ଦିନରେ କାମ, ରାତିରେ ଚୋରି: ବସ୍‌ରୁ ଲୁଟି ନେଇଥିଲେ ପେଟିଏ ମୋବାଇଲ୍‌

୮୦ ମୋବାଇଲ୍‌ ଜବତ, ୨ ଗିରଫ

ଭୁବନେଶ୍ୱର: ଦିନରେ କାମ, ରାତିରେ ଚୋରି। କେବଳ ଦୂରଗାମୀ ବସ୍‌କୁ ଟାର୍ଗେଟ୍‌ କରନ୍ତି। ସମସ୍ତଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଝାମ୍ପି ନିଅନ୍ତି ପେଟି, ବ୍ୟାଗ୍‌। ଏଭଳି ଲୁଟପାଟ୍‌ କରୁଥିବା ୨ ଧୂର୍ତ୍ତଙ୍କୁ ଆଜି ସହିଦନଗର ଥାନା ପୁଲିସ୍‌ ଅନୁଗୁଳରୁ ଗିରଫ କରିଛି। ସେମାନେ ହେଲେ, ଅନୁଗୁଳର ଲିପୁନ୍‌ ସାହୁ ଓ ସଞ୍ଜୟ ଗଡ଼ନାୟକ। ଏମାନଙ୍କଠାରୁ ୮୦ଟି ନୂଆ ମୋବାଇଲ୍‌ ଜବତ କରାଯାଇଛି। ସହିଦନଗର ଥାନାରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କମିସନରେଟ୍‌ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଡିସିପିଙ୍କ ସୂଚନାନୁଯାୟୀ, ଖାରବ‌େଳନଗରରେ ଥିବା ସିଟି କମର୍ସିଆଲ ସର୍ଭିସ୍‌ କୋରିୟର୍‌ ଓ ଲଜିଷ୍ଟିକ୍‌ କାରବାର କରେ। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସହରକୁ ଅର୍ଡର୍‌ ଅନୁସାରେ ସଂସ୍ଥା ମାଲ୍‌ ପଠାଏ। ଗତବର୍ଷ ମେ’ ମାସରେ ସେ ରାଉରକେଲା ସହରରେ ଥିବା ବିଭିନ୍ନ ବ୍ୟବସାୟୀଙ୍କ ପାଖକୁ ୩ଟି ପେଟିରେ ୩ ଶହ ମୋବାଇଲ ପଠାଉଥିଲେ। ହେଲେ ଅନୁଗୁଳ ଖମାର ପାଖରେ କିଛି ସମୟ ବସ୍‌ ରହିବା ପରେ ସେଥିରୁ ଗୋଟିଏ ପେଟି ଉଭାନ୍‌ ହୋଇଯାଇଥିଲା। ଏଣୁ ସଂସ୍ଥାର ସ୍ବତ୍ବାଧିକାରୀ ଆଶୁତୋଷ ଦାସ ଗତ ବର୍ଷ ମେ’ ୬ ତାରିଖରେ ସହିଦନଗର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୁଲିସ୍‌ ସମସ୍ତ ମୋବାଇଲର ଆଇଏମ୍‌ଇଆଇ ନମ୍ବର ଆଧାରରେ ଟ୍ରାକିଂ ବ୍ୟବସ୍ଥା କରୁଥିଲା। ଚୋରି ମୋବାଇଲରୁ ଗୋଟିଏ ଫୋନ୍‌ ଢେଙ୍କାନାଳରେ ଆକ୍ଟିଭ୍‌ ହେବା ପରେ ପୁଲିସ ଢେଙ୍କାନାଳରେ ପହଞ୍ଚିଥିଲା। ସମ୍ପୃକ୍ତ ଗ୍ରାହକଙ୍କଠାରୁ ଏହି ମୋବାଇଲ ଜବତ ହେବା ପରେ ସମ୍ପୃକ୍ତ ଅଭିଯୁକ୍ତଦ୍ବୟ ବିକ୍ରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ୍‌ ଅନୁଗୁଳରେ ପହଞ୍ଚି ଲିପୁନ୍‌ ସାହୁକୁ ଧରିଥିଲା। ତା’ ସୂଚନାକୁ ଆଧାର କରି ପୁଲିସ୍‌ ସଞ୍ଜୟକୁ ଧରିଥିଲା। ଉଭୟଙ୍କୁ ଧରିବା ପରେ ଏହି ସବୁ ମୋବାଇଲ୍‌ ଜବତ ହୋଇଥିଲା। ଘଟଣାର ଦେଢ଼ବର୍ଷ ପରେ ସହିଦନଗର ଥାନା ପୁଲିସକୁ ଏହି ସଫଳତା ମିଳିଥିଲା। ଉଭୟ ଅଭିଯୁକ୍ତ ଦିନରେ କାମ କରି ସାରିବା ପରେ ଏହି ସବୁ ଦୂରଗାମୀ ବସ୍‌କୁ ଟାର୍ଗେଟ୍‌ କରି ଜିନିଷପତ୍ର ଝାମ୍ପି ନେଇଥା’ନ୍ତି। ୨୦୧୯ ମସିହା ମେ’ ୫ ତାରିଖ ରାତିରେ ରାଉରକେଲା ବସ୍‌ରେ ତିନି ପେଟି ମୋବାଇଲ ରାଉରକେଲା ଯାଉଥିଲା। ଖମାର ପାଖରେ ବସ୍‌ ରହିବା ପରେ ଏମାନେ ‌ଗୋଟିଏ ପେଟି ନେଇଯିବାକୁ ସକ୍ଷମ ହୋଇଥିଲେ। ବସ୍‌ ଛାଡ଼ିବା ପୂର୍ବରୁ ଚେକିଂ ବେଳ‌େ ପେଟି ନଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନେ ପେଟି ନେଇଯିବା ପରେ ଧରାପଡ଼ିବା ଭୟରେ ମୋବାଇଲ ବିକ୍ରି କିମ୍ବା ବ୍ୟବହାର କରି ନଥିଲେ। ଦେଢ଼ବର୍ଷ ବିତିବା ପରେ ସେମାନେ ଏହାକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଗୋଟିଏ ଫୋନ୍‌ ବିକ୍ରି କରିବା ପରେ ସେମାନେ ଧରା ପଡ଼ିଯାଇଥିଲେ। ଅଭିଯୁକ୍ତମାନେ ‌ସଫେଇ ଦେଇଛନ୍ତି କି ପେଟିରେ ୧୦୦ ନୁହେଁ, ୯୧ ଫୋନ୍‌ ଥିଲା। ସେଗୁଡ଼ିକ ବାଟରେ ପଡ଼ିଥିଲା। ବାଟରେ ଯିବା ବେଳେ ସେମାନେ ଏହାକୁ ପାଇଥିଲେ ବୋଲି କହିଛନ୍ତି। ତେବେ ସେମାନେ ଆଉ ୨୦ ଫୋନ୍‌ ବିକି ଦେଇଛନ୍ତି, ସେଗୁଡ଼ିକୁ ଖୋଜା ଚାଲିଛି।
ଅପରପକ୍ଷେ ପୁଲିସ୍‌ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଅନ୍ୟ ୨୦ଟି ମୋବାଇଲ୍‌ ଜବତ କରିଛି ବୋଲି ସହିଦନଗର ଆଇଆଇସି ହିମାଂଶୁ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର