‘ମୋ ସରକାର’ଗ୍ରାଉଣ୍ଡ ଜିରୋ: କେଉଁଠି ତାଲା ତ’ କେଉଁଠି ଚଉକି ଖାଲି

ବାଲିଅନ୍ତାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, କାର୍ଯ୍ୟାନୁଷ୍ଠାନକୁ ଭୟ ନାହିଁ

ବାଲିଅନ୍ତା,: ରାଜ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’। ମୁଖ୍ୟମନ୍ତ୍ରୀ ସିଧାସଳଖ ଫୋନ କରି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି। ବରିଷ୍ଠ ପ୍ରାଶାସନିକ ଅଧିକାରୀ ହସ୍ପିଟାଲ ବୁଲି ସ୍ବାସ୍ଥ୍ୟସେବା ଅନୁଧ୍ୟାନ କରୁଛନ୍ତି। ଏଥିରେ ଖିଲାପ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଉଛି। ମାତ୍ର ଏତେସବୁ ସତ୍ତ୍ବେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସୁନାହିଁ। ରାଜ୍ୟ ସରକାର ‘୫-ଟି’କୁ ଗୁରୁତ୍ବ ଦେଉଥିବା ବେଳେ ‘ମୋ ସରକାର’ ଅନେକ ସ୍ଥାନରେ ଉପହାସ ପାଲଟିଛି। ଆମେ କୌଣସି ଉପାନ୍ତ ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଥା କହୁନାହୁଁ। ବରଂ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକର ସ୍ବାସ୍ଥ୍ୟସେବା ଏହାର ଯଥାର୍ଥତାକୁ ବୟାନ କରୁଛି। ଏହି ଅଞ୍ଚଳରେ ଲୋକଙ୍କୁ କିଭଳି ସ୍ବାସ୍ଥ୍ୟ ସେବା ମିଳୁଛି ଜାଣିବା ପାଇଁ ‘ସମ୍ବାଦ’ ପକ୍ଷରୁ ଆଜି ଅପରାହ୍‌ଣରେ କରାଯାଇଥିବା ଗ୍ରାଉଣ୍ଡ ଜିରୋ ଅନୁସନ୍ଧାନରୁ ଏଭଳି ତଥ୍ୟ ହସ୍ତଗତ ହୋଇଛି। ଏ ସମ୍ପର୍କିତ ତଥ୍ୟକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ରିପୋର୍ଟ: ନିରଞ୍ଜନ ସେନାପତି
ଫଟୋ: ବିଭୂତି ସାହୁ

ଅଭିଯାନ ଆରମ୍ଭ ହୋଇଥିଲା ବେଣୁପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ। ଅପରାହ୍‌ଣ ପ୍ରାୟ ୩ଟା ୧୫ମିନିଟ। ହସ୍ପିଟାଲରେ ପହଞ୍ଚି ଦେଖିଲୁ ଆଉଟଡୋର୍‌ ଗେଟ୍‌ରେ ତାଲା ପଡ଼ିଛି। ବାହାରେ କେହି ରୋଗୀ ନଥିଲେ। ଏତିକି ବେଳେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଗେଟ୍‌ ଖୋଲି ଆଉଟଡୋରରେ ବସିଲେ। ଆଉ ଅନ୍ୟ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସାରି ଅପରାହ୍‌ଣ ଠିକ୍‌ ୫ଟାରେ ଏଠାରେ ପହଞ୍ଚି ଦେଖିଲୁ ସେହି ସ୍ବାସ୍ଥ୍ୟକର୍ମୀ ଜଣକ ରୋଗୀ ଚିକିତ୍ସା କରୁଥିଲେ। ଏହାପରେ ୩ଟା ୨୩ ମିନିଟ ସମୟରେ ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲୁ। ସେଠାରେ ସ୍ଥିତି ସାଂଘାତିକ ଥିଲା। ଆଉଟଡୋରରେ ଡାକ୍ତରଙ୍କ ଚୌକି ଖାଲି ପଡ଼ିଥିଲା। ବାହାରେ କିଛି ରୋଗୀ ଚିକିତ୍ସା ପାଇଁ ଅପେକ୍ଷା କରିଥିଲେ। ଆଉଟଡୋରରେ ଜଣେ ମହିଳା ଆଟେଣ୍ଡାଣ୍ଟ ଏପାଖ ସେପାଖ ହେଉଥିଲେ। ଜଣେ କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନାନୁସାରେ ଭିଙ୍ଗାରପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆବଶ୍ୟକ ପରିମାଣର ମଧୁମେହ, ଗ୍ୟାସ ଓ ରକ୍ତଚାପ ଭଳି ରୋଗର ଔଷଧ ଯୋଗାଣ ହେଉନାହିଁ। ଏସବୁ ଔଷଧ ରୋଗୀ ବାହାରୁ କିଣୁଛନ୍ତି। କ୍ବାର୍ଟର ନଥିବାରୁ ଡାକ୍ତର ରାତିରେ ରହୁନାହାନ୍ତି। ଡାକ୍ତରଖାନା ଉପରେ ନିର୍ଭର କରୁଥିବା ୫ଟି ପଞ୍ଚାୟତର ଲୋକ ହିନସ୍ତା ହେଉଛନ୍ତି। ଶୌଚାଳୟ ନାହିଁ। ପରିମଳ ବ୍ୟବସ୍ଥ୍ୟ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ସେଠାରୁ ଯାଇ ୩ଟା ୪୧ ମିନିଟରେ ପ୍ରତାପରୁଦ୍ରପୁରସ୍ଥିତ ସରକାରୀ ହୋମିଓପାଥି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲୁ। ସେତେବେଳେ ଡାକ୍ତରଖାନା ଫାଟକରେ ତାଲା ଝୁଲୁଥିଲା। ରୋଗୀ ସେବା ସଂପର୍କରେ ଜାଣିବା ପାଇଁ ସ୍ଥାନୀୟ ବାସିନ୍ଦା କ୍ଷୀରୋଦ ଚନ୍ଦ୍ର ପଣ୍ଡାକୁ ପଚାରିବାରୁ ସବୁଦିନ ଡାକ୍ତରଖାନା ଉପରବେଳା ବନ୍ଦ ରହୁଥିବା ସେ କହିଥିଲେ। ତା’ ପରେ ସରକଣା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦେଖିଲୁ ଡାକ୍ତର ଦ୍ବୟଙ୍କ ପ୍ରକୋଷ୍ଠରେ ଚେୟାର ଖାଲିପଡ଼ିଛି। ଆଉଟଡୋରରେ ଜଣେ ଫାର୍ମାସିଷ୍ଟ ରୋଗୀ ସେବା କରୁଛନ୍ତି। ସରକଣା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ନାହାନ୍ତି। ୪ଟା ୨୨ ମିନିଟରେ ବିଶୁନିଆପଡ଼ା ସ୍ଥିତ ସରକାରୀ ଆୟୁର୍ବେଦିକ ସ୍ବାସ୍ଥ୍ୟକେନ୍ଦ୍ର ଗେଟ୍‌ ବନ୍ଦ ରହିଥିଲା। ଶେଷରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ଟା ୩୪ ମିନିଟରେ ପହଞ୍ଚି ଦେଖିଲା ବେଳକୁ ଆଉଟଡୋରରେ ଜଣେ ମାତ୍ର ଡାକ୍ତର ଉପସ୍ଥିତ ଥିବା ବେଳେ ଶିଶୁରୋଗ ଓ ପ୍ରସୂତି ବିଭାଗ ପ୍ରକୋଷ୍ଠରେ ଡାକ୍ତର ନଥିଲେ। ପଚାରିବାରୁ ଡାକ୍ତର ୩ଟା ସୁଦ୍ଧା ତାଙ୍କ ଡ୍ୟୁଟି ସାରି ପଳାଇଥିବା ସୂଚନା ମିଳିଥିଲା। ତେଣୁ ଚିକିତ୍ସା ପାଇଁ ଆସିଥିବା ସଂପୃକ୍ତ ରୋଗୀମାନେ ନିରାଶ ହୋଇ ଘରୋଇ କ୍ଲିନିକକୁ ଯିବାକୁ ବାଧ୍ୟ ହୋଇଥିଲେ। ବଇଁଚୁଆ ସରକାରୀ ହୋମିଓପ୍ୟାଥିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳୁନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ରାଜଶ୍ରୀ ଦାଶଙ୍କୁ ପଚାରିବାରେ ସେ କୁହନ୍ତି, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ବିଭାଗ ଡାକ୍ତର ପଦବି ଏବେ ସୁଦ୍ଧା ଖାଲିପଡ଼ିଥିବା ବେଳେ ସେ ଏହି ଦାୟିତ୍ବ ତୁଲାଉଛନ୍ତି। ଆସିଷ୍ଟାଣ୍ଟ ସର୍ଜନ, ମେଡିସିନ ବିଭାଗ ସ୍ପେଶାଲିଷ୍ଟ ଡାକ୍ତର ପଦବି ଖାଲିପଡ଼ିଛି। ଫଳରେ ଅଧିକାଂଶ ସମୟରେ ରୋଗୀ ସେବାରେ ସମସ୍ୟା ହେଉଛି। ତେଣୁ କାର୍ଯ୍ୟରତ ଡାକ୍ତରମାନେ ପରସ୍ପର ମଧ୍ୟରେ ଦାୟିତ୍ବ ବଣ୍ଟନ କରି କାର୍ଯ୍ୟ ତୁଲାଉଛନ୍ତି। ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ସଂପର୍କରେ ‌ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା. ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର