ରାଜଧାନୀରୁ ତିନି ଝାଡ଼ଖଣ୍ଡ ଲୁଟେରା ଗିରଫ : ମୋବାଇଲ୍‌ ଦେଖି ପୁଲିସ୍‌ କାବା

୧୦୩ ମୋବାଇଲ ଜବତ, ଦାମୀ ଆଇ ଫୋନ୍‌ ବି ଲୁଟିଛନ୍ତି
ଗ୍ୟାଙ୍ଗରେ ସାମିଲ ଅଛନ୍ତି ଆହୁରି ୫ ସଦସ୍ୟ

ଭୁବନେଶ୍ବର : ମଦ ଦୋକାନ ହେଉ କି ମେଡିସିନ୍ ଦୋକାନ। ଏପରିକି ବ୍ୟସ୍ତବହୁଳ ଏକ ନମ୍ବର ହାଟ; ଭିଡ଼ ଜାଗା ଦେଖି ଟାର୍ଗେଟ୍‌ କରୁଥିଲେ। ଟିକେ ସୁଯୋଗ ପାଇଲେ, ଆଖି ପିଛୁଳାକେ ସାର୍ଟ ପକେଟ୍‌ କିମ୍ବା ହାତରୁ ମୋବାଇଲ ଝାମ୍ପି ନେଉଥିଲେ। ଏଭଳି ଢଙ୍ଗରେ ରାଜଧାନୀରେ ମୋବାଇଲ ଫୋନ୍ ଲୁଟୁଥିବା ଝାଡ଼ଖଣ୍ଡର ତିନିଜଣିଆ ଏକ ଗ୍ୟାଙ୍ଗକୁ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଆଜି କାବୁ କରିଛି। ସେମାନେ ହେଲେ, ଝାଡ଼ଖଣ୍ଡ ସାହେବଗଞ୍ଜ ଥାନା ତିନିପହର ଅଞ୍ଚଳର ଦୀପକ କୁମାର(୧୯), କାଞ୍ଚନ ନୁନିଆ(୨୬) ଓ ଅଙ୍କିତ କୁମାର ପୌସର(୧୯)। ତେବେ ଏହି ୩ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ମୋବାଇଲ୍‌ ଦେଖି ପୁଲିସ୍‌ କାବା ହୋଇଯାଇଛି। ପୁଲିସ୍‌ ସେମାନଙ୍କଠାରୁ ୧୦୩ଟି ଦାମୀ ମୋବାଇଲ୍‌ ଜବତ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିକଟ ଅତୀତରେ ବଜାର ପ୍ରବେଶ କରିଥିବା ଦାମୀ ଆଇଫୋନ୍‌-୧୨ ପ୍ରୋ ମଧ୍ୟ ସେମାନଙ୍କଠାରୁ ଜବତ ହୋଇଛି।

ପୁଲିସ ସୂଚନା ଅନୁସାରେ, ଗତ ୩୧ ତାରିଖରେ କଳ୍ପନା ଛକ ନିକଟ ଏକ ମଦ ଦୋକାନ ପାଖରେ ପ୍ରଭାକର ଗୋଏଙ୍କା ନାମକ ଜଣେ ବ୍ୟକ୍ତି ଛିଡ଼ା ହୋଇଥିଲେ। ସେଠାରୁ ତାଙ୍କର ଆଇଫୋନ୍-୧୨ ପ୍ରୋ ଚୋରି ହୋଇଯାଇଥିଲା। ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଚିନ୍ତାମଣିଶ୍ବର ଫିସରି ଲେନ୍‌ରେ ଭଡ଼ାରେ ରହୁଥିବା ତିନି ଝାଡ଼ଖଣ୍ଡ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦୩ଟି ମୋବାଇଲ ଫୋନ୍ ଜବତ କରିଥିଲା। ତେବେ ଏହି ଗ୍ୟାଙ୍ଗରେ ଆହୁରି ୫ରୁ ଅଧିକ ସଦସ୍ୟ ସମ୍ପୃକ୍ତ ଥିବା ବେଳେ ସେମାନେ ଫେରାର୍‌ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ପୂର୍ବରୁ ଆହୁରି ବିପୁଳ ମୋବାଇଲ ଫୋନ୍ କିଣି ବିକ୍ରି କରିଥିବା ପୁଲିସ ଜାଣିବାକୁ ପାଇଛି। ଏନେଇ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଥିବା ଲକ୍ଷ୍ମୀସାଗର ଥାନାଧିକାରୀ ଭରତ ଚନ୍ଦ୍ର ସାହୁ କହିଛନ୍ତି।

ଅଧା ରାଜଧାନୀକୁ କରିଛନ୍ତି କବ୍‌ଜା
ଧରାପଡ଼ିଥିବା ଝାଡ଼ଖଣ୍ଡ ଲୁଟେରା ଗ୍ୟାଙ୍ଗ ଓ ଫେରାର୍‌ ଥିବା ସହଯୋଗୀମାନେ ଅଧା ରାଜଧାନୀକୁ କବ୍‌ଜା କରି ରଖିଛନ୍ତି। ପୁଲିସ ସୂଚନା ଅନୁସାରେ, ଏବେ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ୯ଟି ଥାନା ଅଞ୍ଚଳରେ ସେମା‌ନେ ଆତଙ୍କ ଖେଳାଇଛନ୍ତି। ସେଗୁଡ଼ିକ ହେଲା, ଲକ୍ଷ୍ମୀସାଗର, ଖଣ୍ଡଗିରି, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ବଡ଼ଗଡ଼, ସହିଦନଗର, ମଞ୍ଚେଶ୍ବର, କ୍ୟାପିଟାଲ ଥାନା ଅଞ୍ଚଳ। ମଦ ଦୋକାନ, ମେଡିସିନ୍ ଦୋକାନ, ଏକ ନମ୍ବର, ମାର୍କେଟ ବିଲ୍ଡିଂ ଭଳି ଭିଡ଼ ଜାଗାକୁ ଏମାନେ ଟାର୍ଗେଟ୍ କରିଥା’ନ୍ତି। ସାମଗ୍ରୀ କିଣିବାରେ ବ୍ୟସ୍ତ ଥିବା ଗ୍ରାହକଙ୍କ ଉପରେ ନଜର ରଖନ୍ତି। ଯେଉଁମାନେ ସାର୍ଟ ପକେଟ୍‌ରେ ମୋବାଇଲ ରଖିଥା’ନ୍ତି, ସେମାନଙ୍କୁ ଟାର୍ଗେଟ୍‌ କରନ୍ତି। ଟିକେ ସୁଯୋଗ ପାଇଲେ ସାର୍ଟ ଉପରେ ଏକ ଜରି ରଖି କୌଶଳକ୍ରମେ ମୋବାଇଲ ଲୁଟି ଫେରାର୍‌ ହୋଇଯାଆନ୍ତି। ଏହି ଗ୍ୟାଙ୍ଗ୍‌ ୯ଟି ଥାନା ଅଞ୍ଚଳରେ ଅପରେସନ୍‌ ଚଳାଉଥିବା ନେଇ ତଥ୍ୟ ପୁଲିସ୍‌କୁ ମିଳିଥିବା ବେଳେ ଅନ୍ୟ କେଉଁ ଅଞ୍ଚଳରେ ମୋବାଇଲ ଲୁଟ୍‌ରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

କେମିତି ଧରାପଡ଼ିଲେ?
ପ୍ରଭାକରଙ୍କ ଆଇଫୋନ୍‌ ଚୋରି ହୋଇଥିବା ଅଭିଯୋଗର ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ୍‌। ଅଭିଯୋଗକାରୀ ପ୍ରଭାକର କଳ୍ପନା ଛକରେ ଯେଉଁ ମଦ ଦୋକାନ ପାଖରେ ଛିଡ଼ା ହୋଇଥିଲେ, ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ପୁଲିସ୍‌ ମୋବାଇଲ ଲୁଟେରାକୁ ଚିହ୍ନଟ କରିଥିଲା। ଏହା ପରେ ଆଖପାଖ ଅଞ୍ଚଳରେ ଲୁଟେରା ଫଟୋ ଦେଖାଇ ତାକୁ ଖୋଜିବାକୁ ଚେଷ୍ଟା କରିଥିଲା। ଏହାସହ ଚୋରି ହୋଇଥିବା ଆଇଫୋନ୍‌କୁ ପୁଲିସ ଟ୍ରାକ୍ କରିଥିଲା। ଟ୍ରାକିଂରୁ ପୁଲିସ୍‌ ଚିନ୍ତାମଣିଶ୍ବର ନିକଟରେ ରହୁଥିବା ଲୁଟେରାଙ୍କ ଭଡ଼ାଘରେ ପହଞ୍ଚିଥିଲା। ସେଠାରୁ ତିନିଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ଭଡ଼ାଟିଆ ତଥ୍ୟ ଦେବା ନିୟମ ଗଲା କୁଆଡ଼େ?
ଭଡ଼ାଟିଆ ବିଭିନ୍ନ ଜଘନ୍ୟ ଅପରାଧରେ ସମ୍ପୃକ୍ତ ରହିଥିବା ନଜରକୁ ଆସିବା ପରେ ୨୦୧୪ରେ ତତ୍କାଳୀନ ପୁଲିସ କମିସନର ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ନିୟମ ଜାରି କରିଥିଲେ। ଘର ମାଲିକ ସେମାନଙ୍କ ଭଡ଼ାଟିଆଙ୍କର ସମ୍ପୂର୍ଣ୍ଣ ତଥ୍ୟ ସହ ପରିଚୟପତ୍ର ଥାନାରେ ପଇଠ କରିବା ବାଧ୍ୟତାମୂଳକ କରାଗଲା। ଏହି ନିୟମ କିଛି ଦିନ କଡ଼ାକଡ଼ି ଲାଗୁ ହେଲା ପରେ ଆଉ କେହି ପାଳନ କରୁନାହାନ୍ତି। ପୁଲିସ୍‌ ମଧ୍ୟ ହାତ ଟେକି ଦେଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ଶହ ଶହ ସଂଖ୍ୟାରେ ଅଣଓଡ଼ିଆ ଅପରାଧୀ ଭଡ଼ାରେ ରହୁଛନ୍ତି। ଲକ୍ଷ୍ମୀସାଗର ଚିନ୍ତାମଣିଶ୍ବର ଅଞ୍ଚଳରୁ ଆଜି ଏହି ୩ ଝାଡ଼ଖଣ୍ଡ ଲୁଟେରା ଗିରଫ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଘର ମାଲିକ ବାରମ୍ବାର ନିୟମ ଖିଲାପ କରି ଚାଲୁଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ତାଗିଦ୍ କରାଯାଉ ନାହିଁ କି ଏ ସମ୍ପର୍କରେ ଯାଞ୍ଚ ମଧ୍ୟ କରାଯାଉନାହିଁ।

ଘର ମାଲିକଙ୍କୁ ନୋଟିସ୍
ଚିନ୍ତାମଣିଶ୍ବର ଫିସରି ଲେନ୍‌ରେ ଲୁଟେରା ଯେଉଁ ଘରେ ଭଡ଼ାରେ ରହୁଥିଲେ, ସେହି ଘର ମାଲିକ ଦିଲ୍ଲୀପ ପାତ୍ରଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ନୋଟିସ୍‌ କରିଛି। ଆସନ୍ତାକାଲି ଥାନାରେ ହାଜର ହେବା ପାଇଁ ପୁଲିସ ପକ୍ଷରୁ ଏହି ନୋଟିସ୍ କରାଯାଇଛି। ଏହି ତିନିଜଣଙ୍କ ଛଡ଼ା ଆଉ କେତେ ଜଣ ଭଡ଼ାଟିଆ ରହୁଥିଲେ? କାହିଁକି ସେମାନଙ୍କ ତଥ୍ୟ ଥାନାରେ ଦାଖଲ କରି ନଥିଲେ? ଏ ସମ୍ପର୍କ‌ରେ ଦିଲ୍ଲୀପଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର