ଝାରପଡ଼ା ଜେଲ୍‌ରୁ ମୋବାଇଲ ଜବତ ଘଟଣା: ତଦନ୍ତ ଆଳରେ ଚାପିବାକୁ ଯୋଜନା

ଜେଲ ଭିତରୁ ଚାଲିଥିଲା ଗ୍ୟାଙ୍ଗଷ୍ଟରଙ୍କ ନେଟଓ୍ୱର୍କ!
ସ୍ମାର୍ଟ ଫୋନରେ କରୁଥିଲେ ହ୍ବାଟସଆପ୍ କଲ୍
ବ୍ୟବହାର କରୁଥିଲେ ବେନାମୀ ସିମକାର୍ଡ
ପ୍ରଭାବଶାଳୀ କଏଦୀ ମଧ୍ୟ ଗପୁଥିଲେ

ଭୁବନେଶ୍ବର : ରାଜ୍ୟର ହାଇ-ସିକ୍ୟୁରିଟି ଜେଲ ହେଉଛି ରାଜଧାନୀର ଝାରପଡ଼ା ସ୍ବତନ୍ତ୍ର କାରାଗାର। ସବୁ ଜେଲ ଅପେକ୍ଷା ଏଠାରେ କୁଆଡ଼େ ସୁରକ୍ଷା ସବୁଠୁ ଅଧିକ କଡ଼ାକଡ଼ି। କାରଣ ହାଇପ୍ରୋଫାଇଲ ଅପରାଧୀ, ଭିଆଇପି, ଗ୍ୟାଙ୍ଗଷ୍ଟର, ଚିଟଫଣ୍ଡ ଅଭିଯୁକ୍ତ, ରାଜନେତା, ମାଓନେତା ଏହି ଜେଲରେ ରହୁଛନ୍ତି। ପ୍ରବେଶ ଫାଟକଠାରୁ ଆରମ୍ଭ କରି କଏଦୀ ୱାର୍ଡକୁ ଯିବା ପର୍ଯ୍ୟନ୍ତ ତନ୍ନତନ୍ନ କରି ଯାଞ୍ଚ କରନ୍ତି କର୍ମଚାରୀ। ନୂଆ କଏଦୀ ଆସିଲେ, ଗାମୁଛା ପିନ୍ଧାଇ ସାର୍ଟ ପ୍ୟାଣ୍ଟ ଖୋଲି ପାଦଠୁ ମୁଣ୍ଡ ଯାଏଁ ଯାଞ୍ଚ କରାଯାଏ। ଜେଲ୍ କର୍ତ୍ତୃପକ୍ଷ ପ୍ରତି ଵାର୍ଡରେ ନିୟମିତ ଯାଞ୍ଚ କରନ୍ତି। ତେବେ ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମୋବାଇଲ ଫୋନ୍ ଯାଉଥିଲା କେମିତି? ତା’ ପୁଣି ଗୋଟିଏ କି ଦୁଇଟି ନୁହେଁ ସପ୍ତାହେ ଭିତରେ ମିଳିଲାଣି ୧୩ଟି ଫୋନ୍। ସେଥିରୁ ୮ଟି ସ୍ମାର୍ଟଫୋନ୍। ଏହି ଘଟଣା ଜେଲ କର୍ତ୍ତୃପକ୍ଷ ଓ ଅସାଧୁ କର୍ମଚାରୀଙ୍କ ଭୂମିକାକୁ ସନ୍ଦେହ ଭିତରକୁ ଟାଣି ଆଣିଛି। ପ୍ରଥମ ପଦକ୍ଷେପ ସୂରୂପ ଅଧୀକ୍ଷକଙ୍କୁ ବଦଳି କରା ଯାଇଥିବା ବେଳେ ଆଉ କାହା ଉପରେ ସେମିତି କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ମିଳିଥିବା ସୂଚନା ଅନୁସାରେ, ଦୁଇଟି ନିର୍ଦ୍ଦିଷ୍ଟ ଓ୍ଵାର୍ଡରୁ ଅଧିକାଂଶ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଚଟାଣ, କାନ୍ଥ ଓ ତକିଆ ଭିତରୁ ଏହି ମୋବାଇଲଗୁଡ଼ିକ ମିଳିଛି। ଚଟାଣକୁ କଣା କରି ତା ଭିତରେ ମୋବାଇଲ ଫୋନ୍ ରଖାଯାଇଥିଲା। ସେହି ଜାଗାରେ ପାଲ ପଡ଼ିଥିଲା। ଯେମିତି ଏ ସମ୍ପର୍କରେ ବାହାରକୁ ଜଣା ନ ପଡ଼େ। ବର୍ଷ ବର୍ଷ ଧରି ଏମିତି ଫୋନରେ କଥା ହେଉଥିଲେ ଗ୍ୟାଙ୍ଗଷ୍ଟର, ଚିଟଫଣ୍ଡ ଓ ଅନ୍ୟ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ପ୍ରଭାବଶାଳୀ କଏଦୀ। କଥାବାର୍ତ୍ତା ସମୟରେ କେହି କେମିତି ଟେର୍‌ ପାଉ ନଥିଲେ, ତାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜବତ ୧୩ଟି ଫୋନ୍‌ରୁ ୮ଟି ସ୍ମାର୍ଟ ଫୋନ୍ ରହିଥିଲା। କଲ୍ ଡିଟେଲ୍ସ ରେକର୍ଡ ଯେମିତି ନ ମିଳିପାରିବ, ସେଥିପାଇଁ ହ୍ବାଟସଆପ୍ କଲ୍‌ରେ ଚାଲିଥିଲା କଥାବାର୍ତ୍ତା। ଯେଉଁ ଦୁଇ ଗ୍ୟାଙ୍ଗଷ୍ଟର୍‌ଙ୍କ ସେଲ୍‌ରୁ ମୋବାଇଲ ମିଳିବା କଥା କୁହାଯାଉଛି, ସେମାନେ କୁଆଡ଼େ ଦାଦାବଟି ମାଗିଥିବା ମଧ୍ୟ ସନ୍ଦେହ କରାଯାଉଛି। କିନ୍ତୁ ଏ ସମ୍ପର୍କରେ କୌଣସି ଠୋସ୍ ପ୍ରମାଣ ମିଳିପାରିବ ନାହିଁ। କାରଣ ହ୍ବାଟସଆପ ମାଧ୍ୟମରେ ଏ ସବୁ କଲ୍‌ କରାଯାଇଥିଲା। ଏହି କଲ୍‌ ହିଷ୍ଟ୍ରିକୁ ଡିଲିଟ୍ ମଧ୍ୟ କରି ଦିଆଯାଇଥିବା ଜଣାପଡ଼ିଛି। ହ୍ବାଟସ ଆପ୍ ଅଡ଼ିଓ କଲରେ କୌଣସି ଟ୍ରାକିଂ ବ୍ୟବସ୍ଥା ମଧ୍ୟ ନାହିଁ।

ତେବେ ଜବତ ମୋବାଇଲ ଫୋନର ଆଇଏମଇଆଇ ନମ୍ବରକୁ ପୁଲିସ ଟ୍ରାକିଂରେ ପକାଇଛି। ସେଥିରେ କେଉଁ ସିମ୍ କାର୍ଡ ବ୍ୟବହାର କରାଯାଇଥିଲା, ସେହି ନମ୍ବର କାହା ନାଁରେ ରହିଛି ସେ ସବୁ ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି। କିନ୍ତୁ ଜେଲରେ ବ୍ୟବହାର ହେଉଥିବା ସିମକାର୍ଡ ବେନାମୀ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଫଳରେ ପୁଲିସ ତଦନ୍ତରୁ ସେମିତି କିଛି ମିଳିବା ସମ୍ଭାବନା ନାହିଁ।

ଏହି ଘଟଣା ନୂଆ ନୁହେଁ, ଗତବର୍ଷ ଲକଡାଉନ୍ ସମୟରେ ଗ୍ୟାଙ୍ଗଷ୍ଟର ଟିଟୋ ଓ ତାର ଜଣେ ସହଯୋଗୀ ଖୁଲମଖୁଲା ମୋବାଇଲ ଫୋନରେ କଥା ହେଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ଏହା ସତ ବୋଲି ମଧ୍ୟ ଜଣାପଡ଼ିଥିଲା। କିନ୍ତୁ ଘଟଣାର ଅଧିକ ଖୋଳତାଡ଼ ନ କରି ଚାପି ଦିଆଯାଇଥିଲା। ଖାଲି ସେତିକି ନୁହେଁ; ମୋବାଇଲ ଫୋନରେ କଥା ହେବାକୁ ନେଇ କଏଦୀଙ୍କ ମଧ୍ୟରେ ମାରପିଟ୍ ଘଟଣାରେ ଲକ୍ଷ୍ମୀସାଗର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। କିନ୍ତୁ ସେହି ଘଟଣାରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା କିମ୍ବା ମୋବାଇଲ କେମିତି ଆସିଲା ତାହାର ଖୋଳତାଡ଼ ହୋଇ ନ ଥିଲା। ଏବେ ମୋବାଇଲ ମିଳିବା ପରେ ସେତେବେଳର ଘଟଣା ସତ ବୋଲି ସ୍ପଷ୍ଟ ହୋଇଛି। କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ମୋବାଇଲ ଫୋନ୍ ନେଉଥିବା ଅସାଧୁ କର୍ମଚାରୀମାନଙ୍କର ସାହସ ବଢ଼ିଥିଲା। ବରିଷ୍ଠ ଅଧିକାରୀ ଚୁପ୍ ରହିବାରୁ ପୁଣି ଚାଲିଥିଲା ଖୁଲମଖୁଲା ମୋବାଇଲ ବ୍ୟବହାର। ଏକାଧିକ ଅଭିଯୋଗ ପରେ ମଧ୍ୟ କାହିଁକି ତଦନ୍ତ ହେଉ ନ ଥିଲା ତାହା ସନ୍ଦେହ ଘେରକୁ ଆସିଛି। ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ଯେଉଁମାନଙ୍କ ସମ୍ପୃକ୍ତି ବାହାରିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରଶ୍ମିରଞ୍ଜନ ଓ ଵାର୍ଡର ମାନସ ନାୟକ ହତ୍ୟା ମମଲାର ହୋଇଥିଲା ବ୍ଲୁ ପ୍ରିଣ୍ଟ
ଜେଲ ଭିତରେ ଗ୍ୟାଙ୍ଗଷ୍ଟର୍‌ ନେଟ୍‌ୱର୍କ ଚଳାଇବା, ଅପରାଧର ବ୍ଲ-ପ୍ରିଣ୍ଟ ପ୍ରସ୍ତୁତ କରିବା ଓ ଏହାକୁ ଚୂଡ଼ାନ୍ତ ରୂପରେଖ ଦେବା କିଛି ନୂଆ କଥା ନୁହେଁ। ଝାରପଡ଼ା ଜେଲରେ ଦୀର୍ଘ ବର୍ଷ ତଳେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଆଉ ଏବେ ବି ମୋବାଇଲ ଜବତ ହେବା ପରେ ଅପରାଧ ନେଟଵର୍କ ଜାରି ରହିଥିବା ସନ୍ଦେହ ପରିସରକୁ ଆସିଛି। ୨୦୦୭ରେ ବହୁଚର୍ଚ୍ଚିତ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଅପହରଣ ଓ ହତ୍ୟା ମାମଲାର ବ୍ଲୁ-ପ୍ରିଣ୍ଟ ଝାରପଡ଼ା ଜେଲ ଭିତରୁ ହିଁ ତିଆରି ହୋଇଥିଲା। ଗ୍ୟାଙ୍ଗଷ୍ଟର୍‌ ହାଇଦର ଜେଲରେ ଥିବା ବେଳେ ଷଡ଼ଯନ୍ତ୍ର କରି ଅପରାଧ ଘଟାଇଥିଲା। ସେହିପରି ୨୦୦୯ରେ ୱାର୍ଡର୍‌ ମାନସ ନାୟକଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା ଗଞ୍ଜାମର ଗ୍ୟାଙ୍ଗଷ୍ଟର ବିକ୍ରମ ମଲ୍ଲିକ। ଜେଲ ଭିତରେ ରହି ଫୋନ୍ ଜରିଆରେ ସହଯୋଗୀଙ୍କ ସହ ଯୋଗାଯୋଗ କରି ଏହି ହତ୍ୟାକାଣ୍ଡ ଘଟାଇଥିଲା। ପୁଲିସ ସେତେବେଳେ ଜେଲରେ ଚଢ଼ଉ କରି ବିକ୍ରମ ପାଖରୁ ମୋବାଇଲ ଫୋନ୍ ଓ ସିମକାର୍ଡ ଜବତ କରିଥିଲା।

ସମ୍ବନ୍ଧିତ ଖବର