ଝାରପଡ଼ା ଜେଲରୁ ମୋବାଇଲ ମିଳିବା ଘଟଣା: ବେନାମୀ ରିପୋର୍ଟରେ କେମିତି ହେବ ତଦନ୍ତ?

ଆହୁରି ୫ ଫୋନ୍ ନିଜ ପାଖରେ ରଖିଛନ୍ତି କର୍ତ୍ତୃପକ୍ଷ
ପୁଲିସକୁ ଏଯାଏ ମିଳି ପାରିଲାନି କଲ୍ ଡିଟେଲ୍ସ ରିପୋର୍ଟ

ଭୁବନେଶ୍ବର : ଝାରପଡ଼ା ସ୍ବତନ୍ତ୍ର ଜେଲରୁ ବିଭିନ୍ନ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ୧୭ଟି ମୋବାଇଲ ଫୋନ୍ ଜବତ ହେଲାଣି। ଜେଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନାରେ ୩ଟି ରିପୋର୍ଟ ଦେଇଛନ୍ତି। କିନ୍ତୁ ଏହି ଫୋନ୍ କାହା ପାଖରୁ ମିଳିଲା? କେଉଁ ଵାର୍ଡରୁ ମିଳିଲା? ଯେଉଁ ଵାର୍ଡରୁ ମିଳିଲା, ସେହି ଵାର୍ଡରେ କେଉଁ କୁଖ୍ୟାତ ଅପରାଧୀ କିମ୍ବା ହାଇପ୍ରୋଫାଇଲ କଏଦୀ ରହୁଥିଲେ? କିଏ ଏହାକୁ ବ୍ୟବହାର କରୁଥିଲା? ସେମିତି ନିର୍ଦ୍ଦିଷ୍ଟ ଭାବେ ଜେଲ କର୍ତ୍ତୃପକ୍ଷ ରିପୋର୍ଟରେ ଦର୍ଶାଇ ନାହାନ୍ତି। ଫଳରେ ପୁଲିସକୁ ତଦନ୍ତ କରିବାରେ ଅସୁବିଧା ହେଉଛି।

ଅନ୍ୟପକ୍ଷରେ ଯେଉଁ ମୋବାଇଲ ଫୋନ୍ ମିଳିଥିଲା, ତାହାର ଆଇଏମ୍‌ଇଆଇ ନମ୍ବରକୁ ଆଧାର କରି ସମ୍ପୃକ୍ତ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାରୁ କଲ୍ ଡିଟେଲ୍ସ ରିପୋର୍ଟ(ସିଡିଆର) ମଗାଇଥିଲା। କିନ୍ତୁ ପୁଲିସକୁ ଏପର୍ଯ୍ୟନ୍ତ ସିଡିଆର୍‌ ମିଳି ପାରିନାହିଁ। ମୋବାଇଲ ଫୋନରେ ବ୍ୟବହୃତ ନମ୍ବରରୁ କେଉଁଠିକି କଲ୍ ଯାଉଥିଲା? ଯାହା ପାଖକୁ ଫୋନ୍ ଯାଉଥିଲା, ସେମାନେ କିଏ? ଫୋନ୍ ଜରିଆରେ କୌଣସି ଅପରାଧ ସଂଗଠିତ ହୋଇଛି କି? କୌଣସି ଅପରାଧର ବ୍ଲୁ-ପ୍ରିଣ୍ଟ ତିଆରି କରାଯାଇଛି କି? ସେ ସମ୍ପର୍କରେ ସାମାନ୍ୟତମ ସୁରାକ୍ ମଧ୍ୟ ପୁଲିସ ହାତରେ ଲାଗି ପାରିନାହିଁ। ଜବତ ମୋବାଇଲ ଫୋନ୍‌ଗୁଡ଼ିକ ଗ୍ୟାଙ୍ଗଷ୍ଟର୍‌ ବିକ୍ରମ ମଲ୍ଲିକ, ଟିଟୋ ସମେତ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ବହୁ ହାଇପ୍ରୋଫାଇଲ ଅଭିଯୁକ୍ତ ଏବଂ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସେଲ୍ ଏବଂ ଵାର୍ଡ ପାଖରୁ ଜବତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଜେଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନ କରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି, ତାହା ବୁଝା ପଡ଼ୁନାହିଁ।

ସେହିପରି ଏବେ ସୁଦ୍ଧା ପ୍ରାୟ ୧୭ଟି ମୋବାଇଲ ଫୋନ୍‌ ଜବତ ହୋଇଥିବା ବେଳେ ୫ଟି ମୋବାଇଲ ପୁଲିସକୁ ହସ୍ତାନ୍ତର କରାଯାଇନାହିଁ। ସ୍ଥାନୀୟ ଲକ୍ଷ୍ମୀସାଗର ଥାନା ପୁଲିସକୁ ରିପୋର୍ଟ ମାଧ୍ୟମରେ ଅବଗତ କରାଯାଇଥିବା ବେଳେ ଫୋନ୍‌ ଦାଖଲ କରିବାର ନିୟମ ରହିଛି। କେତୋଟି ଫୋନ୍ ବିଳମ୍ବରେ ଦାଖଲ କରାଯାଇଛି। କାହିଁକି ଫୋନ୍ ବିଳମ୍ବରେ ଦାଖଲ ହେଉଛି ଏବଂ ବାକି ଫୋନ୍ କାହିଁକି ଦାଖଲ କରାଯାଉନାହିଁ, ତାକୁ ନେଇ କର୍ତ୍ତୃପକ୍ଷଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି।

ଜବତ ମୋବାଇଲ ଫୋନରେ ବ୍ୟବହୃତ ହେଉଥିବା ସିମ୍‌କାର୍ଡ ବେନାମୀ ବୋଲି ପୁଲିସ ଜାଣିବାକୁ ପାଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଜବତ ମୋବାଇଲ ଫେରାଇବାରେ କାହିଁକି ବିଳମ୍ବ ହେଉଛି, ସେ ସମ୍ପର୍କରେ ଜେଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଜେଲରେ ନିମ୍ନମାନର ଖାଦ୍ୟ ଅଭିଯୋଗ, ଅଭିଯୋଗ କରିବାରୁ ସେଲରେ ପୂରାଇଦେଲେ
ଭୁବନେଶ୍ବର : ମଧ୍ୟାହ୍ନ ଭୋଜନ ଡାଲିରେ ପୋକ ବାହାରିବା ଅଭିଯୋଗ ଆଣିବାରୁ କଏଦୀଙ୍କୁ ସେଲରେ ପୂରାଇଦେଲେ। କିଛି ଘଣ୍ଟା ପରେ ତାଙ୍କୁ ସେଲରୁ ବାହାର କରି ଵାର୍ଡକୁ ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ଆଣିଥିବା କଏଦୀ ହେଲେ, ଉତ୍ତରପ୍ରଦେଶ ଲକ୍ଷ୍ନୌର ବରୁଣ କୁମାର। ସେ ଏକ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ସେ ବ୍ରେନ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇ କଟକ ଏସ୍‌ସିବି ମେଡିକାଲରେ ନିୟମିତ ଚିକିତ୍ସିତ ହେଉଛନ୍ତି। ଗତକାଲି ମଧ୍ୟାହ୍ନ ଭୋଜନ ଦିଆଯିବା ସମୟରେ ତାଙ୍କ ଡାଲିରୁ ପୋକ ବାହାରିଥିବା ଅଭିଯୋଗ ଆଣିଥିଲେ। ସମସ୍ତେ ଖାଉଛନ୍ତି, ଏଥିରେ କୌଣସି ପୋକ ନାହିଁ ବୋଲି ତାଙ୍କୁ କର୍ମଚାରୀ କହିଥିଲେ। ସମସ୍ତେ ଖାଇଲେ ମଧ୍ୟ ସେ ଖାଇବେ ନାହିଁ ବୋଲି ଉତ୍ତର ଦେଇଥିଲେ। ଏହି ଖବର ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲା। ଏହା ପରେ ତାଙ୍କୁ ଏକ ସେଲରେ ପୂରାଇ ଦିଆଯାଇଥିଲା। ପରେ ଵାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ଜେଲ କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର