଗଲା। ପୂର୍ବରୁ ସାଇକେଲ୍‌ ଖରାପ ହେଲେ ସମ୍ପୃକ୍ତ ସଂସ୍ଥା ଆସି ନେଇଯିବା ସହ ମରାମତି କରି ରଖୁଥିଲା। କିନ୍ତୁ ଏବେ ଅଧିକାଂଶ ସାଇକେଲ୍‌ ମରାମତି ହେଉ ନାହିଁ। ଅନେକ ସାଇକେଲ୍‌ରେ ଧୂଳି ବସିଯାଇଥିବାରୁ ତାହାକୁ ମଧ୍ୟ ବ୍ୟବହାରକାରୀ ପସନ୍ଦ କରୁନାହାନ୍ତି। ସାଇକେଲ୍‌ ଟ୍ରାକ୍‌‌ ଜବରଦଖଲ ହୋଇଛି। ଟପୋଗ୍ରାଫି ଦୃଷ୍ଟିରୁ ଅନେକ ଟ୍ରାକ୍‌ ଉଚ୍ଚାରେ ଥିବାରୁ ସେଥିରେ ମଧ୍ୟ ସାଇକେଲ୍‌ ଚଳାଇବା ସମ୍ଭବ ହେଉ ନାହିଁ। ଯେଉଁ ସମସ୍ୟା ଯୋଗୁ ସାଇକେଲ୍‌ର ବ୍ୟବହାର କମିଯାଇଛି ତାହାକୁ ସ୍ମାର୍ଟ ସିଟି ସମୀକ୍ଷା କରୁନାହିଁ।

ତେବେ ବିଏସ୍‌ସିଏଲ୍‌ର ଜଣେ ଅଧିକାରୀଙ୍କ କହିବା କଥା, ମୋ ସାଇକେଲ୍‌ର କିଭଳି ବ୍ୟବହାର ବଢ଼ିବ ସେ ନେଇ ଏସ୍‌ଓପି ପ୍ରସ୍ତୁତ ହେଉଛି। ବିଭିନ୍ନ କ୍ଷେତ୍ରରୁ ଆସିଥିବା ପରାମର୍ଶ ଉପରେ ବିଚାର କରାଯାଉଛି। ଯେଉଁମାନେ ଅଧିକରୁ ଅଧିକ ସାଇକେଲ୍‌ ବ୍ୟବହାର କରୁଥିବେ ସେମାନଙ୍କୁ ସମ୍ମାନିତ ବା ପୁରସ୍କୃତ କରାଯିବ। ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ରଖି ଛାତ୍ରଛତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯିବ। ସାଇକେଲ୍‌କୁ ନେଇ ବିଭିନ୍ନ ସମୟରେ ପ୍ରତିଯୋଗିତା ପ୍ରଭୃତି ଆୟୋଜନ କରାଯିବ। ଚାହିଦା ନଥିବା ଜାଗାରୁ ସାଇକେଲ୍‌ ହଟାଇ ଅନ୍ୟ ଜାଗାରେ ରଖିବା ପାଇଁ ଆସିଥିବା ପ୍ରସ୍ତାବକୁ ବିଚାର କରି ଏସ୍‌ଓପି ଜାରି ହେବ।

ଉଲ୍ଲେଖଯୋଗ୍ୟ, କ୍ରୁଟ୍ କର୍ତ୍ତୃପକ୍ଷ ସାଇକେଲ୍ ପିଛା ୨୫ହଜାର ଟଙ୍କା ଦେଇ ଦୁଇ ହଜାର ସାଇକେଲ୍ କିଣିଥିଲେ। ସାଇକେଲ୍‌ର ରକ୍ଷଣାବେକ୍ଷଣ ଦାୟିତ୍ବ ତିନି ସଂସ୍ଥା ହେକ୍ସି, ୟୁଲୁ ଓ ୟୋନୋକୁ ଦେଇଥିଲେ। ପରେ ଏହାର ପରିଚାଳନା ଦାୟିତ୍ବ ବଏସ୍‌ସିଏଲ୍‌ ନେଇଛି।

ସମ୍ବନ୍ଧିତ ଖବର