‘ମୋ ମଲ୍‌’- ଗରିବଙ୍କ ପାଇଁ ସପିଂର ମଜା

ଭୁବନେଶ୍ବର : ଲାଗିଥିଲା ବସ୍ତ୍ରର ମେଳା। ସମ୍ଭ୍ରାନ୍ତ କିମ୍ବା ମଧ୍ୟବିତ୍ତ ଶ୍ରେଣୀୟ ଗ୍ରା‌ହକ ନୁହେଁ, ବୁଲି ଦେଖୁଥିଲେ ଗରିବ ଓ ନିରାଶ୍ରୟ ଗ୍ରାହକମାନେ। ନିଜ ପସନ୍ଦ ମୁତାବକ ବସ୍ତ୍ର ବାଛିବାରେ ଲାଗିଥିଲେ ଓ ଏହାକୁ ପାଇ ବେଶ୍ ଖୁସି ବି ଦେଖିଯାଉଥିଲେ। ଗରିବ ଲୋକଙ୍କୁ ସପିଂର ଏକ ନିଆରା ଅନୁଭୂତି ଦେବା ତଥା ସେମାନଙ୍କ ବସ୍ତ୍ର ଆବଶ୍ୟକତାକୁ ମେଣ୍ଟାଇବା ଉଦ୍ଦେଶ୍ୟରେ ମଦର ପବ୍ଲିକ ସ୍କୁଲର କିଛି ପୁରୁଣା ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ‘ଭୁବନେଶ୍ବର ଗିଭ୍‌ସ ଇନିସିଏଟିଭ୍‌’ ଓ ମଦର ପବ୍ଲିକ୍‌ ସ୍କୁଲର ମିଳିତ ସହା‌ଯୋଗରେ ବସ୍ତ୍ର ଦାନ କାର୍ଯ୍ୟକ୍ରମ ‘ମୋ ମଲ୍‌’ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ବର ଅର୍ବାନ ହାଉସିଂ ମିସନ ନିର୍ଦ୍ଦେଶକ ଏସ୍‌. ସି. ଦଳେଇ ଓ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ। ସଂଗଠନର ପ୍ରତିଷ୍ଠାତା ସଦସ୍ୟ ମୋହିତ ସାମଲ କହିଛନ୍ତି, ଘର ଘର ବୁଲି ବସ୍ତ୍ର ସଂଗ୍ରହ କରିବା ସହ ଆମେ ବିଭିନ୍ନ ସାମାଜିକ ଗଣମାଧ୍ୟମ ବ୍ୟବହାର କରି ଲୋକମା‌ନଙ୍କୁ ନିଜ ପୁରୁଣା ବସ୍ତ୍ର ଦାନ କରିବା ପାଇଁ ବାର୍ତ୍ତା ଦେଇଥିଲୁ। ପାଖାପାଖି ୯ ହଜାର ବସ୍ତ୍ର ଏହା ଦ୍ବାରା ସଂଗୃହୀତ ହୋଇପାରିଛି। ଏହିସବୁ ବସ୍ତ୍ରକୁ ସଫା କରି, ଭଲ ଭାବେ ପ୍ୟାକ୍‌ କରାଯାଇଥିଲା। ଆଜି ପାଖାପାଖି ୧ ହଜାର ଗରିବ ଓ ନିରାଶ୍ରୟଙ୍କୁ ବସ୍ତ୍ର ଦାନ କରାଯାଇଛି। କାର୍ଯ୍ୟକ୍ରମ ସରିବା ପରେ ସହରର ବିଭିନ୍ନ ଅନାଥାଶ୍ରମ ଓ ଆଶ୍ରୟସ୍ଥଳୀକୁ ଯାଇ ମଧ୍ୟ ବସ୍ତ୍ର ଦାନ କରାଯାଇଛି।

ସମ୍ବନ୍ଧିତ ଖବର