ମୋବାଇଲ ଝାମ୍ପି ଧରାପଡ଼ିଲା ଲୁଟେରା, ଯୁବତୀଙ୍କୁ କରୁଥିଲା ଟାର୍ଗେଟ୍

ଭୁବନେଶ୍ବର: ରାଜଧାନୀରେ ବୁଲି ବୁଲି ମୋବାଇଲ ଛଡ଼ାଉଥିଲା। କେବଳ ଯୁବତୀଙ୍କୁ ଟାର୍ଗେଟ କରୁଥିଲା। ସକାଳେ ଜଣଙ୍କଠାରୁ ଝାମ୍ପି ସାରିଥିଲା। ମଧ୍ୟାହ୍ନରେ ଆଉ ଗୋଟିଏ ମୋବାଇଲ ଫୋନ୍ ଲୁଟି ଫେରାର ହେବା ସମୟରେ ଲୋକଙ୍କ ହାବୁଡ଼ରେ ପଡ଼ିଗଲା। ଲୋକ ଉତ୍ତମ ମଧ୍ୟମ ଦେଇ ପୁଲିସ ଜିମା ଦେଇଥିଲେ। ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ପଡ଼ିଆ ନିକଟରେ। ଗିରଫ ଲୁଟେରା ହେଲା, ପୁରୀ ଜିଲ୍ଲା ନିମାପଡ଼ା ଗୋପ ଅଞ୍ଚଳର ଜ୍ୟୋତିରଞ୍ଜନ ନାୟକ। ସେ ଝାରପଡ଼ା ମେଳଣ ପଡ଼ିଆ ନିକଟରେ ରହୁଛି। ପୁଲିସ ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଝାରପଡ଼ା ଦୁର୍ଗାମଣ୍ଡପ ଛକରେ ଛିଡ଼ା ହୋଇ ଶୁଭସ୍ମିତା ମହାପାତ୍ର ମୋବାଇଲରେ କଥା ହେଉଥିଲେ। ସେହି ସମୟରେ ଲୁଟେରା ଜ୍ୟୋତିରଞ୍ଜନ ତାଙ୍କଠାରୁ ମୋବାଇଲ ଫୋନ୍ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲା। ଶୁଭସ୍ମିତା ପାଟି କରିବାରୁ ସେଠାରେ ଥିବା ଲୋକ ଜ୍ୟୋତିରଞ୍ଜନକୁ ମାଡ଼ି ବସିଥିଲେ। ମାଡ଼ ମାରିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଜିମା ଦେଇଥିଲେ। ପୁଲିସ୍‌ ତାକୁ ଗିରଫ କରିବା ସହ ତା’ଠାରୁ ଲୁଟ୍ ମୋବାଇଲ ଫୋନ୍ ଓ ବାଇକ୍ ଜବତ କରିଥିଲା।

ଜ୍ୟୋତିରଞ୍ଜନକୁ ପଚରାଉଚରା କରିବା ପରେ ସକାଳେ ବମିଖାଲ ଫ୍ଲାଏଓଭର ନିକଟରୁ ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଫୋନ୍ ଲୁଟିଥିବା ପୁଲିସ ଆଗରେ ସ୍ବୀକାର କରିଥିଲା। ସେହି ଲୁଟ୍ ମୋବାଇଲ ଫୋନ୍ ମଧ୍ୟ ପୁଲିସ ଜବତ କରିଥିଲା। ପୁଲିସ ଖୋଳତାଡ଼ କରିବା ପରେ ମୋବାଇଲ ଫୋନଟି ବମିଖାଲ ଅଞ୍ଚଳର ସୁମିତ୍ରା ବେହେରାଙ୍କ ବୋଲି ଜାଣିବାକୁ ପାଇଥିଲା। ସୁମିତ୍ରା ହାତରେ ଫୋନ୍ ଧରି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଜ୍ୟୋତିରଞ୍ଜନ ତାଙ୍କଠାରୁ ମୋବାଇଲ ଝାମ୍ପି ବାଇକ୍‌ରେ ଫେରାର୍‌ ହୋଇଯାଇଥିଲା। ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନା ପୁଲିସ ଜ୍ୟୋତିରଞ୍ଜନକୁ ଆଜି ଅପରାହ୍‌ଣ‌ରେ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର