ମହାମାରୀ ବେଳେ ମୋବାଇଲ ଯନ୍ତ୍ରଣା: ମାଳମାଳ ଟାୱାର, ନେଟ୍‌ୱର୍କ ଶୂନ

ବାଲିପାଟଣା : ମହାମାରୀ କରୋନା ସଂକଟ ସମୟରେ ତୁରନ୍ତ ଯୋଗାଯୋଗ ପାଇଁ ମୋବାଇଲ୍‌ ଫୋନ୍‌ ସେବା ଜରୁରୀ ହୋଇପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ସହ ଯୋଡ଼ି ହେବାଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ପାଇଁ ମୋବାଇଲ୍‌ ଫୋନ୍‌ର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। କିନ୍ତୁ ବାଲିପାଟଣା ଅଞ୍ଚଳରେ ନେଟ୍‌ୱର୍କ କାମ କରୁ ନଥିବାରୁ ଉପଭୋକ୍ତାମା‌ନେ ବହୁ ହନ୍ତସନ୍ତ ହେଉଛନ୍ତି। ଅଞ୍ଚଳ ସାରା ବିଭିନ୍ନ କମ୍ପାନିର ମାଳମାଳ ଟାୱାର। କିନ୍ତୁ ନେଟ୍‌ୱର୍କ ଘର ଶୂନ। ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି ଛାତ୍ରଛାତ୍ରୀ। ଅନ୍‌ଲାଇନ୍ ପାଠପଢ଼ା ଚୁଲିକି ଯାଇଛି ବୋଲି ଚର୍ଚ୍ଚା ହେଉଛି। ବିନା ନେଟ୍‌ୱର୍କରେ କମ୍ପାନିମାନେ ଉପଭୋକ୍ତାଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ରାଜଧାନୀ ଉପକଣ୍ଠ ବ‌ାଲିପାଟଣା ଅଞ୍ଚଳରେ ଏହି ସମସ୍ୟା ଦୀର୍ଘ ଦିନର। ଫଳରେ ଫୋନ୍‌ ଥାଇ କି ବ୍ୟବହାର କରିବା ସମ୍ଭବ ହେଉ ନାହିଁ। ପ୍ରାୟ ସବୁ ସମୟରେ ଘର ଭିତରେ ନେଟୱର୍କ ନଥାଏ। ତେଣୁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ଘଟୁଛି। ଏଣେ ଉପଭୋକ୍ତାମାନେ ରିଚାର୍ଜ କରି ଶହଶହ ଟଙ୍କା କେବଳ ପାଣିରେ ପକାଉଛନ୍ତି ବୋଲି କହୁଛନ୍ତି। ସେହିଭଳି ସରକାରୀ କାର୍ଯ୍ୟାଳୟରେ ମଧ୍ୟ ନେଟ୍‌ୱର୍କ ସମସ୍ୟା ଯୋଗୁଁ ସରକାରୀ କାମରେ ବାଧା ଉପୁଜିଛି। ଲୋକେ ଠିକଣା ସମୟରେ ବ୍ୟାଙ୍କ ସେବା ପାଉନାହାନ୍ତି। ବଡ଼ ଅଭିଯୋଗ ହେଉଛି, ମୋବାଇଲ୍‌ ନେଟ୍‌ୱର୍କ କାମ କରୁନଥିବାରୁ ଟିକାକରଣ ପାଇଁ ସ୍ଲଟ୍‌ ବୁକିଂ କରିବାରେ ବହୁ ସମସ୍ୟା ହେଉଛି ବୋଲି ଅଭିଯୋଗ ହେଉଛି।

ନେଟୱର୍କ ସମସ୍ୟା ନେଇ ଉପଭୋକ୍ତାମାନେ କମ୍ପାନିକୁ ସୂଚନା ଦେଲେ ବି କିଛି ସୁଫଳ ମିଳୁନାହିଁ। ଦେଉଳିଧରପୁର ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ସୂଚନା ଅନୁସାରେ, ତାଙ୍କ ପଞ୍ଚାୟତ କାର୍ଯ୍ୟାଳୟରେ ନେଟ୍‌ୱର୍କ ସମସ୍ୟା ଯୋଗୁଁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏଥିଯୋଗୁଁ ମହାମାରୀ କ‌ରୋନା ପରିଚାଳନା ମଧ୍ୟ ବିଭ୍ରାଟ ହେଉଛି ବୋଲି ସେ କହିଛନ୍ତି। ତେବେ ଏନେଇ କିଛି ସାମାଜିକ କର୍ମୀ ଖାଉଟି ଫୋରମ୍‌ରେ ଆଶ୍ରୟ ନେବେ ବୋଲି ପ୍ରସ୍ତୁତି ଚଳାଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର