‘ମୋ ସ୍ବପ୍ନର ଭୁବନେଶ୍ବର’ କାର୍ଯ୍ୟକ୍ରମ ଶୁଭାରମ୍ଭ; ସମସ୍ୟା ଶୁଣିଲେ, ପ୍ରସ୍ତାବ ମାଗିଲେ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ରୋଟାରି ଭବନ ପରିସରରେ ‘ମୋ ସ୍ବପ୍ନର ଭୁବନେଶ୍ବର’ ନାମରେ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ସେ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ଆବାସିକ ଉନ୍ନୟନ ସଂଘ କର୍ମକର୍ତ୍ତାଙ୍କ ସହ ଆଞ୍ଚଳିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଲୋକମାନେ ତାଙ୍କୁ ବିଭିନ୍ନ ସମସ୍ୟା ଏବଂ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ କହିବା ସହ ଲିଖିତ ଆକାରରେ କିଛି ପ୍ରସ୍ତାବ ଦେଇଥିଲେ।

ସେହି ସମସ୍ୟାକୁ ନେଇ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଆଗାମୀ ୫ବର୍ଷ ଭିତରେ ସମସ୍ୟାର ସମାଧାନ କରିବା ପାଇଁ ସେ ପ୍ରୟାସ କରିବେ ବୋଲି କହିଥିଲେ। ସେ ପୂର୍ବରୁ ଅନେକ ଜନହିତକର କାର୍ଯ୍ୟ କରିଥିବାରୁ ତାଙ୍କୁ ଆଗାମୀ ଦିନରେ‌ ଲୋକମାନେ ସାହାଯ୍ୟ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ତାଙ୍କର ଚାରିଜଣ ପ୍ରତିନିଧିଙ୍କ ନାମ ଏବଂ ମୋବାଇଲ୍‌ ନମ୍ବର ପ୍ରକାଶ କରି କହିଲେ ଯେ ଯଦି ଆପଣଙ୍କର କିଛି ସମସ୍ୟାର ସମାଧାନ ହୋଇପାରୁନି, ତେବେ ଏହି ନମ୍ବରରେ ଯୋଗାଯୋଗ କଲେ, ମୁଁ ସମାଧାନ କରିବା ପାଇଁ ଚେଷ୍ଟା କରିବି। ଏହି କାର୍ଯ୍ୟକ୍ରମରେ ‘ସମର୍ଥ’ ସାମାଜିକ ସଂଗଠନ ପକ୍ଷରୁ ସହଯୋଗ କରାଯାଇଥିଲା।

କାର୍ଯ୍ୟକ୍ରମରେ ‘ସମର୍ଥ’ର ସଭାପତି କାହ୍ନୁଚରଣ ଦାଶ, ଉପସଭାପତି ଶଶାଙ୍କ ସାହୁ, ଅଶୋକ ପଟ୍ଟନାୟକ, ସମ୍ପାଦକ କୁଳମଣି ରାଉତ ‘ସମର୍ଥ’ ଦ୍ଵାରା ଲୋକଙ୍କ ସେବା କରିବା ପାଇଁ ଆବାସିକ ସଂଘମାନଙ୍କ ସାହାଯ୍ୟ ଲୋଡ଼ିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଯଜ୍ଞେସୁ ପଣ୍ଡା, ସୁନୀତି ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର