ଭୁବନେଶ୍ବର : ଘରୁ କାର୍ ନେଇ ବାହାରକୁ ଆସିବା ବେଳେ ସଚେତନ ହୋଇଯାଆନ୍ତୁ। କାର୍ରୁ ମୋବିଲ୍ ବାହାରୁଛି କି ନାହିଁ ଚେକ୍ କରାଇ ନିଅନ୍ତୁ। କାର୍ରେ ରଖିଥିବା ବ୍ୟାଗ୍ ଓ ଟଙ୍କା ପଇସା ପ୍ରତି ନଜର ଦିଅନ୍ତୁ। ନଚେତ ଆପଣ ମୋବିଲ୍ ପକା ଲୁଟେରାଙ୍କ ହାବୁଡ଼ରେ ପଡ଼ି ପାରନ୍ତି। ଏବେ ସହରରେ ମୋବିଲ୍ ପକା ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ପଡ଼ିଛନ୍ତି। କିଛିଦିନ ତଳେ ରାଜଧାନୀର ଜନଗହଳୀପୂର୍ଣ୍ଣ ସ୍ଥାନରେ ୧୦ ଟଙ୍କା ପକାଇ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗ ଆତଙ୍କ ଖେଳାଇଥିଲେ। ଏପରି ଲୁଟ୍ ତରିକା ବିଷୟରେ ଲୋେକ ସଚେତନ ହୋଇଯିବା ପରେ ଲୁଟେରାମାନେ ଏବେ ଏହି ନୂଆ ଉପାୟକୁ ଆପଣାଇଛନ୍ତି।
ଆପଣ କାର୍ ଚଳାଉଥିବେ। ଆଗରେ ବାଇକ୍ରେ ଥିବେ ଲୁଟେରା। ସେମାନେ ଆପଣଙ୍କୁ ଇସାରା ଦେବେ, ଆପଣଙ୍କ କାର୍ରୁ ମୋବିଲ୍ ବାହାରୁଛି। ଆପଣ କାର୍ ନରଖିଲେ କିଛିବାଟ ପରେ ଆଉ ଜଣେ ଲୁଟେରା ଥିବ। ସେ ମଧ୍ୟ ଆପଣଙ୍କୁ ସମାନ ଇସାରା ଦେବ। ଆଉ ଆପଣ ଏହାକୁ ବିଶ୍ବାସ କରି କାର୍ ଅଟକାଇବେ। କାର ବନେଟ୍ ଟେକି ମୋବିଲ୍ ଲିକ୍ କରୁଛି କି ନାହିଁ ଚେକ୍ କରିବେ। ଏପରି ସୁଯୋଗର ଅପେକ୍ଷାରେ ଥିବେ ଧୂର୍ତ୍ତ ଲୁଟେରା। ଆପଣଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟେରାମାନେ କାର୍ରେ କଳାକନା ବୁଲାଇ ଦେବେ। ଲୁଟିନେବେ ଟଙ୍କା, ମୋବାଇଲ୍ ଫୋନ୍ ଓ ଦରକାରୀ କାଗଜପତ୍ର।
ଗୁରୁବାର ଏପରି ଦୁଇଟି ଘଟଣା ନଜରକୁ ଆସିବା ପରେ ମୋବିଲ୍ ପକା ଲୁଟେରାମାନେ ଯେ ରାଜଧାନୀରେ ସକ୍ରିୟ ହୋଇ ପଡ଼ିଛନ୍ତି ତାହା ସ୍ପଷ୍ଟ ହୋଇଛି। ଗୁରୁବାର ମଧ୍ୟାହ୍ନରେ ପ୍ରଥମେ ଏପରି ଘଟଣା ଘଟିଥିଲା କ୍ୟାପିଟାଲ୍ ଥାନା ଅଧୀନ ରାଜମହଲ ଛକ ଅଞ୍ଚଳରେ। ଲୁଟ୍ର ଶିକାର ହୋଇଥିଲେ ଦାମୋଦର ମହାପାତ୍ର। ଦାମୋଦର କାର୍ କିଣିବା ପାଇଁ ତାଙ୍କ ବନ୍ଧୁଙ୍କ ସହିତ ରାୟଗଡ଼ା ମୁନିଗୁଡ଼ାରୁ ଆସିଥିଲେ। ସେ ରାଜମହଲ ଛକରେ ଗାଡ଼ି ପାର୍କିଂ କରି ଔଷଧ କିଣିବାକୁ ଯାଇଥିଲେ। ଗାଡ଼ି ଚାଳକ ଓ ତାଙ୍କ ବନ୍ଧୁ କାର୍ ଭିତରେ ଶୋଇଥିଲେ। ଏହି ସମୟରେ ଜଣେ ଯୁବକ କାର୍ ସମ୍ମୁଖରେ ପୋଡ଼ା ମୋବିଲ୍ ପକାଇଥିଲା। ପରେ କାର୍ ଚାଳକଙ୍କୁ ମୋବିଲ୍ ଲିକ୍ ହେଉଥିବା କହିଥିଲା। ଚାଳକ ଓ ଦାମୋଦରଙ୍କ ବନ୍ଧୁ କାର୍ ବନେଟ୍ ଟେକି ଚେକିଂ କରୁଥିବା ବେଳେ ଲୁଟେରାମାନେ ଡୋର୍ ଖୋଲି ଟଙ୍କା ବ୍ୟାଗ୍ ନେଇ ପଳାଇଥିଲେ। ସେହିପରି ଦ୍ବିତୀୟ ଘଟଣାଟି ଘଟିଥିଲା ଲକ୍ଷ୍ମୀସାଗର ଥାନା ଅଧୀନ କଟକ ରୋଡ୍ ଅଞ୍ଚଳରେ। ଲୁଟ୍ର ଶିକାର ହୋଇଥିଲେ ଦୁର୍ନୀତି ସଂଘର୍ଷ ମଞ୍ଚର ଅଧ୍ୟକ୍ଷ ତଥା ପୂବର୍ତନ ଶାସନ ସଚିବ (ନିର୍ମାଣ ବିଭାଗ) ଡ. ନନ୍ଦନନ୍ଦନ ଦାସ। ଡ. ଦାସ ତାଙ୍କ କାର୍ରେ ଚିନ୍ତାମଣିଶ୍ବର ଘରୁ ବାହାରି କଟକ ରୋଡ୍ରେ ରସୁଲଗଡ଼ ଦିଗରେ ଆସୁଥିଲେ। ଏହି ସମୟରେ ୨ ଜଣ ଲୁଟେରା ତାଙ୍କ କାର୍ରୁ ମୋବିଲ୍ ବାହାରୁଛି ବୋଲି ଇସାରା କରିଥିଲେ। ସେ କାର୍କୁ ୩୦୦ ଫୁଟ୍ ଗଡ଼ାଇଛନ୍ତି କି ନାହିଁ ରାସ୍ତା ପାର୍ଶ୍ବରେ ଥିବା ଆଉ ଜଣେ ଲୁଟେରା ମଧ୍ୟ ସମାନ ଇସାରା କରିଥିଲା। ସେ ତାଙ୍କ କାର୍ ପାର୍କିଂ କରି ମୋବିଲ୍ ଲିକ୍ ହେଉଛି କି ନାହିଁ ଯାଞ୍ଚ କରୁଥିବା ବେଳେ ଲୁଟେରା ଦ୍ବୟ ତାଙ୍କ ବ୍ୟାଗ୍ ନେଇ ପଳାଇଥିଲେ। ବ୍ୟାଗ୍ରେ ତାଙ୍କର ବହୁ ଗୁରୁତ୍ବପୂର୍ଣ୍ଣ କଗଜପତ୍ର ଓ ଏଟିଏମ୍ କାର୍ଡ ଥିଲା ବୋଲି ସେ କହିଛନ୍ତି। ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଏହି ଦୁଇଟି ଘଟଣା ପରେ ରାଜଧାନୀରେ ଏବେ ମୋବିଲ୍ ପକା ଲୁଟେରା ଗ୍ୟାଙ୍ଗ ଯେ ସକ୍ରିୟ ହୋଇଛନ୍ତି ତାହା ସ୍ପଷ୍ଟ ହୋଇଛି। ପୁଲିସ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏହି ଗ୍ୟାଙ୍ଗର ପତ୍ତା ମିଳିନି। ତେବେ ଏଠାରେ କାର୍ ଚାଳକଙ୍କୁ ସଚେତନ ହେବାକୁ ପୁଲିସ ପରାମର୍ଶ ଦେଇଛି। କାର୍ ଚଳାଇବା ପୂର୍ବରୁ ମୋବିଲ୍ ଲିକ୍ ସଂପର୍କିତ ସମସ୍ୟା ରହିଛି କି ନାହିଁ ସତର୍କ ହେବା ସହିତ କାର୍ରେ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ରଖିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛି। ତେବେ ଖୁବ୍ଶୀଘ୍ର ଏହି ଗ୍ୟାଙ୍ଗ ଧରାଯିବ ବୋଲି ପୁଲିସ କହିଛି।