ଭୁବନେଶ୍ବର: ମହାନଗର ନିଗମ ଆଇନରେ ‘ଷ୍ଟାଣ୍ଡିଙ୍ଗ କମିଟି’ ଓ ‘ୱାର୍ଡ କମିଟି’ ସମ୍ପର୍କରେ ଉ‌ଲ୍ଲେଖ ଅଛି। ନାଗରିକଙ୍କ ଆବଶ୍ୟକତା ତଥା ସାମୂହିକ ସ୍ବାର୍ଥକୁ ନେଇ ଏହି ଷ୍ଟାଣ୍ଡିଂ କମିଟି ବିଏମ୍‌ସିକୁ ପ୍ରସ୍ତାବ ଦେବା ପୂର୍ବରୁ ପୌର ଆଇନ ଧାରା ୨୧ରେ ବର୍ଣ୍ଣିତ ‘ୱାର୍ଡ କମିଟି’ର ପ୍ରସ୍ତାବକୁ ଅଗ୍ରାଧିକାର ଦେବ। ଏବାବଦରେ ‘ସମ୍ବାଦ’ ଗତ ମେ ୧୩ ତାରିଖରେ ସୂଚାଇ ଦେଇଥିଲା। ଏଣିକି ବିଏମ୍‌ସି ୱାର୍ଡ କମିଟି ନୁହେଁ, ବରଂ ‘ମୋ ୱାର୍ଡ’ ବୈଠକ କରି ତୃଣମୂଳସ୍ତରରେ ରହିଥିବା ସମସ୍ୟାର ସମାଧାନ କରିବାକୁ ଯୋଜନା କରିଛି। ଏହି କ୍ରମରେ ଆଜି ଏକ ଏସ୍‌ଓପି ଜାରି କରାଯାଇଛି। ଏଥିରେ ପରିମଳକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଥିମ୍‌ ‘ମୋ ଭୁବନେଶ୍ବର ମୋ ୱାର୍ଡ’ ରଖାଯାଇଛି। ଏହି ମିସନ୍‌ ଜରିଆରେ ଭୁବନେଶ୍ବରକୁ ସମ୍ପୂର୍ଣ୍ଣ ସଫା ରଖିବାକୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି।

Advertisment

ଏସ୍‌ଓପି ମୁତାବକ, ପ୍ରତ୍ୟେକ ୱାର୍ଡରେ ନିୟମିତ ‘ମୋ ୱାର୍ଡ’ ବୈଠକ ବସିବ। ସମ୍ପୃକ୍ତ ଜେଡ୍‌ଡିସି, ସାନିଟାରି ଇନ୍‌ସ୍‌ପେକ୍ଟର ଓ ସ୍ବାସ୍ଥ୍ୟାଧିକାରୀ ଏହାର ଦାୟିତ୍ବ ନେବେ। ‘ମିସନ ଜିରୋ ଜିପିଏସ୍‌(ଗ୍ରାସ୍‌, ପ୍ଲାଷ୍ଟିକ୍‌, ସଏଲ୍‌)’ ଲକ୍ଷ୍ୟ ନେଇ ବୈଠକ ବସିବ। ବୈଠକ ପରେ ସମ୍ପୃକ୍ତ ଟିମ୍‌ ୱାର୍ଡ ପରିକ୍ରମା କରି ୱାର୍ଡର ସ୍ଥିତି ଦେଖିବେ। ବୈଠକରେ ଆସିଥିବା ଅଭିଯୋଗ ବାବଦରେ ନିଶ୍ଚିତ ହେବେ। ଏଥିରେ ସମ୍ପୃକ୍ତ ୱାର୍ଡର ପରିମଳ, ଡ୍ରେନେଜ୍‌, ଷ୍ଟ୍ରିଟ୍‌ ଲାଇଟ୍‌, ବନୀକରଣ, ପାନୀୟ ଜଳ ସମେତ ଆବଶ୍ୟକ ହେଉଥିବା ଅନ୍ୟ ଯେ କୌଣସି ଭିତ୍ତିଭୂମି ଉପରେ ନଜର ପକାଇବେ। ରହିଥିବା ସମସ୍ୟା କିଭଳି ସମାଧାନ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରିବେ।

ଏହି କ୍ରମରେ ଆଜି ୧୫ ନମ୍ବର ୱାର୍ଡ ଅଫିସ୍‌ରେ ବୈଠକ ବସିଥିଲା। ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିସନର ରବିନାରାୟଣ ଜେଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାସ୍ତା ଉପରେ ଯେଭଳି ଘାସ, ପ୍ଲାଷ୍ଟିକ୍‌ ଓ ମାଟି(ଜିପିଏସ୍‌) ପଡ଼ିବ ନାହିଁ ତାହା ଉପରେ ଆଲୋଚନା ହୋଇଥିଲା। ଏକକ ବ୍ୟବହାର ଯୋଗ୍ୟ ପ୍ଲା‌ଷ୍ଟିକ୍‌ ଉପରେ ଲଗାତାର ଚଢ଼ଉ, ଡ୍ରେନେଜ୍‌ ସମସ୍ୟା ନ ରହିବା ଉପରେ ଆଲୋଚନା ହୋଇଥିଲା। ପାଖାପାଖି ୪୦ ଜଣ ଏଥିରେ ଭାଗ ନେଇଥିଲେ। ଏହି ମିସନ୍‌ରେ ସମସ୍ତଙ୍କର ସହଯୋଗ ଲୋଡ଼ା ଯାଇଥିଲା। ପରବର୍ତ୍ତୀ ସମୟରେ ଏହି ବୈଠକ ଜରିଆରେ ୱାର୍ଡର ସମସ୍ତ ସମସ୍ୟା ସମାଧାନ ହେବ ବୋଲି ଶ୍ରୀ ଜେଠୀ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ପିଙ୍କି ସ୍ବାଇଁ, ସିଓ ପ୍ରତାପ ପଟ୍ଟନାୟକ ଓ ଅନ୍ୟ ପରିମଳ କର୍ମଚାରୀମାନେ ଉପସ୍ଥିତ ଥିଲେ।