ଆରମ୍ଭରୁ ଆଣ୍ଠେଇଲାଣି ‘ମୋ ଖତ’ ଯୋଜନା : ୨୫ କୁଇଣ୍ଟାଲ ଅର୍ଡର ଅଛି, ଖତ ନାହିଁ

ଭୁବନେଶ୍ବର : ରାଜଧାନୀରେ ଏବେ ୮ଟି କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ହେଲେ ସବୁ ପ୍ଲାଣ୍ଟରୁ ଖତ ବାହାରୁନି। ଫଳରେ ‌ଲୋକ ଖତ ନେବାକୁ ଚାହୁଥିଲେ ବି ଖତ ମିଳୁନି। ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି ଯେ ‘ମୋ ଖତ’ ବିକ୍ରି ପାଇଁ ରାଜମହଲ ଛକରେ ଖୋଲା ଯାଇଥିବା କାଉଣ୍ଟର୍‌ରୁ ଏବେ ୫୦୦ଜଣ ଲୋକ ଖତ ନେଲେଣି। ଏଠାରେ ୫ କେଜିର ଖତ ପ୍ୟାକେଟ୍‌ ବିକ୍ରି ହେଉଥିବା ବେଳେ ଏହାକୁ ନେବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ହେଲେ ଅନଲାଇନ୍‌ରେ ଅର୍ଡର ଆସିଥିବା ୨୫ କୁଇଣ୍ଟାଲ ଖତ ଦିଆଯାଇପାରିନି। ଏହି ଖତ ଯୋଗାଇବାକୁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍‌ସି କର୍ତ୍ତୃପକ୍ଷ କମ୍ପୋଷ୍ଟ ପ୍ଲାଣ୍ଟ କିପରି ଖତ ଉତ୍ପାଦନ ହେଉଛି, ତାହା ଜଣାଇଛନ୍ତି।

ବିଏମ୍‌ସିର ସୂଚନା ଅନୁଯାୟୀ, ଗତ ୧୭ ଦିନ ଭିତରେ ୨୫ କ୍ବିଣ୍ଟାଲ ଖତ ବିକ୍ରି ସରିଲାଣି। ଆଉ ପ୍ରାୟ ୧୦ କୁଇଣ୍ଟାଲ ଖତ କାଉଣ୍ଟରରେ ବିକ୍ରି ପାଇଁ ଅଛି। ହେଲେ ସବୁ ପ୍ଲାଣ୍ଟରୁ ଖତ ଉତ୍ପାଦନ ଓ ପ୍ୟାକେଜିଂ ପ୍ରକ୍ରିୟା ଆରମ୍ଭ ହୋଇ ନଥିବାରୁ ଏହାକୁ ଯୋଗାଣ କରାଯାଇପାରୁନି। ଏବେ ସୈନିକ ସ୍କୁଲ ଟିଟିଏସ୍‌ ଏବଂ ନିକୋ ପାର୍କରେ ଥିବା ଦୁଇଟି କମ୍ପୋଷ୍ଟ ପ୍ଲାଣ୍ଟରୁ ଖତ ଉତ୍ପାଦନ ହେଉଥିବା ବେଳେ ଏହାର ବିକ୍ରି ପାଇଁ ପ୍ୟାକେଜିଂ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ କୁଇଣ୍ଟାଲ ଖତ ଉତ୍ପାଦନ ହୋଇଛି। ଫେବ୍ରୁଆରି ଶେଷ ସୁଦ୍ଧା ୱାର୍ଡ-୨୮ ଓ ୨୯ରେ ଥିବା ପ୍ଲାଣ୍ଟରୁ ଖତ ଉତ୍ପାଦନ ହେବ। ଏହା ପରେ ଖତର ଅଭାବ ଦୂର କରିହେବ। ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଜୈବ ଓ ଅଜୈବ ଆବର୍ଜନା ପୃଥକ୍‌ ପୃଥକ୍‌ ଭାବେ ସଂଗ୍ରହ ହେଉ ନଥିବାରୁ କମ୍ପୋଷ୍ଟ ପ୍ଲାଣ୍ଟରେ ଏହାର ପୃଥକୀକରଣ କରିବାରେ ସମସ୍ୟା ହେଉଛି। ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହାକୁ ପୃଥକ୍‌ କରିବାକୁ ଅଧିକ ସମୟ ନେଉଛନ୍ତି। ଏହାବାଦ୍‌ ଆବର୍ଜନାରୁ ଖତ ପ୍ରସ୍ତୁତ ହେବାକୁ ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଲାଗୁଥିବାରୁ ଅଧିକ ଖତ ଉତ୍ପାଦନ ହୋଇପାରୁନି। ତେଣୁ ଆଉ ଦୁଇ ତିନି ମାସ ମଧ୍ୟରେ ଲୋକଙ୍କ ଚାହିଦାକୁ ଦୃଷ୍ଟି‌ରେ ରଖି ଆମେ ଖତ ପ୍ରସ୍ତୁତ କରିପାରିବୁ।

ସମ୍ବନ୍ଧିତ ଖବର