ଭୁବନେଶ୍ବର : ରବିବାର ସନ୍ଧ୍ୟାରେ ରସୁଲଗଡ଼ କୋଚିଲେଇ ହାଟରୁ ୨ଜଣ ଦୁର୍ବୃତ୍ତ ‘ସମ୍ବାଦ’ର ଜଣେ କର୍ମଚାରୀଙ୍କ ମୋବାଇଲ୍ ଝାମ୍ପି ନେଇଛନ୍ତି। ଲୁଟ୍ର ଶିକାର ଯୁବକ ହେଲେ, ଯୁଗଳ କିଶୋର ଝା। ଏନେଇ ସେ ସହିଦନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି।
ଯୁଗଳଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ସେ କୋଚିଲେଇ ହାଟ ଦେଇ ଅଫିସ୍ ଆସୁଥିଲେ। ସେହି ସମୟରେ ୨ଜଣ ଦୁର୍ବୃତ୍ତ ତାଙ୍କ ଆଗ ପକେଟରୁ ମୋବାଇଲ୍ ଝାମ୍ପି ଫେରାର୍ ହୋଇଯାଇଥିଲେ। ସେ ପାଟି କରିବା ବେଳକୁ ଦୁର୍ବୃତ୍ତଦ୍ବୟ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ତେଣୁ ବାଧ୍ୟ ହୋଇ ସେ ସହିଦନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି।
ସେହିଭଳି ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ପିତାପଲ୍ଲୀ ଛକରୁ ଜଣେ ମହିଳାଙ୍କ ଭ୍ୟାନିଟି ଝାମ୍ପିନେଇଛନ୍ତି ଦୁର୍ବୃତ୍ତ। ସେ ସନ୍ଧ୍ୟାରେ ସ୍ବାମୀ ଦିଲ୍ଲୀପଙ୍କ ସହିତ ଭୁବନେଶ୍ବରରୁ ଯାଁଳାସ୍ଥିତ ଘରକୁ ଯାଉଥିବା ବେଳେ ପଛ ପାଖରୁ ଏକ କଳାରଙ୍ଗର ବାଇକ୍ରେ ଆସି ୨ଜଣ ଦୁର୍ବୃତ୍ତ ତାଙ୍କ ଭ୍ୟାନିଟି ଛଡ଼ାଇ ନେଇଥିଲେ। ଭ୍ୟାନିଟିରେ ତାଙ୍କର ୫ ହଜାର ଟଙ୍କା ଓ ଏକ ମୋବାଇଲ୍ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ଛାନଭିନ୍ ଆରମ୍ଭ କରିଛି।