ଭୁବନେଶ୍ବର: ପ୍ରଶାନ୍ତ ବାବୁଙ୍କ କାଠଗୋଲା ଅଛି। ପ୍ରତିଦିନ ସ୍ଥାନୀୟ ଦାଦା ବଟି ପାଇଁ ପହଞ୍ଚନ୍ତି। ସବୁଦିନ ପଚାଶ ଶହେ ଦେବାକୁ ପଡ଼େ। ବେଳେ ବେଳେ ୫ରୁ ୧୦ ହଜାର ମଧ୍ୟ ଡିମାଣ୍ଡ ହୁଏ। ଏହି ନିତିଦିନିଆ ଝିନ୍‌ଝଟ୍‌ରୁ ମୁକ୍ତି ପାଇବା ପାଇଁ ସେ ଥାନାରେ ପହଞ୍ଚିଲେ। କିଛି ସମୟ ବସିବା ପରେ ବାବୁ କହିଲେ ‘କାଗଜ ପ୍ୟାକେଟ୍‌ ଆଉ କଲମ ଚାରି ଛ’ଟା ନେଇ ଆସ’। ଏହି ଘଟଣା କେବଳ ଗୋଟିଏ ଥାନାର ନୁହେଁ, ବରଂ ଏଭଳି ପରମ୍ପରା ଯୁଗଯୁଗର। ଅଧିକାଂଶ ଥାନାରେ ଅଭିଯୋଗକାରୀ କାଗଜ କଲମ କିଣିଦେବା ନଜିର ରହିଛି। ତେବେ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ‘ମୋ ସରକାର’ ଯୋଜନା। ସେବା ପ୍ରଦାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରାଜ୍ୟରେ ଥିବା ୫୮୭ ଥାନା ପାଇଁ ୧୭ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଭୁବନେଶ୍ବରରେ କମିସନରେଟ୍‌ ପୁଲିସ ଅଞ୍ଚଳରେ ଥିବା ଥାନାଗୁଡ଼ିକୁ ମାସିକ ୪୦ହଜାର ଲେଖାଏଁ ମିଳୁଛି। କେବଳ ଭୁବନେଶ୍ବରରେ ମାସିକ ୨୨ ଥାନାକୁ ୮ ଲକ୍ଷ ୮୦ ହଜାର ଆସୁଛି। କେମିତି ଖର୍ଚ୍ଚ ହେଉଛି?
ଏହି ଟଙ୍କା ଉଚିତ ମାର୍ଗରେ ଖର୍ଚ୍ଚ ହେଉଛି ତ? ଯେଉଁ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଅର୍ଥ ପ୍ରଦାନ କରୁଛନ୍ତ, ସେ ଉଦ୍ଦେଶ୍ୟ ପୂରଣ ହେଉଛି ତ? ତଦନ୍ତକାରୀ ଅଧିକାରୀଙ୍କୁ କାଗଜପତ୍ର ସହ ତଦନ୍ତରେ ଖର୍ଚ୍ଚ ହେଉଥିବା ଟଙ୍କା ମିଳୁଛି ତ? ଯଦି ମିଳୁଛି ତେବେ ଅଭିଯୋଗକାରୀ କାଗଜ କାହିଁକି କିଣୁଛି? ଏହି ଅର୍ଥ ଉପଯୁକ୍ତ ବିନିଯୋଗ ହେଉଛି ବୋଲି ବରିଷ୍ଠ ଅଧିକାରୀ ସମୀକ୍ଷା କରୁଛନ୍ତି ତ? କଣ୍ଟିଜେନ୍ସି ଫଣ୍ଡକୁ ନେଇ ଏ ସବୁ ପ୍ରଶ୍ନ ଏବେ ଅଧିକାରୀଙ୍କ ଉପରକୁ ଆଙ୍ଗୁଳି ଉଠାଇଛି।

Advertisment

ଗତ ତିନି ମାସର ବକେୟା ଅର୍ଥ ଥାନା ପିଛା ଏକ ଲକ୍ଷ ୨୦ ହଜାର ଟଙ୍କା କିଛି ଦିନ ତଳେ ଆସିଛି। ଖର୍ଚ୍ଚ ଦେଖାଇବା ପାଇଁ କେତେକ ଥାନାରେ ରସିଦ୍‌ ବହି ଛପା ହୋଇ ନକଲି ବିଲ୍‌ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ ଉଠିଛି। ଅଧିକାରୀ ଏହି ଖର୍ଚ୍ଚ ଦେଖାଇବା ପାଇଁ ବିଲ୍‌ ପ୍ରସ୍ତୁତ କରି ଚାଲିଛନ୍ତି। ତେବେ କେତେକ ସଚ୍ଚୋଟ ଅଫିସର ବିଭିନ୍ନ ଖର୍ଚ୍ଚ ବାବଦକୁ ଆଇଓଙ୍କୁ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଦାନ କରିଥିବା ବେଳେ ଥାନାରେ ଚା’ ପାଣି ବ୍ୟବସ୍ଥା କରିଛନ୍ତି। ମାତ୍ର ଦୁଇଟି ବା ତିନିଟି ଥାନାକୁ ଛାଡ଼ିଦେଲେ ଅନ୍ୟ କୌଣସି ଥାନାରେ ଚା’ ବ୍ୟବସ୍ଥା ନାହିଁ। କିନ୍ତୁ ମାସିକ ଚା’ ବିଲ୍‌ ତିଆରି ହେଉଛି। କେଉଁଠି କାଗଜ କଲମ ପାଇଁ ଅଭିଯୋଗକାରୀକୁ ଆଇଓ ହାତ ପତାଉଥିବା ବେଳେ ବେଳେବେଳେ ହାତରୁ ଖର୍ଚ୍ଚ କରି କିଣୁଛନ୍ତି।

କେତେକ ବରିଷ୍ଠ ଅଧିକାରୀଙ୍କ କହିବା‌ ଅନୁଯାୟୀ, ଥାନାରେ ମାସିକ ଖର୍ଚ୍ଚ ଯେତିକି ସେଥିପାଇଁ ୪୦ ହଜାର ମଧ୍ୟ ନିଅଣ୍ଟ। କେସ୍‌ ଲେଖିବା ପାଇଁ ବା ହାଇକୋର୍ଟରୁ ରିପୋର୍ଟ ତଲବ କିମ୍ବା ବିଧାନସଭାରୁ ପ୍ରଶ୍ନ ଆସିଲେ, କାଗଜ ଆବଶ୍ୟକ ହୋଇଥାଏ। ଏ ସବୁ ଲେଖିବା ପାଇଁ କଲମ ମଧ୍ୟ ଆବଶ୍ୟକ ହୋଇଥାଏ। ତଦନ୍ତ ପାଇଁ ବା ଚଢ଼ଉ ପାଇଁ ଜିଲ୍ଲା ବାହାରକୁ ଯିବାକୁ ପଡ଼ିଥାଏ। ଅଭିଯୁକ୍ତ ବାବାଦରେ ସୂଚନା ପାଇବା‌ ପାଇଁ ସୋର୍ସ ପିଛା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏ ସମସ୍ତ ଖର୍ଚ୍ଚ ଆଇଓ ହିଁ କରିଥାଏ। ଏହା ଛଡ଼ା ଅନେକ ସମୟରେ ସୂଚନା ପାଇବା ପାଇଁ ମୋବାଇଲ ରିଚାର୍ଜ, ଖାଦ୍ୟ ପାନୀୟରେ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ। ବଡ଼ ବଡ଼ ଥାନାରେ ମାସକୁ ୪୫ରୁ ୫୦ ମାମଲା ହୋଇଥାଏ। ସେହି ଅନୁସାରେ ପଇସା ଆବଶ୍ୟକ ପଡ଼ିଥାଏ। ତେବେ ଯଦି ମାସକୁ ୪୦ ହଜାର ଖର୍ଚ୍ଚ ହେଉଥିଲା ତେବେ ଏତେ ଦିନ ଧରି ଆଇଓମାନେ କେଉଁଠୁ ପଇସା ଆଣୁଥିଲେ? ଏ ନେଇ କୌଣସି ବରିଷ୍ଠ ଅଧିକାରୀ ମୁହଁ ଖୋଲି ନାହାନ୍ତି। କେତେକ ଆଇଓ ଏବେ ମଧ୍ୟ ପଇସା ପାଉ ନଥିବାରୁ ଅସନ୍ତୁଷ୍ଟ ଅଛନ୍ତି। କେତେକ ଆଇଓ ପଇସା ପାଇଥିବାରୁ ଖୁସି ଅଛନ୍ତି। ତେବେ ଏହି ଅର୍ଥ ଖର୍ଚ୍ଚର ଟିକ୍‌ନିକ୍‌ ହିସାବ ହେଲେ ଏହା ଭିତରେ ବଡ଼ ଘୋଟାଲା ସମ୍ନାକୁ ଆସିବ ବୋଲି କୁହାଯାଉଛି।