କ୍ୟାପିଟାଲ ହସ୍ପିଟାଲରେ ଏମିତି ଚାଲିଛି ‘ମୋ ସରକାର’ : ଟିକା ବିକୁଛିନ୍ତି ଦିଦି!

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମୋ’ ସରକାର ଓ ‘୫-ଟି’ର କୌଣସି ପ୍ରଭାବ କ୍ୟାପିଟାଲ ହସ୍ପିଟାଲ ଉପରେ ପଡ଼ୁନାହିଁ। ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ଟଙ୍କା ମଗାଯାଉଥିବା ବେଳେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ପରିବାର ନିୟୋଜନ ଅସ୍ତ୍ରୋପଚାର କରୁଥିବା ମହିଳା ପୁନର୍ବାର ଗର୍ଭବତୀ ହେଉଛନ୍ତି। ଆଜି ସମାନ ଢଙ୍ଗରେ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଦିଦିଙ୍କ ବିରୋଧରେ ଅଭିଯୋଗ ଆସିଛି। ଅଭିନବ ଢଙ୍ଗରେ ଛୋଟ ପିଲାଙ୍କୁ ଦିଆଯାଉଥିବା ଟିକା ବିକ୍ରି ହେଉଥିବା ଜଣେ ମହିଳା ହସ୍ପିଟାଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏହି ଅଭିଯୋଗ ଉପରେ କର୍ତୃପକ୍ଷ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ।

ଆଜି ଜଣେ ମହିଳା ନିଜର ୫ ବର୍ଷର ଶିଶୁକୁ ନେଇ କ୍ୟାପିଟାଲ ହସ୍ପିଟାଲକୁ ନିମୋକୋକାଲ ଟିକା ପ୍ରଦାନ ପାଇଁ ଆସିଥିଲେ। ପୂର୍ବରୁ ଏଥିପାଇଁ ତାଙ୍କୁ ୧୭ଶହ ଟଙ୍କା ପଡ଼ିବ ବୋଲି କୁହାଯାଇଥିବା ବେଳେ ଆଜି ଆସିଲା ବେ‌ଳକୁ ତାହା ୨୧ଶହ ଟଙ୍କା ପଡ଼ିବ ବୋଲି ଦିଦି କହିଥିଲେ। ତେବେ ତାଙ୍କ ପାଖରେ ଏତେ ଟଙ୍କା ନ ଥିବା ମହିଳା ଜଣକ ଫେରି ଆସିଥିଲେ। ତେବେ ଶିଶୁକୁ ଦିଆଯାଉଥିବା କାର୍ଡରେ ଦିଦି ଜଣକ ନିଜ ନାଁ ଓ ଫୋନ୍ ନମ୍ବର ଲେଖିବା ସହିତ ଟଙ୍କା ଯୋଗାଡ଼ ହେଲେ ଯୋଗାଯୋଗ କରିବା ପାଇଁ ମହିଳାଙ୍କୁ କହିଥିଲେ। ତେବେ କେଉଁ ପରିସ୍ଥିତିରେ ତାଙ୍କଠାରୁ ଏତେ ଟଙ୍କା ମଗାଯାଉଥିବା ନେଇ ମହିଳା ଜଣକ ହସ୍ପିଟାଲର ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିମୋକୋକାଲ ଟିକା କ୍ୟାପିଟାଲ ହସ୍ପିଟାଲକୁ ଯୋଗାଣ ହୋଇନଥାଏ। ଏହାର ସୁଯୋଗ ନେଇ ହସ୍ପିଟାଲର କିଛି ଦିଦି ଏହାକୁ ବାହାରୁ କିଣି କଳାବଜାର କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର