ଆରମ୍ଭ ହେଲା ମୋ ଇ-ବସ୍‌, ମୋ ଇ-ରାଇଡ୍‌

ପ୍ରଥମ ୩ ଦିନ ମାଗଣା, ଇ-ରାଇଡ୍‌ରେ ମହିଳାଙ୍କୁ ଗୁରୁତ୍ବ

ଭୁବନେଶ୍ବର : ଶୁକ୍ରବାରଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ‘ମୋ ଇ-ବସ’ ଓ ‘ମୋ ଇ-ରାଇଡ୍‌’(ଅଟୋ) ସେବା। ପ୍ରଥମ ପର୍ଯ୍ୟାୟରେ ୧୦ଟି ମୋ ଇ-ବସ ଓ ୫୦ ଟି ମୋ ଇ-ରିକ୍ସା ଚାଲିବା ଆରମ୍ଭ କରିଛି। ପ୍ରଥମ ତିନିଦିନ ଅର୍ଥାତ୍‌ ୨୯, ୩୦ ଓ ୩୧ ତାରିଖରେ ୪ଟି ରୁଟ୍‌ରେ ମୋ ଇ-ବସ୍‌ ଯାତ୍ରୀମାନଙ୍କୁ ମାଗଣାରେ ସେବା ଯୋଗାଇ ଦେବ। ପରେ କିଛି ମାସ ପାଇଁ ଫ୍ଲାଟ୍‌ ୧୦ ଟଙ୍କା ଦର ରହିବ। ତାହା ପରେ ଏହାର ଦର ଧାର୍ଯ୍ୟ କରାଯିବ। ଆଗାମୀ ଦିନରେ ୫୦ ଟି ଇ-ବସ ଚଳାଚଳ କରାଯିବା ଲକ୍ଷ୍ୟ ରଖା ଯାଇଛି। ଆଜି ବିମାନବନ୍ଦର ଛକ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ଏହି ସେବା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବସ୍‌ ଓ ଅଟୋଗୁଡ଼ିକରେ ଗାଇଡ୍‌ ଭାବରେ କାମ କରୁଥିବା ମହିଳା ଓ କିନ୍ନରମାନଙ୍କର ଅକୁହା କାହାଣୀକୁ ନେଇ ପ୍ରସ୍ତୁତ ବହିକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

କ୍ରୁଟ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବସ୍‌ ସେବାରେ ଲିଙ୍ଗଗତ ସମାନତାକୁ ଗୁରୁତ୍ବ ଦିଆଯାଇ ଗାଇଡ୍‌ ଭାବରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ବସ୍‌ରେ ୩୦ଟି ସିଟ୍‌ ରହିଥିବା ବେଳେ ମହିଳାମାନଙ୍କ ନିମନ୍ତେ ଗୋଲାପି ରଙ୍ଗର ସିଟ୍‌ ସଂରକ୍ଷିତ ରଖାଯାଇଛି। ଉଭୟ ଅଟୋ ଓ ବସ୍‌ ଶବ୍ଦ ଓ ବାୟୂ ପ୍ରଦୂଷଣ ମୁକ୍ତ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି ୧୦ଟି ବସ୍ ପ୍ରଥମେ ୪ଟି ପୁରୁଣା ରୁଟରେ ଚାଲିବ। ରୁଟ୍‌ ୯ରେ ଆଚାର୍ଯ୍ୟବିହାରରୁ ପଟିଆ, ୧୧ ଓ ୧୨ରେ ରେଳଷ୍ଟେସନରୁ ନନ୍ଦନକାନନ, ୨୩ ନମ୍ବର ରୁଟ୍‌ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ସମ୍‌ ହସ୍‌ପିଟାଲ ପର୍ଯ୍ୟନ୍ତ ଚାଲିବ। ଅଟୋଗୁଡ଼ିକ ପଟିଆ, ପାତ୍ରପଡ଼ା ଓ ପୋଖରିପୁଟ ଅଞ୍ଚଳରେ ଚାଲିବ। ଏଥିରେ ପ୍ରତ୍ୟେକ ୩ କିଲୋମିଟରକୁ ୧୦ ଟଙ୍କା ଦର ରହିଛି। ପ୍ରଦୂଷଣ ବିହୀନ ଇ-ବସ୍ ଗାଇଡ଼ ଭାବରେ ୫୦% ମହିଳା ଓ ମୋ ଇ-ରାଇଡ୍‌ରେ ଶତ ପ୍ରତିଶତ ମହିଳା ଓ କିନ୍ନରମାନଙ୍କୁ ସାରଥୀ ଭାବରେ ନିଯୁକ୍ତି ଦିଆଯାଇଛି। ଏହି ସେବା ଦ୍ବାରା ୫୦୦ରୁ ଅଧିକ ରୋଜଗାର ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ସଂଖ୍ୟା ବଢ଼ିବାକୁ ଯାଉଛି। ସହରରେ ଆହୁରି ଅଧିକ ବସ୍‌ଷ୍ଟପ୍‌ ମଧ୍ୟ ତିଆରି ହେବ। ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ଏକ ପଦକ୍ଷେପ ନିଆଯାଇଛି। ମୋ ବସ୍‌ ଭଳି ଏହା ମଧ୍ୟ ଲୋକପ୍ରିୟ ହେବ ବୋଲି ଆଶା କରିଛନ୍ତି କ୍ରୁଟ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ।

କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ଏବେ ସହରରେ ୨୫୫ଟି ଡିଜେଲ୍‌ ଚାଳିତ ମୋ ବସ ଚଳାଚଳ କରୁଛି। ସେହି ବସ୍‌ ସେବା ସହ ଏହି ପ୍ରଦୂଷଣମୁକ୍ତ ୧୦ ଟି ବସ୍‌ ଚଳାଚଳ ଆରମ୍ଭ କରିଛି। ଲୋକମାନଙ୍କୁ ଆରାମ୍‌ଦାୟକ ସେବା ଯୋଗାଇ ଦେବା ପାଇଁ ଆଗକୁ ମଧ୍ୟ କ୍ରୁଟ୍‌ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ବିଧାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନା, ବିଧାୟକ(ଉତ୍ତର) ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନାନ୍‌ ପ୍ରମୁଖଙ୍କ ସମେତ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର