ଭୁବନେଶ୍ବର : ଏତଲାକାରୀ ଯେଭଳି ନ୍ୟାୟ ପାଇବେ କିମ୍ବା ପୁଲିସ ଦ୍ବାରା ପ୍ରତାରିତ ନ ହେବେ ସେ ଦିଗରେ କାମ କରୁଛି ‘ମୋ ସରକାର’ ବ୍ୟବସ୍ଥା। ଖୋଦ୍ ମୁଖ୍ୟମନ୍ତ୍ରୀ ସହିଦନଗର ଥାନାରୁ ଏହି ବ୍ୟବସ୍ଥା ବିଧିବଦ୍ଧ ଭାବରେ ଉଦ୍ଘାଟନ କରି ଏତଲାକାରୀକୁ ନ୍ୟାୟ ଦେବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବାକୁ ପୁଲିସ ବାବୁମାନଙ୍କୁ ପରାମର୍ଶ ଦେଇଥିଲେ। ତା ପର ଠାରୁ ପ୍ରତ୍ୟେକ ଏତଲାକାରୀ ଉପରେ ନଜର ରଖିଛି ‘ମୋ ସରକାର’। ଏହାସତ୍ତ୍ବେ ଏଭଳି ବ୍ୟବସ୍ଥାର ଏକ ବ୍ୟତିକ୍ରମ ମଞ୍ଚେଶ୍ବର ଥାନାରେ ଦେଖିବାକୁ ମିଳିଛି। ମୋ ସରକାର ବ୍ୟବସ୍ଥା ତ’ ଦୂରର କଥା, ହାଇକୋର୍ଟଙ୍କ ଆଦେଶ ପରେ ମଧ୍ୟ ମଞ୍ଚେଶ୍ବର ଥାନା ପୁଲିସ ନିଦା ବିଷ୍ଣୁ ସାଜିଛି। ଜଣେ ଦିବ୍ୟାଙ୍ଗ ଏତଲାକାରୀ ବାରମ୍ବାର ଥାନାକୁ ଦଉଡ଼ୁଥିଲେ ମଧ୍ୟ ମାମଲା ରୁଜୁ ହେଉ ନାହିଁ। ପୁଲିସର ଏତାଦୃଶ କାର୍ଯ୍ୟ ଅଭିଯୁକ୍ତମାନଙ୍କୁ ସାହସ ଯୋଗାଇଛି। ଅଭିଯୁକ୍ତମାନେ ବିଭିନ୍ନ ସମୟରେ ନାନା ଧମକ ଦେଉଥିବାରୁ ଏତଲାକାରୀ ଭୟଭୀତ ଅବସ୍ଥାରେ ଅଛନ୍ତି।
ସୂଚନା ମୁତାବକ, ଭଦ୍ରକର ସୁଷମା ସିଂହ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଗୋପବନ୍ଧୁ ବସ୍ତିରେ ସପରିବାର ଦୀର୍ଘ ଦିନ ହେବ ରହି ଆସୁଛନ୍ତି। କୌଣସି କାରଣରୁ ଏହି ବସ୍ତିର ସପନ ସାମଲ ଓ ଅନ୍ୟ ୧୦ ଜଣ ଲୋକ ସେମାନଙ୍କୁ ବିଭିନ୍ନ ଭାବରେ ନିର୍ଯାତନା ଦେଇ ଆସୁଥିବା ସେ ଅଭିଯୋଗ କରିଛନ୍ତି। ଗତ ବର୍ଷ ମାର୍ଚ୍ଚ ୨୬ ତାରିଖରେ ଏହି ଅଭିଯୁକ୍ତମାନେ ସୁଷମା ସିଂହ ଓ ଅନ୍ୟ ଝିଅମାନଙ୍କୁ ମାଡ଼ ମାରି ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ପୁଲିସର ପିସିଆର ପହଞ୍ଚି ପରିବାର ସଦସ୍ୟମାନଙ୍କୁ ଉଦ୍ଧାର କରିଥିଲା। ସେତେବେଳେ ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏତଲା ରଖିଥିଲେ ମଧ୍ୟ ମାମଲା ରୁଜୁ କରି ନ ଥିଲା। ଏଭଳି ଦିନ ଗଡ଼ି ଗଡ଼ି ଯାଉଥିଲେ ମଧ୍ୟ ମାମଲା ରୁଜୁ ନ ହେବାରୁ ସୁଷମା ବାଧ୍ୟ ହୋଇ ହାଇକୋର୍ଟରେ ଅପିଲ କରିଥିଲେ। ମାମଲା ରୁଜୁ କରି ଉପଯୁକ୍ତ ତଦନ୍ତ କରିବା ପାଇଁ ଗତ ଜାନୁଆରି ମାସରେ ହାଇକୋର୍ଟ ଆଦେଶ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ମାମଲା ରୁଜୁ ହୋଇ ପାରିଲା ନାହିଁ କି ଉପଯୁକ୍ତ ତଦନ୍ତ ହେଲା ନାହିଁ। ଏଥିରୁ ରାଜ୍ୟରେ ‘ମୋ ସରକାର’ ବ୍ୟବସ୍ଥା କିପରି ଚାଲିଛି ତାହା ସହଜରେ ଅନୁମାନ କରି ହେଉଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/ma.jpg)