ଭୁବନେଶ୍ୱର: ପ୍ରଦୂଷଣ ରୋକିବା ସହ ସହରବାସୀଙ୍କୁ ସାଇକେଲ୍‌ ଅଭ୍ୟସ୍ତ କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏମ୍‌ସିଏଲ୍‌) କରିଥିବା ମୋ’ ସାଇକେଲ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପୂର୍ବରୁ ଦିନକୁ ୩ଶହରୁ ୪ଶହ ସାଇକେଲ୍‌ ଲୋକମାନେ ଭଡ଼ାରେ ନେଇ ଚଳାଉଥିବା ବେଳେ ଆଜିର ଦିନରେ ଏହା ଦୁଇ ଅଙ୍କରେ ସୀମିତ ରହିଛି। ଆଗକୁ ଖରା ଦିନ ଆସୁଛି। ଏହି ଦିନରେ ସାଇକେଲ ଚାହିଦା ସାଧାରଣତଃ ରହେ ନାହିଁ। ଏଣୁ ଆଗକୁ ଏହାର ବ୍ୟବହାର ସଂଖ୍ୟା ଶୂନ ହୋଇଯିବା ଆଶଙ୍କା ରହିଛି। ବର୍ଷ ବର୍ଷ ଧରି ଏହା ବ୍ୟବହାର ହେଉନାହିଁ। ବରଂ ରାସ୍ତା କଡ଼ରେ ପଡ଼ି ସହରର ସୌନ୍ଦର୍ଯ୍ୟ ନଷ୍ଟକରୁଛି, ଜାଗା ମଧ୍ୟ ମାଡ଼ି ବସୁଛି। ଏଣୁ ବିଏମ୍‌ସି ଏସବୁକୁ ସାଇକେଲ୍‌ ଆବଶ୍ୟକ କରୁଥିବା ବସ୍ତି ପିଲା କିମ୍ବା ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଦେବାକୁ ଚିନ୍ତା କରୁଛି। କେବଳ ଚିନ୍ତା କରୁନାହିଁ ବରଂ ଗତ କର୍ପୋରେସନ ବୈଠକରେ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଛି। ତେବେ କେବଳ ମୋ ସାଇକେଲ୍‌ ନୁହେଁ, ୭ ବର୍ଷ ତଳେ ବିଏମ୍‌ସିକୁ ଦାନ ସୂତ୍ରରେ ମିଳିଥିବା ୨ଶହ ସାଇକେଲ୍‌ ମଧ୍ୟ ଖତ ଖାଉଛି। ସେ ସବୁକୁ ମରାମତି କରି ବାଣ୍ଟି ଦେବା ପାଇଁ ଯୋଜନା ହୋଇଛି। ଖତ ଖାଇବା ଅପେକ୍ଷା ପିଲାମାନଙ୍କୁ ବାଣ୍ଟି ଦିଆଯାଉ ବୋଲି କର୍ପୋରେଟରମାନେ ମଧ୍ୟ ସମ୍ମତି ଜଣାଇଛନ୍ତି।

Advertisment

ତେବେ ଲକ୍ଷ ଲକ୍ଷ ଟଙ୍କାର ସାଇକେଲ୍‌ କାହାକୁ ବଣ୍ଟା ଯିବ? ଏହି ସବୁ ହିତାଧିକାରୀଙ୍କୁ କିଏ ଚୟନ କରିବ? ସାଇକେଲ୍‌ ପାଇବା ପାଇଁ କଣ ଯୋଗ୍ୟତା ଦରକାର? ଏସବୁ ବିଏମ୍‌ସି ସ୍ଥିର କରିନାହିଁ। ଏଣୁ ବାଣ୍ଟିବା ବେଳେ ପକ୍ଷପାତିତା ହେବା ଆଶଙ୍କା କରାଯାଉଛି। ଏ ନେଇ ବିଏମ୍‌ସି ଏବେ ଚିନ୍ତା କରିନାହିଁ। ଅନ୍ୟପଟେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ସାଇକେଲ୍‌ର କିଭଳି ବ୍ୟବହାର ବଢ଼ିବ ସେ ନେଇ ଚିନ୍ତା ନ କରି ଏ ସବୁକୁ ଦାନ କରିଦେବା ପ୍ରସଙ୍ଗକୁ ଅନେକେ ଗ୍ରହଣ କରିପାରିନାହାନ୍ତି।

ଦାନ ସୂତ୍ରରେ ମିଳିଥିବା ସାଇକେଲ୍‌ ବି ଦାନରେ ‌ଦେବେ
ବ୍ୟବହାର ବଢ଼ିବା ପାଇଁ କେହି ଚିନ୍ତା କଲେନି

୨୦୧୮ ମସିହା, ନଭେମ୍ବର ୨୬ ତାରିଖରେ ‘ମୋ ସାଇକେଲ୍‌’ ଯୋଜନାର ଶୁଭାରମ୍ଭ କରିଥିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଦେଶ୍ୟ ଥିଲା ରାଜଧାନୀରେ ପ୍ରଦୂଷଣ କମିବ, ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବ। କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ(କ୍ରୁଟ୍‌) ୧୮୦୦ ସାଇକେଲ କିଣିଥିଲା। ଗୋଟାକୁ ୨୫ହଜାର ଓ ମରାମତି ପାଇଁ ବର୍ଷକୁ ସାଇକେଲ୍‌ ପିଛା ୫ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା। ତିନିଟି ସଂସ୍ଥା ସାଇକେଲ୍‌ ଯୋଗାଇବା ସହ ଏହାର ପରିଚାଳନା ଓ ମରାମତି ଦାୟିତ୍ବ ନେଇଥିଲେ। ଏହା ପରେ ବିଏସ୍‌ସିଏଲ୍‌ ପରିଚାଳନା ଦାୟିତ୍ବ ନେଇଥିଲା। ବିଏସ୍‌ସିଏଲ୍‌ ଦାୟିତ୍ବ ନେବା ପରେ ପାଖାପାଖି ୭୮୦ଟି ସାଇକେଲ୍‌କୁ ପରିଚାଳନା କରୁଥିବା ସଂସ୍ଥା(ହେକ୍ସି) କବାଡ଼ିଆଙ୍କୁ ବିକି ଦେଇଥିଲା।

ଏନେଇ ବିଏସ୍‌ସିଏଲ୍‌ ସହିଦନଗର ଥାନାରେ ଏତଲା ଦେଇଥିଲା। କିନ୍ତୁ ପରେ ସମ୍ପୃକ୍ତ ସଂସ୍ଥା ନୂଆ ୭୮୦ ସାଇକେଲ୍‌ ପ୍ରଦାନ କରିଥିବାରୁ ମାମଲରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ସାଇକେଲ୍‌ ବ୍ୟବହାର ନ ହେବାରୁ ରାସ୍ତାକଡ଼ରେ ପଡ଼ି ପଡ଼ି ନଷ୍ଟ ହୋଇଯାଇଥିବାରୁ ସ୍କ୍ରାପ୍‌ କରି ବିକ୍ରି କରାଯାଇଥିଲା ବୋଲି ସେତେବେଳେ ହେକ୍ସି ଦର୍ଶାଇଥିଲା। କିନ୍ତୁ ଏହା କିଭଳି ଲୋକପ୍ରିୟ ହୋଇ ପାରିବ ବା ବ୍ୟବହାର ବଢ଼ିବ ସେ ନେଇ କେହି ଚିନ୍ତା କରିନଥିଲେ। ଅନ୍ୟପଟେ ୨୦୧୫-୧୬ ମସିହାରେ ଯେତେବେଳେ ରାହାଗିରି(ଏବେ ପଥୋତ୍ସବ) ଆରମ୍ଭ ହୋଇଥିଲା ସେତେବେଳେ ସାଇକେଲ୍‌ ପ୍ରତି ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା ହୋଇଥିଲା। ନାଲ୍‌କୋ ଓ ଏସ୍‌ବିଆଇ ପକ୍ଷରୁ ବିଏମ୍‌ସିକୁ ୨ଶହ ସାଇକେଲ ଯୋଗାଇ ଦିଆଯାଇଥିଲା। ପ୍ରତ୍ୟେକ ପଥୋତ୍ସବରେ ଏହାକୁ ଟ୍ରକ୍‌ ଯୋଗେ ରାହାଗିରି ସ୍ଥଳକୁ ନିଆଯାଉଥିଲା। ସେଠାରେ ସକାଳୁ ସକାଳୁ ସାଇକେଲ୍‌ ଚଳାଇବାର ମଜା ସମସ୍ତେ ନେଉଥିଲା। ସେତେବେଳେ ଏହାର ବେଶ୍‌ ଚାହିଦା ରହିଥିଲା। ତେବେ ଏହି ରାହାଗିରିରେ ଦୁଇଟି ସାଇକେଲ୍‌ ହଜି ଯିବାରୁ ବିଏମ୍‌ସି ଥାନାରେ ଏତଲା ଦେଇଥିଲା। ଏହାକୁ ଆଉ ରାହାଗିରି ନିଆଗଲା ନାହିଁ। ସେବେଠାରୁ ଏହି ସାଇକେଲ୍‌ ବିଏମ୍‌ସିରେ ପଡ଼ି ଖତ ଖାଉଛି। ଏଥିରୁ କିଛି ସ୍ବେଚ୍ଛାସେବୀଙ୍କୁ ବାଣ୍ଟି ଦିଆଯାଇଛି। ଏହି ସାଇକେଲ୍‌ ରହି ରହି ନଷ୍ଟ ହୋଇଯାଥିବାରୁ ଏହାକୁ ମରାମତି କରି ବିଏମ୍‌ସି ଏବେ ବାଣ୍ଟିବାକୁ ଯୋଜନା କରିଛି।

ଅନ୍ୟପଟେ ପ୍ରତି ଶୁକ୍ରବାର ଅଧିକାରୀମାନେ ଅଫିସ୍‌ ସାଇକେଲ୍‌ରେ ଆସିବେ ‌ବୋଲି ନିଷ୍ପତ୍ତି ହୋଇଥିଲା। ତତ୍‌କାଳୀନ କମିସନର ପ୍ରେମଚନ୍ଦ୍ର ଚୌଧୂରୀଙ୍କ ସମୟରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହେବାର ପରବର୍ତ୍ତି ଶୁକ୍ରବାର ସମସ୍ତ ଅଫିସର ଓ ତତ୍‌କାଳୀନ ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ ସାଇକେଲ୍‌ରେ ଆସିଥିଲେ। ପ୍ରଥମ ଶୁକ୍ରବାର ଏଭଳି ଫଟୋ ଉଠିବା ପରେ ବିଏମ୍‌ସି ବାହାବା ନେଇଥିଲା। ଏହା ପରେ ସବୁ ଭୁଲି ଯାଇଥିଲେ। କେହି ସାଇକେଲ୍‌ ବ୍ୟବହାର କଲେ ନାହିଁ। ଅଫିସରମାନେ ସାଇକେଲ୍‌ ବ୍ୟବହାର କରିଥିଲେ ଅନ୍ୟ ଅଫିସ୍‌ ଓ ସାଧାରଣ ଲୋକ ମଧ୍ୟ ସାଇକେଲ୍‌ ଚଳାଇବାକୁ ପ୍ରୋତ୍ସାହିତ ହୋଇଥାନ୍ତେ। କିନ୍ତୁ ଏ ସବୁ ନ କରି ବିଏମ୍‌ସି ଏବେ ସାଇକେଲ୍‌ ବାଣ୍ଟି ଦେବାକୁ ବସିଛି।