କନ୍ଦେଇଲା ମୋବାଇଲ ସେବା, ଚାଲୁଛି ୬୦ ବିଏସ୍‌ଏନ୍‌ଏଲ ଟାୱାର

ପାଣି ଉଠାଇବାକୁ ୫୦୦ଟଙ୍କା, ଜେନେରେଟର୍‌ ପାଇଁ କଟକ ରୋଡ୍‌ ଜାମ୍‌, ପେଟ୍ରୋଲ୍‌ ପାଇଁ ଲମ୍ବା ଧାଡ଼ି

ଭୁବନେଶ୍ବର : ବାତ୍ୟା ଯୋଗୁଁ ରାଜଧାନୀରେ ମୋବାଇଲ ନେଟୱାର୍କ ସେବା ବିଶେଷ ଭାବେ ପ୍ରଭାବିତ ହୋଇଛି। କାଁ ଭାଁ ନେଟୱାର୍କ ଆସୁଥିଲେ ହେଁ କଲ୍ କରିବା ବେଳକୁ ତାହା କଟି ଯାଉଛି। ବିଏସ୍‌ଏନ୍‌ଏଲଠାରୁ ଆରମ୍ଭ କରି ଭୋଡାଫୋନ୍, ଜିଓ, ଆଇଡିଆ ଓ ଏୟାରଟେଲ ନେଟୱାର୍କ କାମ କରୁନାହିଁ। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟଆଡ଼େ ମୋବାଇଲରେ ନେଟୱାର୍କ ମଧ୍ୟ ଆସୁନାହିଁ। ତେବେ କେବେ ସୁଦ୍ଧା ନେଟୱାର୍କ ବ୍ୟବସ୍ଥାରେ ସୁଧାର ଆସିବ, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଫଳରେ ରାଜଧାନୀବାସୀଙ୍କ ପାଇଁ ଏହା ପ୍ରମୁଖ ସମସ୍ୟା ପାଲଟିଛି।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସ୍‌ଏନ୍‌ଏଲ ନେଟୱାର୍କ ମଧ୍ୟ କାମ କରୁନାହିଁ। ବିଏସ୍‌ଏନ୍‌ଏଲ୍ ମୋବାଇଲ ନେଟୱାର୍କର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ କହିବା କଥା, ବାତ୍ୟା ଯୋଗୁଁ ରାଜଧାନୀରେ ମାତ୍ର ୬୦/୬୫ଟି ଟାୱାର କାମ କରୁଛି। ଫଳରେ ସବୁ ଅଞ୍ଚଳରେ ସେବା ପହଞ୍ଚି ପାରୁନାହିଁ। ଗ୍ରାମାଞ୍ଚଳରେ ମୋବାଇଲ ସେବା ସଂପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଚାରିଆଡ଼େ ବଡ଼ ବଡ଼ ଗଛ ଭାଙ୍ଗି ରହିଥିବାରୁ ସବୁ ଅଞ୍ଚଳକୁ ଗାଡ଼ି ପହଞ୍ଚି ପାରୁନାହିଁ। ତେଣୁ ଆସନ୍ତାକାଲି ହିଁ ଏ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ। ଅପରପକ୍ଷରେ ଯେଉଁ ସ୍ଥାନରେ ବିଏସ୍‌ଏନ୍ଏଲ୍ ନେଟୱାର୍କ ସୁଦୃଢ଼ ରହିଛି, ସେଠାରେ ଅନ୍ୟ ଘରୋଇ କମ୍ପାନିମାନେ ସେମାନଙ୍କ ସିଗନାଲ ବିଏସ୍‌ଏନ୍‌ଏଲ ଜରିଆରେ ଦେବା ପାଇଁ ଅନୁରୋଧ କରିଛନ୍ତି। ସେହିପରି ଯେଉଁଠାରେ ଅନ୍ୟ ଘ‌ରୋଇ କମ୍ପାନିଙ୍କ ନେଟୱାର୍କ ସୁଦୃଢ଼ ରହିଁଛି, ସେଠାରେ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ସେମାନଙ୍କ ଜରିଆରେ ସିଗନାଲ ଦେବା ପାଇଁ କୁହାଯାଇଛି। ସବୁ ଅଞ୍ଚଳର ସ୍ପଷ୍ଟ ସୂଚନା ମିଳିବା ପରେ ହିଁ ଏ ନେଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯାଇ ପାରିବ। ତେବେ ନେଟୱାର୍କରେ ସୁଧାର ଆସିବା ପାଇଁ ଆହୁରି କିଛି ଦିନ ଲାଗିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ରାଜଧାନୀରେ କେତେ ମୋବାଇଲ ଟାୱାର ଭାଙ୍ଗିଛି ଓ କେତେ ଅଚଳ ହୋଇଛି ତା’ର ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ପାଣି ଉଠାଇବାକୁ ୫୦୦ଟଙ୍କା, ଜେନେରେଟର୍‌ ପାଇଁ କଟକ ରୋଡ୍‌ ଜାମ୍‌

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛି ଅଞ୍ଚଳକୁ ପାଇପ୍ ପାଣି ଯୋଗାଣ ହୋଇଥିବା ବେଳେ ଲୋକଙ୍କ ସମ୍ପ୍‌ରେ ପାଣି ଭର୍ତ୍ତି ହୋଇଥିଲା। ହେଲେ ସମ୍ପ୍‌ରୁ ଛାତ ଉପରେ ଥିବା ଟାଙ୍କିକୁ ପାଣି ଉଠିପାରିନଥିଲା। ସମ୍ପ୍‌ରୁ ପାଣି ଉଠାଇବା ପାଇଁ କେତେକ ଲୋକ ବିଭିନ୍ନ ଅଞ୍ଚଳରେ ଜେନେରେଟର ଧରି ପହଞ୍ଚି ଯାଇଥିଲେ। ଜେନେରେଟରକୁ ପାଣି ପମ୍ପ୍‌ରେ ସଂଯୋଗ କରି ଟାଙ୍କିକୁ ପାଣି ଉଠାଇଥିଲେ। କେଉଁଠି ଅଧଘଣ୍ଟାରେ ତ କେଉଁଠି ୪୫ମିନିଟରେ ଟାଙ୍କି ପୂର୍ଣ୍ଣ ହୋଇଯାଉଥିଲା। ଏଥିପାଇଁ କିନ୍ତୁ ୫୦୦ଟଙ୍କା ଦେବାକୁ ପଡ଼ିଥିଲା। ଆଗ ୫୦୦ଟଙ୍କା ଦେଲେ ଘରେ ଜେନେରେଟର ପହଞ୍ଚୁଥିଲା। ହେଲେ କିଏ ଆଗ ଜେନେରେଟର ନେବ, ସେଥିପାଇଁ ବି ଲୋକଙ୍କ ମଧ୍ୟରେ ଝଗଡ଼ା ଲାଗୁଥିବା ଦେଖିବାକୁ ମିଳିଥିଲା।

ଅପରପକ୍ଷେ କଟକରୋଡ୍‌ରେ ଆଜି ଲୋକ ପାଣି ପମ୍ପ ଓ ଜେନେରେଟର କିଣିବାକୁ ଲମ୍ବା ଧାଡ଼ି ଲଗାଇଥିଲେ। ଆସନ୍ତା ତିନିରୁ ଚାରି ଦିନ ଲାଇନ୍ ଆସିବନି ବୋଲି ଲୋକ ଆକଳନ କରି ଆଲୋକ ଓ ପାଣିର ବ୍ୟବସ୍ଥା କରିବାକୁ ଜେନେରେଟର ଭଡ଼ାରେ କିମ୍ବା କିଣିକି ନେବାକୁ ଲମ୍ବା ଲାଇନ୍ ଲଗାଇଥିଲେ। ‌କେତେକ ଦୋକାନରେ ଏମ୍‌ଆରପି ଯାହା ଲେଖା ହୋଇଥିଲା ସେହି ଦାମ୍‌ରେ ଜେନେରେଟର ବିକ୍ରି ହେଉଥିଲା ଯିଏ ମୂଲଚାଲ କରୁଥିଲେ ତାଙ୍କୁ ଦୋକାନରୁ ଚାଲିଯିବାକୁ କୁହାଯାଉଥିଲା।

ପେଟ୍ରୋଲ୍‌ ପାଇଁ ଲମ୍ବା ଧାଡ଼ି

ଭୁବନେଶ୍ବର : ‘ଫନି’ ପ୍ରଭାବରେ ରାଜଧାନୀ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଥିବା ବେଳେ ଏଥିରୁ ବି ବାଦ୍‌ ପଡ଼ିନି ପେଟ୍ରୋଲ୍‌ ପମ୍ପ। ଚନ୍ଦ୍ରଶେଖରପୁର ଇଣ୍ଡିଆନ୍‌ ଅଏଲ୍‌, ଝାରପଡ଼ା ପେଟ୍ରୋଲ୍‌ ପମ୍ପ, ଇସ୍କନ୍‌ ପାଖ ପେଟ୍ରୋଲ୍‌ ପମ୍ପ ଭଳି କେତେକ ପେଟ୍ରୋଲ ପମ୍ପର ଛାତ ଉଡ଼ି ଯାଇଥିବା ଦେଖାଯାଇଥିଲା। ସେହିପରି କିଛି ପେଟ୍ରୋଲ୍‌ ପମ୍ପ ଟାଙ୍କିରେ ପାଣି ପଶି ଯାଇଛି। ଫଳରେ ସକାଳୁ ଦିନ ୧ଟା ପର୍ଯ୍ୟନ୍ତ ଏହି ‌ପେଟ୍ରୋଲ୍‌ ପମ୍ପଗୁଡ଼ିକ ସମେତ ଅଧିକାଂଶ ବନ୍ଦ ରହିଥିଲା। ତେବେ ସକାଳେ ବାଣୀବିହାର, ରାଜଭବନ, ଚନ୍ଦ୍ରଶେଖରପୁର ଭାରତ ପ‌େଟ୍ରୋଲ୍‌ ପମ୍ପ ଭଳି କେତେକ ହାତଗଣତି ପମ୍ପଗୁଡ଼ିକ ଖୋଲା ରହିଥିଲା। ଯେଉଁ କେତୋଟି ପମ୍ପ ଖୋଲା ରହିଥିଲା, ‌ପେଟ୍ରୋଲ୍‌ ପାଇଁ ଲୋକମାନେ ସେଠାରେ ଲମ୍ବା ଲାଇନ୍‌ ଲଗାଇଥିଲେ। ପମ୍ପଗୁଡ଼ିକରେ ବାଇକ୍‌ଠାରୁ ଆରମ୍ଭ କରି ଚାରିଚକିଆ ଯାନଗୁଡ଼ିକର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। କେହି କେହି ହାତରେ ବୋତଲ୍‌, ଛୋଟ ଡ୍ରମ ଧରି ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି ତେଲ ଭରିଥିଲେ। ଏହି ସମୟରେ କିଛି ସ୍ଥାନରେ ତେଲର କଳାବଜାରି ଦେଖିବାକୁ ମିଳିଥିଲା। ଟାଙ୍କିଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ତେଲ ଥିଲେ ସୁଧା କିଛି ଲୋକ ଭିଡ଼କୁ ଏଡ଼ାଇବା ପାଇଁ ବାହାରୁ ଲିଟର ପିଛା ୧୫୦ ଟଙ୍କା ଦେଇ ତେଲ କିଣିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର